ଶ୍ରାବଣରେ ଡହ ଡହ ଖରାରେ ଶୁଖିଲା ଜମି : ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଷାଢ ସରି ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି । ମୌସୁମୀ ବାୟୁ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍ ରହିଛି । ପାଣି ଅଭାବ ଯୋଗୁଁ ଚାଷୀକୂଳ ହତାଶ ହୋଇପଡିଛି । ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଗେଇ ପାରୁନି ଚାଷ କାମ । ବର୍ଷାର ଆଗମନ ଦେଖି ଚାଷୀ ଧାନ ବିହନ ସଂଗ୍ରହ କରି ତଳି ପକାଇଥିଲେ । କିନ୍ତୁ ବର୍ଷା ହେଉନଥିବାରୁ ଏବେ ସେ ସବୁ ତଳି ମରିବାକୁ ବସିଲାଣି । ବୁଣା ଯାଇଥିବା ତଳି ବିଲ ମଧ୍ୟ ଫାଠି ଆଁ କଲାଣି । ତେଣୁ ତଳିକୁ ବଞ୍ଚାଇବା ପାଇଁ ଚାଷୀ ନୂଆ ଓ କେଉଁ ଖାଲ ଜମିରୁ ପାଣି ସଂଗ୍ରହ କରି ବିଲରେ ଛିଞ୍ଚୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସମେତ ଆଖପାଖ ତୁମୁଡିବନ୍ଧ, କୋଟଗଡ, କ.ନୂଆଗାଁ ଭଳି ଆଖପାଖ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଏହି ଦୃଶ୍ୟ ଦେଖ‌ିବାକୁ ମିଳିଛି । ଏବେ ସୁଦ୍ଧା ୫୦ ପ୍ରତିଶତ ଧାନ ଜମି ରୁଆ ସରିବାକୁ ଥିବା ବେଳେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଦୌ ଧାନ ଚାଷ ଆଗେଇ ପାରୁନାହିଁ । ଫଳରେ ଚିନ୍ତାରେ ପଡିଛି ଚାଷୀ । ଜମିରେ ଗାଈ ଚରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଯଦି ଆସନ୍ତା ଏକ ସପ୍ତାହ ମଧ୍ୟରେ ଆବଶ୍ୟକ ପରିମାଣରେ ବର୍ଷା ନ ହୁଏ ତେବେ ବୁଣା ଯାଇଥିବା ତଳି ନଷ୍ଟ ହୋଇଯିବ ଆଉ ତଳି ପକାଇବା ପାଇଁ ବିହନ ମୁଠେ ବି ମିଳିବ ନାହିଁ । କିଛି ଦିନ ତଳେ ଭଲ ବର୍ଷା ହୋଇଥିଲା । ହେଲେ ହଠାତ୍ ବର୍ଷା ଗାଏବ ହୋଇ ପ୍ରବଳ ଖରା ଓ ଗରମ ହେଉଥିବା କାରଣରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଯାହାକୁ ନେଇ ଧାନ ଚାଷୀ ଆଶା ଓ ଆଶଙ୍କାରେ ଗତି କରୁଥିବା ବେଳେ ଏ ସବୁ ଅଞ୍ଚଳରେ ଧାନ ଜମି ପଡିଆ ପଡିଛି । ଯାହାଦ୍ୱାରା ଧାନ ଜମି ପାଲଟିଛି ଗୃହପାଳିତ ପଶୁଙ୍କ ଚାରଣ ଭୂମି । ସେପଟେ ଆଖପାଖ ଅଞ୍ଚଳରେ ଜଳ ସମ୍ପଦ ଉପଖଣ୍ଡ ଅଧିନରେ ଥିବା କେନାଲ ଗୁଡ଼ିକରେ ଘାସ ଏବଂ ଅନାବନା ଗଛ ଉଠି କେନାଲ ସଙ୍କୁଚିତ ହୋଇପଡିଛି । ବିଭାଗ ନା କେନାଲ ସଫା କରୁଛି ନା କେନାଲ ପାଣି ଯୋଗାଇ ଦେଉଛି । ଏନେଇ ଧାନ ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାଜ୍ୟ ଜଳ ସମ୍ପଦ ବିଭାଗ ତୁରନ୍ତ କେନାଲ ପାଣି ଯୋଗାଇ ଦେବା ପାଇଁ ଦାବୀ ହୋଇଛି ।

Leave A Reply

Your email address will not be published.