ଗୁଡିଘାଟ ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ : ମୋଟ ୪୪ଟି ପ୍ରକଳ୍ପରୁ ୫ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ ଗୁରୁବାର ଗୁଡିଘାଟ ପଞ୍ଚାୟତସ୍ଥିତ ମୁକୁନ୍ଦିଲାଲ ଅଗ୍ରୱାଲ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୪୪ଟି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୫ଟି ବିଭିନ୍ନ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇ ଜିଲ୍ଲାସ୍ତରକୁ ମନୋନୀତ ହୋଇଛି । ଆୟୋଜକ ମୁରିବହାଲ ବିଜ୍ଞାନ କଂଗ୍ରେସର ସଭାପତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି କେଭି ମହାବିଦ୍ୟାଳୟର ଫିଜିକ୍ସ ଅଧ୍ୟାପକ କରୁଣାକର ନାୟକ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୀରା ସିଂ ମାଝୀ, ବ୍ଲକ ବିଜ୍ଞାନ କଂଗ୍ରେସ ସଂଯୋଜକ ତଥା ମୁରିବାହାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ର ସମ୍ମାନିତ ଅତିଥି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପିତାମ୍ବର ବେସ୍ରା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିବା ବେଳେ ଆୟୋଜକ ସମ୍ପାଦକ ତଥା ଗୁଡିଘାଟ ହାଇସ୍କୁଲ ପ୍ରଧାନ ଶିକ୍ଷକ କୋଦଣ୍ଡଧର ପାଢ଼ୀ ଧନ୍ୟବାଦ ଦେଇଥିଲେ । କୌଣସି ସମସ୍ୟାର ସମାଧାନ ବୈଜ୍ଞାନିକ ଦୃଷ୍ଟିକୋଣରୁ ଆକଳନ କରି କ୍ଷତି କିପରି ହେଉଛି ଓ କି ବ୍ୟବସ୍ଥା କଲେ ଜନସାଧାରଣଙ୍କ ତଥା ପାରିପାର୍ଶ୍ବିକ ଲାଭ ହେବ, ସେ ସମ୍ବନ୍ଧିତ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଅତିଥି ବୃନ୍ଦ ବିଜ୍ଞାନ ପ୍ରତି ଆଗ୍ରହ ରଖିବା ଓ ଏହାର ସଦୁପଯୋଗ କରିବା ଉପରେ ଗୁରୁତ୍ୱ ଦେବାରେ ଆଗ୍ରହ ପ୍ରକାଶ କରିଥିଲେ । ଏଥିରେ କର୍ଲା ହାଇସ୍କୁଲ ଛାତ୍ର ରୂପେଶ ମହାକୁରଙ୍କ ପ୍ରକଳ୍ପ ପ୍ରଥମ, ଗୁରୁଣ୍ଡା ହାଇସ୍କୁଲ ଛାତ୍ର କୁନାଲ ସରାଫ ଦ୍ଵିତୀୟ, ଗୁଡିଘାଟ ହାଇସ୍କୁଲ ଛାତ୍ରୀ ସୁଶ୍ରୀ ଶୁଭସ୍ମିତା ମହାକୁର ତୃତୀୟ, ଦେବଙ୍ଗ ହାଇସ୍କୁଲ ଛାତ୍ର ରାଜ ବିଭାର ଚତୁର୍ଥ ଓ କର୍ଲା ହାଇସ୍କୁଲ ଛାତ୍ରୀ ପୂଜା ଦନ୍ତାଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଦେବଙ୍ଗ ହାଇସ୍କୁଲ ପ୍ରଧାନ ଶିକ୍ଷକ ସନାତନ ସାହୁ, ଗୁଡିଘାଟ ହାଇସ୍କୁଲ ପ୍ରଧାନ ଶିକ୍ଷକ କୋଦଣ୍ଡଧର ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ, ବିଜ୍ଞାନ ଶିକ୍ଷକ ଉପସ୍ଥିତ ଥିବା ବେଳେ ଗୁଡ଼ିଘାଟ ମୁକୁନ୍ଦିଲାଲ ଅଗ୍ରୱାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ମାକ୍ରିପଡା ହାଇସ୍କୁଲ ପ୍ରଧାନଶିକ୍ଷକ ଶୁଭେନ୍ଦୁ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.