ଗୁଡିଘାଟ ପଞ୍ଚାୟତ ରାତ୍ରୀ ଜଗୁଆଳୀଙ୍କ ସହ ୩ଜଣଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

  • ଗ୍ରାମରେ ଦିନସାରା ତୀବ୍ର ଉତ୍ତେଜନା, ଉଭୟ ପକ୍ଷରୁ ମାମଲା ରୁଜ୍ଜୁ, ୫ଜଣଙ୍କୁ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡ଼ିଘାଟ ପଞ୍ଚାୟତର ରାତ୍ରୀ ଜଗୁଆଳୀଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ପଞ୍ଚାୟତ ଭିତରକୁ ପଶି ନିସ୍ତୁକ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୁଲିସ୍ ୫ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅପର ଗୋଷ୍ଠୀ ପକ୍ଷରୁ ପାଲଟା ଅଭିଯୋଗ ଆଧାରରେ ପୁଲିସ ଏଟ୍ରୋସିଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁଡିଘାଟ ପଂଚାୟତର ରାତ୍ରୀ ଜଗୁଆଳୀ କୀର୍ତ୍ତିଚନ୍ଦ୍ର ନାଏକ(୩୧)ରବିବାର ରାତି ସାଢ଼େ ଆଠଟାରେ ପଞ୍ଚାୟତରେ ଗ୍ରାମର କେତେଜଣ ଯୁବକଙ୍କ କଥା ହେଉଥିଲେ । ସେହି ସମୟରେ ଗ୍ରାମର ନରେଶ ନାଗ(୨୪), ଶ୍ରଦ୍ଧାକର ମହାନନ୍ଦ(ବାଙ୍ଗରା) (୨୪), ସିଦ୍ଧାନ୍ତ ମହାନନ୍ଦ(ମିଳନ)(୨୪), ମହେଶ ନାଗ(୧୯) ଓ ଅରୁଣ ନାଗ(୨୧) ଅନ୍ୟମାନଙ୍କ ସହ ଆସି କୀର୍ତ୍ତିଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ମାଡ ମାରିବା ସହ ଆକ୍ରମଣ କରି ନାକରେ ମୁଥ ମାରିଥିଲେ । ଫଳରେ ନାକ ଫାଟି ଓ ଡାହାଣ ଗୋଡ ଆଣ୍ଠୁ ଫାଟି ରକ୍ତ ବାହାରିଥିଲା । ସେମାନେ କୀର୍ତ୍ତିଙ୍କୁ ନିସ୍ତୁକ ମାଡ ମାରୁଥିବା ବେଳେ ପାଖରେ ଥିବା ଗ୍ରାମର ଭାଗିରଥି ଜାନୀ ଓ ସୌରଭ ସିଂ ମାଝୀ ଛଡାଇବା ବେଳେ ଉଭୟଙ୍କୁ ସେମାନେ ଠେଙ୍ଗାରେ ନିସ୍ତୁକ ମାଡ ମାରିଥିଲେ । ଫଳରେ ଉଭୟ ମଧ୍ୟ ଗୁରୁତର ଆହତ ହୋଇଥିଲେ । ପୂର୍ବରୁ ସେମାନେ କୀର୍ତ୍ତିଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିବାରୁ ସେ ରାତିରେ ହିଁ ଆସି ସମସ୍ତଙ୍କ ନାମରେ ଥାନାରେ ଲିଖିତ ଏତଲା ଦେଇଥିଲେ । ଏ ସମ୍ପର୍କରେ ପୁଲିସ ଥାନା କେସ ନଂ ୨୯୬/୨୩ରୁଜୁ କରି ତଦନ୍ତ ଜାରି ରଖିଥିଲା । ଅପରପକ୍ଷରେ ଗ୍ରାମର ନରେଶ ନାଗ ଥାନାରେ ଦେଇଥିବା ଏତଲା ମତେ ପଞ୍ଚାୟତ ନିକଟରେ ପଞ୍ଚାୟତ ରାତ୍ରୀ ଜଗୁଆଳୀ କୀର୍ତ୍ତିଚନ୍ଦ୍ର ନାଏକଙ୍କ ସହ ଭାଗିରଥି ଜାନୀ, ସୌରଭ ସିଂ ମାଝୀ, ମଚିନ୍ଦ୍ର ସିଂ ମାଝୀ, ସାମସନ ମେହେର, କର୍ଣ୍ଣ ବେହେରା, ରୁଦୁଲ ସୁନାନୀ ଓ ମକରଧ୍ଵଜ ସାହୁ ସେମାନଙ୍କୁ ଅଶ୍ଲୀଳ ଗାଳିଗୁଲଜ କରିବା ସହ ଘରମାନଙ୍କୁ ଯାଇ ଇଟା ପଥର ମାରି ଗଣ୍ଡଗୋଳ କରିଥିବା ସେ ନିଜ ଏତଲାରେ ଉଲ୍ଲେଖ କରିଥିଲେ । ନରେଶଙ୍କ ଏତଲା ଆଧାରରେ ପୁଲିସ କେସ ନଂ ୨୯୭/୨୩ରେ ଏଟ୍ରୋସିଟି ମାମଲା ରୁଜ୍ଜୁ କରି କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ସୋମବାର ଦିନ ତମାମ ଏହି ଘଟଣାକୁ ନେଇ ଗୁଡିଘାଟ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଥାନା ପରିସରରେ ମଧ୍ୟ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ରାତ୍ରୀ ଜଗୁଆଳୀ କୀର୍ତ୍ତିଚନ୍ଦ୍ର ନାଏକଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ୫ଜଣଙ୍କୁ ଆଣି ଉତ୍ତେଜନାକୁ ଦେଖି ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ ଅଟକ ରଖିବା ସହ ଗିରଫ କରିଥିଲା । ସନ୍ଧ୍ୟାରେ ୫ଜଣଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟରେ ସେମାନଙ୍କ ଜାମିନ ଆବେଦନ ମଞ୍ଜୁର ହୋଇଥିବା ବେଳେ ସମସ୍ତ ଘଟଣା ଓ ଗ୍ରାମରେ ଉତ୍ତେଜନାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.