jayashree

ଜଙ୍ଗଲ ଜମି ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ଦାବିରେ ମୁରିବାହାଲ ବ୍ଲକ ଅଫିସ ସମ୍ମୁଖରେ ଜିନ୍ଦାବାଦ ସଙ୍ଗଠନର ବ୍ଲକ ଘେରାଉ ଓ ୧୧ଦଫା ଦାବିପତ୍ର ପ୍ରଦାନ

  • ମୌଳିକ ସୁବିଧାରୁ ବଞ୍ଚିତ ୯ଟି ଅଣରାଜସ୍ଵ ଗ୍ରାମ
  • ଦାବୀପୂରଣ ନ ହେଲେ ଭୋଟ ବର୍ଜନ ଚେତାବନୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ, ହଳଦୀ ଓ ମାଳିଶିରା ପଞ୍ଚାୟତର ଜଙ୍ଗଲ ଅଞ୍ଚଳରେ ରହୁଥିବା ପେରୁଆମାଲ, ସୁକୁନିପଦର, ବେହେରାଖାଇ, କକଡାପଦର, ରାଣୀସିଲେଟ, ଶିକାରିପଡା, ଲତାସଢ଼ା, ଦାଢ଼ିଆପଦର ଓ କୁଟନିଝରଣ ଭଳି ୯ଟି ଅଣ ରାଜସ୍ୱ ଗ୍ରାମରେ ବସବାସ କରୁଥିବା ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ନିଜର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ ୨୦୦୬,ସଂଶୋଧିତ ନିୟମ ୨୦୧୨ ତଥା ମୋ ଜଙ୍ଗଲ ଜମି ଯୋଜନାକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ଦାବିରେ ଜିନ୍ଦାବାଦ ସଙ୍ଗଠନ ନେତୃତ୍ୱରେ ସ୍ଥାନୀୟ ବଜାରପଡ଼ାରୁ ଏକ ବିରାଟ ଶୋଭଯାତ୍ରାରେ ଆସି ମୁରିବାହାଲ ବ୍ଲକ ଅଫିସ ଘେରାଉ, ଗଣଧାରଣା, ବିକ୍ଷୋଭ ଓ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରକୁ ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଲକ ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ ଗ୍ରହଣ କରିଥିଲେ । ୧୧ଦଫା ଦାବିଗୁଡିକ ମଧ୍ୟରେ ଏହି ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା, ଜଙ୍ଗଲ ଭିତରେ ଥିବା ପଡ଼ା ଗ୍ରାମଗୁଡିକରେ ଗ୍ରାମସଭା କରାଯାଇ ଜଙ୍ଗଲ ଅଧିକାର କମିଟି ଗଠନ କରାଯିବା, ଅନ୍ୟାନ୍ୟ ପାରମ୍ପରିକ ବନବାସୀ, ଏସ୍‌ସି, ଓବିସିଙ୍କ ଦାବି ଗ୍ରହଣ କରି ପଟ୍ଟା, ଶିରୋନାମା ପ୍ରଦାନ, ଜିଲ୍ଲା ଓ ଉପଖଣ୍ଡସ୍ତରୀୟ କମିଟିର ଦାୟିତ୍ଵ ଓ କ୍ଷମତାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା, ଜଙ୍ଗଲ ଅଧିକାର କମିଟିର ସମସ୍ତଙ୍କୁ ତାଲିମ ପ୍ରଦାନ, ଏହା କାର୍ଯ୍ୟକାରିତାର ଏକ ନିର୍ଦ୍ଧିଷ୍ଟ ସମୟ ସୀମାରେ ସମାପ୍ତ କରିବା ପ୍ରକ୍ରିୟାକୁ ବନ୍ଦ କରିବା, ଏଥିରେ ଗ୍ରାମସଭାକୁ ଗୁରୁତ୍ଵ ଦିଆଯିବା, ପଟ୍ଟାକୁ ସଂଶୋଧନ କରି ଦଖଲରେ ଥିବା ଜଙ୍ଗଲ ଜମିର ପୁରା ଏରିଆର ପଟ୍ଟା, ଶିରୋନାମା ଦିଆଯିବା, ମିଳିଥିବା ପଟ୍ଟାକୁ ସଂଶୋଧନ କରି ଭୁଲେଖରେ ସାମିଲ କରିବା, ପୂର୍ବରୁ ରୁଜ୍ଜୁ ବିଭିନ୍ନ ମାମଲା ତୁରନ୍ତ ପ୍ରତ୍ୟାହାର କରାଯିବା ତଥା ଜଙ୍ଗଲ ଗାଁ, ପୁରୁଣା ବସ୍ତି, ଅଣ ସର୍ବେକ୍ଷଣ ପଡ଼ା, ଗ୍ରାମଗୁଡ଼ିକୁ ପରିବର୍ତ୍ତନ କରାଯାଇ ରାଜସ୍ଵ ଗ୍ରାମର ମାନ୍ୟତା ଦେବା ପାଇଁ ଜିଲ୍ଲାସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କୁ ଦିଆଯାଇଥିବା କ୍ଷମତା ଓ ଦାୟିତ୍ଵକୁ ତୁରନ୍ତ ଲାଗୁ କରାଯିବା ଆଦି ଦାବୀ ରହିଛି । ଜିନ୍ଦାବାଦ ସଙ୍ଗଠନର ଜିଲ୍ଲା ସଭାପତି ଆଇନଜୀବୀ ତ୍ରିଲୋଚନ ପୁଞ୍ଜି, ମୁରିବାହାଲ ବ୍ଲକ ସଭାପତି ସଦାନନ୍ଦ ଧରୁଆ, ସମ୍ପାଦକ କେଶବ ଧରୁଆ, ସଭ୍ୟ ଧନମତ ପାତ୍ର, ଗୁପ୍ତେଶ୍ୱର ଭୋଇ, ଜିରେ ଭୋଇ, ବୈଜନ୍ତି ପ୍ରଧାନୀ, ଡ଼ମ୍ବୁରୁ ବାଗ, କୁମର ଧରୁଆ, ଶୁଭକାନ୍ତି ମାଝୀ, କେଶରୀ ଧରୁଆ, ଟଙ୍କ ଶବର, ରଘୁନାଥ ଶବର, ଦେବାରଚନ୍ଦ ଛୁରା, ପାର୍ଥ କଅଁର, ପାର୍ବତୀ ଧରୁଆ, କୁମାରୀ ପରାଭୋଏ ପ୍ରମୁଖଙ୍କ ସହ ଶତାଧିକ ବନବାସୀ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନଙ୍କ ସହ ଏକ ପ୍ଲାଟୁନ ପୁଲିସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.