ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଲା ଥାନା ଅନ୍ତର୍ଗତ କେସେର୍କେଲା ଗାଁ ମୁଣ୍ଡ ପଡ଼ିଆ ଭିତରେ କେମିତି ବିଭତ୍ସ ଭାବେ ହତ୍ୟା କରିଥିଲା ହତ୍ୟାକାରୀ ? ପ୍ରମାଣ ନଷ୍ଟ ପାଇଁ କ’ଣ ସବୁ ପଦକ୍ଷେପ ନେଇଥିଲା ? କେମିତି ଭାଙ୍ଗିଥିଲା ମୋବାଇଲ୍ ଫୋନ୍ ? ପୁରା ହତ୍ୟାକାଣ୍ଡର ଟିକିନିଖି ବଖାଣୁଛି ହତ୍ୟାକାରୀ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଛେଲୁ ବଗର୍ତ୍ତିଙ୍କୁ ନେଇ ଆଜି ସିନ୍ ରିକ୍ରିଏସନ୍ରେ ପୁଇଁତଲା ପୋଲିସ । ଇଏ ହେଉଛି ସେହି ବ୍ୟକ୍ତି, ଯିଏ ସିଆର୍ପି ସଂଯୁକ୍ତା ହର୍ପାଲ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଗତକାଲି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ସାତମାଇଲ ଛକ ନିକଟସ୍ଥ କେସେର୍କେଲା ଗାଁ ପଡିଆରୁ ମିଳିଥିଲା ବୌଦ୍ଧ ଜିଲ୍ଲା ବାରିଗୁଭା ଗାଁର ସଂଯୁକ୍ତା ହରପାଲଙ୍କ ଶବ । ଶବ ନିକଟରୁ ପୋଲିସକୁ ମିଳିଥିଲା ସଂଯୁକ୍ତାଙ୍କ ଭଂଗା ମୋବାଇଲ୍ ଫୋନ୍ । ସେହି ଭଙ୍ଗା ମୋବାଇଲ ଫୋନ୍କୁ ନେଇ ପ୍ରମାଣ ଖୋଜିଥିଲା ପୋଲିସ । ମହିଳାଙ୍କ ପରିଚୟ ମିଳିବା ପରେ ପରିବାର ଲୋକେ ଶବ ଚିହ୍ନଟ କରିଥିଲେ । ସୂଚନା ଅନୁସାରେ ଗତ ୨୧ ତାରିଖ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟକ୍ରମକୁ ଯାଉଛି କହି ଘରୁ ବାହାରିଥିଲେ ଓ ଏହା ପରେ ଆଉ ଘରକୁ ଫେରି ନଥିଲେ ସଂଯୁକ୍ତା ହର୍ପାଲ୍ । ଗତକାଲି ସକାଳୁ ମିଳିଥିଲା ତାଙ୍କ ଶବ । ଅନ୍ୟପଟେ ହତ୍ୟାକାରୀ ଛେଲୁ ବଗର୍ତ୍ତି ହେଉଛି ମୃତ ସଂଯୁକ୍ତାଙ୍କ ବାପା ଘର ଗାଁ ଖଲିଆପାଲିର ବାସିନ୍ଦା । ଛେଲୁ ବୌଦ୍ଧ ଜିଲ୍ଲାରୁ ଗଂଜେଇ ଆଣି ବଲାଙ୍ଗିର ବେପାରୀଙ୍କୁ ଦେଇଥାଏ । ସବୁଠାରୁ ବଡ଼ କଥା ଯେ, ଏହି ଗଂଜେଇ ବେପାରରେ ମଧ୍ୟସ୍ଥି ସାଜିଥାନ୍ତି ମୃତ ସଂଯୁକ୍ତା ହର୍ପାଲ୍ । କୁଆଡେ଼ ଗତ ୨୦ ତାରିଖ ମଧ୍ୟ ଗଂଜେଇ ଚାଲାଣ କରିଥିଲେ ସଂଯୁକ୍ତା । କିନ୍ତୁ ଗତ ୨୧ ତାରିଖ ଦିନ ଗଂଜେଇ ଧରିକି ସାତମାଇଲ ଛକକୁ ଆସିଲା ପରେ ବଲାଙ୍ଗିର ବେପାରୀ ଆସିନଥିଲା । କିନ୍ତୁ ଗଂଜେଇ ସାଙ୍ଗରେ ଆଣିକି ଆସିଥିବାରୁ ଚୁକ୍ତି ମୁତାବକ ଟଙ୍କା ମାଗିଥିଲେ ସଂଯୁକ୍ତା, ଯାହାକୁ ନେଇ ସଂଯୁକ୍ତା ଓ ଛେଲୁ ଭିତରେ ଜବର୍ଦସ୍ତ ବଚସା ହୋଇଥିଲା । ଏହାପରେ ସଂଯୁକ୍ତାଙ୍କୁ ବିଭତ୍ସ ଭାବରେ ହତ୍ୟା କରିଥିଲା ଛେଲୁ ବଗର୍ତ୍ତି । ହତ୍ୟାକାରୀକୁ କଠୋରରୁ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବୀ କରିଛନ୍ତି ମୃତ ସଂଯୁକ୍ତାଙ୍କ ସ୍ୱାମୀ ଓ ସମ୍ପର୍କୀୟ ।