lika

ଆସନ୍ତା ୨୨ ଡିସେମ୍ବରରୁ ୨୭ ଡିସେମ୍ବର ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମାଂଚଲ୍‌ ପିପୁଲ୍‌ ଫୋରମ୍‌ ତରଫରୁ ଆସନ୍ତା ୨୨ ଡିସେମ୍ବରରୁ ୨୭ ଡିସେମ୍ବର ୬ ଦିନ ବ୍ୟାପି ସିନେ କଳାକାର ମନୋଜ ମିଶ୍ର ଏବଂ ପିପୁଲ୍‌ ଫୋରମ୍‌ର ଆବାହକ ସପନ ମିଶ୍ରଙ୍କ ନେତୃତ୍ୱରେ ପଦମ୍‌ପୁର ନୃସିଂହନାଥ ମନ୍ଦିରରୁ ବାହାରି ସୁନ୍ଦରଗଡ଼ର ସମଲେଇ ଗୁଡ଼ି ପର୍ଯ୍ୟନ୍ତ ପଶ୍ଚିମାଂଚଳର ୧୧ଟି ଜିଲ୍ଲା ଦେଇ ଏକ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା କରାଯିବା ପାଇଁ ଘୋଷଣା ହୋଇଛି । ଏ ସମ୍ପର୍କରେ ସୂଚନା ଦେବାକୁ ଆଜି ଏକ ସାମ୍ୱାଦିକ ସମ୍ବିଳନୀ ପଶ୍ଚିମ ଓଡିଶାର ପ୍ରମୁଖ ସିନେ କଳାକାର ତଥା ମାଇଣ୍ଡ ଗେମ୍‌ ସିନେମାର ହିରୋ ମନୋଜ ମିଶ୍ରଙ୍କ ଉପସ୍ଥିତିରେ ବଲାଙ୍ଗିର ସାମ୍ୱାଦିକ ଭବନଠାରେ ଆୟୋଜିତ ହୋଇଯାଇଛି । ଏଥିରେ ପଶ୍ଚିମାଂଚଲ୍‌ ପିପୁଲ୍‌ ଫୋରମ୍‌ର ସଦସ୍ୟ ସିପୁନ ଖମାରୀ, ସରୋଜ ପ୍ରଧାନ, କେଏମ୍‌ଏମ୍‌ର ସଭାପତି ବିକାଶ ସା, ବରଗଡର ତରଣୀ ଦନ୍ତା, ବରିଷ୍ଟ ସିନେ ଅଭିନେତା, ଲେଖକ ତଥା ଗୀତିକାର କପିଳେଶ୍ୱର ଖମାରୀ ଏବଂ ସିନେ ଅଭିନେତା, ସଂଗୀତ ନିର୍ଦ୍ଦେଶକ କଣ୍ଠ ଶିଳ୍ପୀ ମୁରଲୀ ପତି ପ୍ରମୁଖ ମଂଚାସୀନ ରହି କ୍ରାର୍ଯ୍ୟକ୍ରମ ତଥା ମୁଖ୍ୟ ଦାବୀ ସମନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି । ଏହି ସ୍ୱାଭିମାନ ଯାତ୍ରାର ପ୍ରମୁଖ ଦାବୀ ଗୁଡିକ ହେଲା- କୋଶଲୀ/ସମଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ଏବଂ ଏହାକୁ ରାଜ୍ୟର ଅନ୍ୟତମ ସରକାରୀ ଭାଷା ଭାବରେ ସ୍ୱୀକୃତି ପ୍ରଦାନ, କୋଶଲୀ/ସମଲପୁରୀ ଭାଷା ସଙ୍ଗୀତ ସଂସ୍କୃତି ଏକାଡେମୀ ଗଠନ, କୋଶଲୀ/ସମଲପୁରୀ ଭାଷାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ସର୍ବୋପରି କୋସଲାଂଚଳରେ ଗୋଟିଏ ଫିଲ୍ମ ସିଟି ସ୍ଥାପନା କରିବା । ଏହି ସ୍ୱାଭିମାନ ଯାତ୍ରା ପାଟଣାଗଡ଼ରୁ ୨୪ ତାରିଖ ରବିବାର ସକାଳ ୧୦ ଘଂଟାରୁ ବାହାରି ୧୧ଘଂଟାରେ ବଲାଙ୍ଗିର ପହଂଚିବା ପରେ ଏକ ବାଇକ୍‌ ଶୋଭାଯାତ୍ରାରେ ଭୀମଭୋଇ ମେଡିକାଲ କଲେଜ ଛକ ପାଖରୁ ରାଜେନ୍ଦ୍ର ୟୁନିଭର୍ସିଟି ଛକ ଦେଇ ସହର ପରିକ୍ରମା ପୂର୍ବକ ସମଲେଶ୍ୱରୀ ଏବଂ ପାଟଣେଶ୍ୱରୀ ମନ୍ଦିର ଦର୍ଶନ କରି ସମ୍ବଲପୁର ରୋଡ଼ ଦେଇ ଲୋଇସିଂହା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରାରେ କୋଶଳାଂଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ବିଭିନ୍ନ କୋଶଲି ଅନୁଷ୍ଠାନ, କବି ଲେଖକ, କଳାକାର ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି ।

sandip
Leave A Reply

Your email address will not be published.