ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେମଲା ସେବାଶ୍ରମ କନ୍ୟା ହଷ୍ଟେଲ ଖତ ଖାଉଛି

  • ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି, ଅଧପନ୍ତରିଆ ବାଡ କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ
  • ନାମ ଫଳକ ନ ଲଗାଇ ନିର୍ମାଣ ହୋଇଛି

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗ୍ରାମରେ ରହିଛି ସେବାଶ୍ରମ ବିଦ୍ୟାଳୟ । ପଂଚାୟତର ଅନୁନ୍ନତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ଏହି ବିଦ୍ୟାଳୟଟି ୨୦୦୧ ମସିହାରେ ନିର୍ମାଣ କରାଯାଇଥିଲା । ବିଦ୍ୟାଳୟ ନିର୍ମାଣ ହେବା ପରଠାରୁ ବିଦ୍ୟାଳୟ ପରିସରରେ ଥିବା ହେଷ୍ଟେଲରେ ହିଁ ଛାତ୍ରୀଛାତ୍ରମାନେ ରହିଆସୁଥିଲେ । ପୁରୁଣା ହଷ୍ଟେଲଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ନୂତନ ଭାବେ ବିଦ୍ୟାଳୟଠାରୁ ଜଂଗଲରେ ଥିବା ଖଲିଆପଡାରେ ୪୦ ବେଡେଡ୍‌ ହଷ୍ଟେଲ ନିର୍ମାଣ କରାଯାଇଛି । ହଷ୍ଟେଲଟି ନିର୍ମାଣ ହୋଇ ୧୦ରୁ ୧୪ ବର୍ଷ ହୋଇସାରିଛି । ହେଲେ ହଷ୍ଟେଲର ଅନ୍ତେବାସୀ ଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଫଳରେ ହଷ୍ଟେଲଟି ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ କେତେକ ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳି ପାଲିଟିଛି । ବିଦ୍ୟାଳୟଟି କେତେ ଟଙ୍କା ଅନୁଦାନରେ ନିର୍ମାଣ ହୋଇଛି କେଉଁ ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଛି ତାର କୌଣସି ନାମ ଫଳକ ଲଗାଯାଇ ନାହିଁ । ବିଦ୍ୟାଳୟଠାରୁ ୩ରୁ ୪ କି.ମି. ଦୂର ଜଂଗଲ ଭିତରେ ଥିବାରୁ ତାହା ସୁରକ୍ଷିତ ନୁହେଁ ତେଣୁ ଅକାମି ହୋଇ ପଡିଛି । ପୁଣି ବିଦ୍ୟାଳୟଟି ନିର୍ମାଣ ହେବାର ଦୀର୍ଘ ବର୍ଷ ବିତି ଯାଇଥିବା ବେଳେ ଛାତ୍ରୀମାନଙ୍କ ପକ୍ଷେ ସୁରକ୍ଷିତ ନ ଥିବା ସ୍ଥଳେ ହଷ୍ଟେଲର ଚାରିପଟେ ଜିଲ୍ଲା ପରିଷଦ ବଲାଙ୍ଗିରଙ୍କ ଆଇଡିଏଫ୍‌/୨୦୨୨-୨୩ ଆର୍ଥିକ ବର୍ଷରେ ଆଠଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ହଷ୍ଟେଲର ବାଡ ନିର୍ମାଣ ପାଇଁ ଦିଆଯାଇଥିବା ଆଠଲକ୍ଷ ଟଙ୍କା ମଧ୍ୟ ବ୍ୟୟ କରାଯାଇଥିବା ନାମ ଫଳକରେ ଦର୍ଶାଯାଇଛି । ହେଲେ ହଷ୍ଟେଲର କେବଳ ଗୋଟିଏ ପଟେ ଅସଂପୂର୍ଣ୍ଣ ବାଡ ନିର୍ମାଣ କରାଯାଇଛି । କୁଇବାହାଲ ପଂଚାୟତର ସେବାଶ୍ରମ ବିଦ୍ୟାଳୟରେ ଅଧ୍ୟୟନରତା ଆଦିବାସୀ ଛାତ୍ରୀମାନଙ୍କ ପାଇଁ ୪୦ ବେଡେଡ୍‌ ହଷ୍ଟେଲ ସୁରକ୍ଷିତ ସ୍ଥାନରେ ନିର୍ମାଣ କରାଯାଇ ନ ଥିବା ବେଳେ ହଷ୍ଟେଲର ବାଡ ଅର୍ଦ୍ଧ ନିର୍ମିତ କରାଯାଇ ଟଙ୍କା ହଡପ ହୋଇଥିବା ବୁଦ୍ଧିଜୀବୀ ମହଳରୁ ଅଭିଯୋଗ ହେଉଛି । ହଷ୍ଟେଲ ନିର୍ମାଣ ପରେ କାହିଁକି କାର୍ଯ୍ୟକ୍ଷମ ହୋଇ ନାହିଁ, କେତେ ଟଙ୍କା ଅଟକଳ ବ୍ୟୟରେ ନିର୍ମାଣ କରାଯାଇଛି ବୋଲି ସଂପୃକ୍ତ ତୁରେକେଲା ଡବ୍ଲୁଇଓଙ୍କୁ ପଚାରିବାରୁ ସେ ନୂଆକରି ଚାକିରୀରେ ଯୋଗ ଦେଇଥିବା ଏବଂ କିଛି ଜାଣି ନ ଥିବା କହିଥିବା ବେଳେ ଡବ୍ଲୁଓ ବଲାଙ୍ଗିରଙ୍କ ମୋବାଇଲ ଯୋଗେ ମତାମତ ନିଆଯାଇଥିଲା । ସେ ମଧ୍ୟ ନୂଆ ଭାବେ ଚାକିରୀରେ ଯୋଗ ଦେଇଥିବା କହିଥିବା ବେଳେ ନିର୍ମାଣ କେତେ ଟଙ୍କା ବ୍ୟୟରେ ହୋଇଛି ଫାଇଲ ଖୋଜିଲେ ଜଣାପଡିବ ବୋଲି କହିଛନ୍ତି । ଏପରିକି ବିଦ୍ୟାଳୟଠାରୁ ୩ରୁ ୪ କି.ମି. ଦୂରରେ ଜଂଗଲ ଭିତରେ ନିର୍ମାଣ ହୋଇଥିବାରୁ ଛୋଟ ଛୋଟ ଛାତ୍ରୀମାନେ ରହିବା ସୁରକ୍ଷିତ ନଥିବାରୁ ତାହା କାର୍ଯ୍ୟକ୍ଷମ ହୋଇ ନ ଥିବା କହନ୍ତି । ସେହିପରି ହଷ୍ଟେଲଟି ସୁରକ୍ଷିତ ନ ଥିବାରୁ କିପରି ବାଡ ନିର୍ମାଣ ପାଇଁ ଅନୁଦାନ ଜିଲ୍ଲା ପରିଷଦ ତରଫରୁ ଅନୁଦାନ ମିଳିଛି । ତାହା ମଧ୍ୟ ସଂପୂର୍ଣ୍ଣ ନ ହୋଇ ଅଧପନ୍ତରିଆ କରାଯାଇ ଟଙ୍କା ଆତ୍ମସାତ୍‌ କରାଯାଇଛି ବୋଲି ପଚାରିବାରୁ ଏହାର ଅନୁସଂଧାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.