- ଲୋକାର୍ପଣରେ ଚାଷୀ ବିସ୍ଥାପିତଙ୍କ କଥା କମ, ରାଜନୈତିକ ଗନ୍ଧ ବେଶି : ସମରେନ୍ଦ୍ର
- ପୋଷ୍ଟର ଲଗାଇଥିବା ଲୋକ ୨୯ଟି ଗାଁରେ ୨୯ ଘଣ୍ଟା ସମୟ ଦେଇନାହାନ୍ତି : ସମରେନ୍ଦ୍ର
ବଲାଙ୍ଗିର, (ଦେବାଶିଷ ମିଶ୍ର) :ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ସମରେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ସେ କହିଛନ୍ତି ଯେ, ବଲାଙ୍ଗିରର ଜୀବନରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ ହୋଇଯାଇଛି, କିନ୍ତୁ ଆହୁରି ଅନେକ ମାସ ପର୍ଯ୍ୟନ୍ତ ବି ଚାଷୀର ଖେତକୁ ପାଣି ପହଂଚିବ ନାହିଁ ତା ସତ୍ୱେ ବିଡମ୍ବନାର ବିଷୟ ଏହି ଯେ ଯେଉଁ ସ୍ଥାନୀୟ ସରକାରୀ ଦଳର ନେତାମାନେ ପ୍ରକଳ୍ପ କାମ ଆରମ୍ଭ ବେଳେ ପ୍ରକଳ୍ପ କରାଇ ଦେବୁ ନାହିଁ ବୋଲି ଭଗବାନଙ୍କୁ ଧରି ବିସ୍ତାପିତ ଗାଁମାନଙ୍କରେ ଲୋକଙ୍କ ସାମନାରେ ଶପଥ କରିଥିଲେ ଆଜି ସେମାନେ ବିସ୍ଥାପିତ ଜନସାଧାରଣଙ୍କ ଆଗରେ ପୋଷ୍ଟର ମାରି ବାହା ବାହା ନେଉଛନ୍ତି । ସେମାନଙ୍କର ଯଦି ସଦ୍ସାହାସ ଅଛି କୁହନ୍ତୁ ଯେ, ପ୍ରକଳ୍ପରେ ବୁଡିବାକୁ ଥିବା ୨୯ ଖଣ୍ଡ ଗାଁକୁ କେତେ ଥର ଯାଇଛନ୍ତି ବୋଲି ସମରେନ୍ଦ୍ର କହିଛନ୍ତି । ମୁଁ ତ ଜୋର ଦେଇ କହିପାରିବି ଗତ ୨୩ ବର୍ଷ ଭିତରେ ପ୍ରକଳ୍ପ ପ୍ରଭାବିତ ୨୯ ଖଣ୍ଡ ଗାଁରେ ଲୋକଙ୍କ ସମସ୍ୟା ଶୁଣିବାକୁ ୨୯ ଘଣ୍ଟା ମଧ୍ୟ ସମୟ ଦେଇନାହାନ୍ତି ବୋଲି ସରକାରଙ୍କ ଦ୍ୱାରା ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ ଉତ୍ସବର ଗୋଟିଏ ଦିନ ପରେ ଆଜି ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନରେ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ସରକାରୀ ଦଳ ନେତାଙ୍କ ବିରୁଦ୍ଧରେ ବିଷୋଧଗାର କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଏମାନେ କେବେ ବି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକଙ୍କର ଦୁଃଖର କଥା କୌଣସି ବି ଜାଗାରେ କହିନାହାନ୍ତି । ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କଠାରେ ଗୋଟିଏ ଥର ବି କହିନଥିବେ କାରଣ ଏମାନଙ୍କୁ ତାଙ୍କର ଚାକିରି ଯିବାର ଭୟ ଅଛି ବୋଲି ସମରେନ୍ଦ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସମରେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ, ଲୋକାର୍ପଣକୁ ନେଇ ରାଜନୈତିକ ଗନ୍ଧ ଓ ବିସ୍ଥାପିତମାନଙ୍କ ଦୁଃଖକୁ ନେଇ ସରକାରୀ ଦଳର ନେତାଙ୍କ କୁମ୍ଭୀର କାନ୍ଦଣା ବେଶି ଥିଲା କାରଣ ମଂଚରେ ବାହା ବାହା ନେଉଥିବା ଜଣେ ବି ସରକାରୀ ଦଳର ନେତା ଏ ବିସ୍ଥାପିତମାନଙ୍କ ଗାଁକୁ ତାଙ୍କ ସମସ୍ୟା ସମାଧାନ ପାଇଁ ଯିବା ତ ଦୂରର କଥା ସେମାନେ ତାଙ୍କ ସମସ୍ୟା କଣ ଅଛି ଜାଣିନଥିବେ ବୋଲି ସମରେନ୍ଦ୍ର କହିଛନ୍ତି । ଆଗାମୀ ନିର୍ବାଚନର ଭୟ ତଥା ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ତରବରିଆ ପ୍ରକଳ୍ପ ଉଦ୍ଘାଟନକୁ ଶ୍ରୀ ମିଶ୍ର ତିବ୍ର ନିନ୍ଦା କରିଥିଲେ । ସେ ଏହି ମର୍ମରେ କହିଥିଲେ ବିଧାୟକଙ୍କ ଦ୍ୱାରା ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ଦିଆଯାଇଥିବା ଏପରି ଅନେକ ପ୍ରକଳ୍ପ ଅଛି ଯାହାକୁ କି ମୁଖ୍ୟମନ୍ତ୍ରୀ ପୁଣି ଥରେ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ଦେଇଛନ୍ତି, କିନ୍ତୁ ବଲାଙ୍ଗିରର ବିକାଶ ପାଇଁ ଆଉ ଦୁଇଟି ପ୍ରକଳ୍ପ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ କୋଠା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଚେଷ୍ଟାରେ ମଞ୍ଜୁରି ପାଇଥିବା ସ୍ଥଳେ ସେହି ଦୁଇଟି ପ୍ରକଳ୍ପକୁ ଷଡଯନ୍ତ୍ର କରି ସ୍ଥାନୀୟ ବିଜେଡି ନେତାମାନେ ଅଟକାଇ ଦେଇଛନ୍ତି । ଯଦି ଜମି ଜବରଦଖଲ ସମସ୍ୟା ଅଛି ତେବେ ସେହି ଜବରଦଖଲକାରୀ ଗରିବ ଲୋକଙ୍କୁ ସେଠାରେ ତାଙ୍କର ପଟ୍ଟା ପ୍ରଦାନ କରି ତୁରନ୍ତ ଏହି ଦୁଇ ପ୍ରକଳ୍ପ ଯେଉଁଠାରେ ଜମି ଅଛି ନିର୍ମାଣ କରାଯିବାର ପଦକ୍ଷେପ ସରକାର ନିଅନ୍ତୁ ବୋଲି ସମରେନ୍ଦ୍ର ଦାବି କରିଥିଲେ । ବଲାଙ୍ଗିରର ବିକାଶକୁ ନେଇ କାହିଁକି ରାଜନୀତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ସମରେନ୍ଦ୍ର କହିଥିଲେ ଯେ, ଏହି ରାଜ ପରିବାର ୨୪ ବର୍ଷ ଶାସନରେ ଥିଲେ । ୨୦୧୪ ପୂର୍ବରୁ ବଲାଙ୍ଗିରରେ ଭୀମଡୁଙ୍ଗୁରି ବୋଲି ଗୋଟିଏ ସ୍ଥାନ ଅଛି ବୋଲି ସେମାନେ ଜାଣିଥିଲେ କି ବୋଲି ଓଲଟା ପ୍ରଶ୍ନ କରିଥିଲେ ସମରେନ୍ଦ୍ର । ଯଦି ସେମାନେ ଜାଣିଥାନ୍ତେ ତେବେ ପର୍ଯ୍ୟଟନ ମନ୍ତ୍ରୀ ଥିଲା ବେଳେ ଭିମଡୁଙ୍ଗୁରିକୁ କାହିଁକି ପର୍ଯ୍ୟଟନ ସ୍ଥଳି ଭାବେ ବିକାଶ କରାଇପାରିଲେ ନାହିଁ ବୋଲି ପ୍ରଶ୍ନ କରିଥିଲେ । ବିସ୍ଥାପିତ ଆଦିବାସୀଙ୍କୁ ନେଇ ହୋଇଥିବା ପ୍ରଶ୍ନରେ ସେ କହିଥିଲେ ସରକାର ଆଦିବାସୀ ବିରୋଧି ବୋଲି ସମସ୍ତେ ଜାଣିଛନ୍ତି ତେଣୁ ଆମ ନଜରରେ ବିସ୍ଥାପିତର କୌଣସି ଜାତିଧର୍ମ ନ ଥାଏ । ସେ ଯେତେବେଳେ ଭିଟାମାଟି ଛାଡୁଛି ଲୋକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅନେକ କିଛି ତ୍ୟାଗ କରୁଛି ସେତେବେଳେ ଆମେ ସମସ୍ତେ ମିଶି ସେମାନଙ୍କ ଥଇଥାନ ଓ କ୍ଷତିପୁରଣ କିପରି ଉଚିତ ଭାବରେ ସେମାନଙ୍କୁ ମିଳିବ ସେ ଉପରେ କାମ କରିବା ଦରକାର ବୋଲି ସମରେନ୍ଦ୍ର କହିଛନ୍ତି । ଶେଷରେ ସେ କହିଥିଲେ ଏହି ମହାନ ପ୍ରକଳ୍ପ ପାଇଁ ଯଦି କାହାକୁ ଶ୍ରେୟ ଦିଆଯିବ ତେବେ ଏ ୨୯ଖଣ୍ଡ ଗାଁର ସମସ୍ତ ବିସ୍ଥାପିତ ଜନସାଧାରଣଙ୍କୁ ଏବଂ ଯେ ପର୍ଯ୍ୟନ୍ତ ଏମାନେ ତାଙ୍କର ଶେଷ ପାଉଣା ସହ ବିସ୍ଥାପନ ଓ ଥଇଥାନ କଲୋନିମାନଙ୍କରେ ସମସ୍ତ ସୁବିଧା ସହ ଭବିଷ୍ୟତ ଜୀବନ ପାଇଁ ଜିବିକା ନିର୍ବାହ ସୁନିଶ୍ଚିତ କରାନଯାଇଛି ସେ ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସମରେନ୍ଦ୍ର କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ପ୍ରବକ୍ତା ଅଜୟ ବାଲି ଓ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର ମଂଚାସିନ ଥିବା ବେଳେ ନଗର ସଭାପତି ବୁଲୁ ଦାନି, ଛାତ୍ର ସଭାପତି ଅଙ୍କିତ ସାହୁ, ଯୁବନେତା ନାସୀର ଖାନ, ଲୋପନ ମିଶ୍ର, ଜୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।