oom

ବିଜେଡିର ନଗରସ୍ତରୀୟ ଯୁବ ଦଳିତ ସମାବେଶ : ବିଜେଡିରେ ଯୋଗଦେଲେ ଶତାଧିକ ଯୁବକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ କଲେଜଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ନଗରସ୍ତରୀୟ ଏକ ଯୁବ ଦଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଯୁବ ଦଳିତ ସଂଗଠକ ଆକାଶ ସାଗରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବିଜେଡି ନଗର ସଭାପତି ତଥା ୱାର୍ଡ ନଂ ୭ର କାଉନସିଲର ଶମ୍ଭୁ ନାଗ, ୱାର୍ଡ ନଂ.୧୦ର କାଉନସିଲର କିଶୋର କୁମ୍ଭାର, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଜିଲ୍ଲା ଦଳିତ ସମାଜ ଆବାହକ ବିଜୟ ବାରିକ ଓ ସମାଜସେବୀ ପାଣ୍ଡବ କୁମ୍ଭାର ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଶତାଧିକ ଦଳିତ ଯୁବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରେ ଯୋଗ ଦେଇଥିବା ଯୁବକମାନଙ୍କୁ କଳିକେଶ ସ୍ୱାଗତ କରିବା ସଙ୍ଗେ ଏମାନଙ୍କ ଯୋଗଦାନ ଦଳକୁ ମଜବୁତ କରିବ ବୋଲି କହିବା ସହିତ ବିଜେଡି ସବୁବେଳେ ଦଳିତମାନଙ୍କ ପାଇଁ କାମ କରି ଆସୁଛି ବୋଲି କହିଥିଲେ । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଥିବା ସ୍ୱତନ୍ତ୍ର ଅନୁଦାନ ପାଣ୍ଠିରୁ ଦଳିତ ସମାଜର ଏକ ଆମ୍ଭେଦକର ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଦଳିତ ସମାଜ ପାଇଁ ଆମେ ସମର୍ପିତ ହୋଇ କାମ କରିବୁ ବୋଲି କଳିକେଶ କହିଥିଲେ । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମୁଁ ବ୍ୟକ୍ତିଗତ ଭାବେ ଦଳିତ ସମାଜ ସହିତ ଯୋଡି ହୋଇ ରହିଛି । ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଆସିଛି । ଆଗାମୀ ଦିନରେ ମଧ୍ୟ ସେମାନଙ୍କ ସହ ମୁଁ ପୂର୍ଣ୍ଣପ୍ରାଣରେ ରହିବି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଇଶ୍ୱର ନନ୍ଦ, ସ୍ୱାଧୀନ ନନ୍ଦ, ନବୀନ ବାଗ, ରାଜା ନାଗ ଓ ଜୀତେନ ଦୀପ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.