ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌରପାଳିକା ଅଞ୍ଚଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଇ ରାସ୍ତା ଓ ଡ୍ରେନ ନିର୍ମାଣ କରାଉଛନ୍ତି । କିନ୍ତୁ ଦୁର୍ନୀତିଖୋର ଅଧିକାରୀମାନଙ୍କ ଯୋଗୁଁ କାମ ଗୁଡିକ ନିମ୍ନମାନର ହେଉଥିବା ବେଳେ କମ୍ଦିନରେ ରାସ୍ତାର ଡ୍ରେନ ଭୁଷୁଡି ପଡୁଛି । ଯାହାକି ସାଧାରଣଜନତାଙ୍କୁ ଅସୁବିଧାରେ ପକାଉଛି । ସେପଟେ ଏ ବିଷୟରେ ସ୍ଥାନୀୟ ପଡାବାସୀ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଶୁଣିନାହିଁ । ଶେଷରେ ନିଜେ ଲୋକମାନେ ନିଜର ଡ୍ରେନ ସଫେଇ କରିବା ସହିତ ଡ୍ରେନ ଉପରେ ପ୍ଲେଟ ପକାଉଥିବା ଦେଖିବାକୁ ମିଳିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ପୂର୍ତ୍ତ ବିଭାଗ ଲକ୍ଷାଧିକ ଟଙ୍କାରେ ଡ୍ରେନ ନିର୍ମାଣ କରିଥିଲେ ହେଁ ତାହା ବର୍ଷଟିଏ ମଧ୍ୟ ଯାଉନାହିଁ ଭାଙ୍ଗିଯାଉଛି । ପୂର୍ତ୍ତ ବିଭାଗର ଏଭଳି ନିମ୍ନମାନର କାମକୁ ନେଇ ଜନ ଅସନ୍ତୋଷ ବଢୁଛି । ଖବର ନେବାରୁ ଜଣାଯାଇଛି ଯେ, ଗତ ୨୦୨୨ ମସିହାର ଶେଷଆଡକୁ ବଲାଙ୍ଗିର ସହରର ଗାନ୍ଧୀନଗର ଛକଠାରୁ ତାଲପାଲିପଡା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତାର ବରପାଲିପଡା ଟ୍ରାନ୍ସଫର୍ମରଠାରୁ ଅର୍ଣ୍ଣପୂର୍ଣ୍ଣା ଫେନ୍ସିଷ୍ଟୋର ପର୍ଯ୍ୟନ୍ତ ବାମକଡେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ କାମ କରାଯାଇଥିଲା । ସେହି କାମକୁ ଜଣେ ଠିକାଦାର ସବଲେଟରେ କରୁଥିଲେ । ନିମ୍ନମାନର କାମ ହେଉଥିବା ଅଭିଯୋଗ ମଧ୍ୟ ଉଠିଥିଲା । କିନ୍ତୁ ବିଭାଗ କାହାରି ଅଭିଯୋଗ ଶୁଣିଲା ନାହିଁ । ଶେଷରେ ୬ ମାସ ମଧ୍ୟ ଗଲାନାହିଁ ଡ୍ରେନ ଭୁଷୁଡି ପଡିଲା । ଡ୍ରେନ ଉପରେ ଦିଆ ଯାଇଥିବା ଢାଙ୍କୁଣି ସବୁ ଭାଙ୍ଗିଯାଇ ଡ୍ରେନରେ ପଡିଲା । ତାକୁ ପୌରପାଳିକା କିମ୍ବା ପୂର୍ତ୍ତ ବିଭାଗ ସଫେଇ କଲେନାହିଁ । ଡ୍ରେନ ଜାମ ହୋଇ ପାଣି ରାସ୍ତା ଉପରେ ଗଡିଲା । ଏପରିକି ଏହି ରାସ୍ତାରୁ ଗୁପ୍ତା ଫ୍ଲାଟ କଲୋନୀକୁ ଯାଉଥିବା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅଞ୍ଚଳବାସୀ ଅନେକ ଥର ପୌରପାଳିକା ତଥା ପୂର୍ତ୍ତ ବିଭାଗକୁ ଅନୁରୋଧ କରିଥିଲେ ହେଁ କେହି ନଶୁଣିବାରୁ ଶେଷରେ ନିଜେ ନିଜେ ଡ୍ରେନକୁ ସଫେଇ କରି ରାସ୍ତା ନିର୍ମାଣ କରାଉଛନ୍ତି । ପ୍ରଶାସନର ଏଭଳି ଅଣଦେଖାକୁ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଉଛି ।