କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରବିବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ତେଲିମୁଣ୍ଡାଠାରେ ଏକ ଅଟୋ ରିକ୍ସା ବ୍ରିଜର ୨୦ଫୁଟ ତଳକୁ ଖସି ପଡିଥିବା ବେଳେ ଚାଳକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତ ଚାଳକ ଜଣକ ହେଲେ ରତଙ୍ଗ ପଞ୍ଚାୟତ ଡେଲାରପଡା ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ । ସୂଚନା ଅନୁଯାୟୀ, ସିଦ୍ଧାନ୍ତ ରବିବାର ନିଜ ଅଟୋରେ କିଛି ଲୋକଙ୍କୁ ନେଇ ଦୀପାବଳି ଯାତ୍ରା ଦେଖିବା ପାଇଁ ନୂଆପଦର ଯାଇ ଘରକୁ ଫେରି ନଥିଲେ । ସୋମବାର ସକାଳୁ ବନ୍ଧଗଡ଼ ନିକଟ ତେଲିମୁଣ୍ଡା ବ୍ରିଜ ତଳେ ପାଣି ଭିତରେ ଏକ ଅଟୋ ବୁଡ଼ି ରହିଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ । ଦମକଳ ବାହିନୀ ଆସି ପାଣିରୁ ଅଟୋ ରିକ୍ସା ବାହାର କରିବା ପରେ ଗାଡି ଭିତରୁ ସିଦ୍ଧାନ୍ତଙ୍କ ମୃତଦେହ ବାହାରିଥିବା ଜଣାପଡିଛି । ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସିଦ୍ଧାନ୍ତ ଫିରିଙ୍ଗିଆ କଲେଜରେ ଅଧ୍ୟୟନ କରିବା ସହ ମାସେ ତଳେ ଅଟୋ ରିକ୍ସା କିଣି ନିଜେ ଚଳାଉଥିଲେ ବୋଲି ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ସିଦ୍ଧାନ୍ତଙ୍କ ଅଟୋଟି ବ୍ରିଜ ତଳକୁ ଖସିଲା ଓ କିଭଳି ଭାବେ ତାଙ୍କର ମୃତ୍ୟ ଘଟିଲା ତାହାର ଅଧିକ ତଦନ୍ତ ଫିରିଙ୍ଗିଆ ପୋଲିସ ଆରମ୍ଭ କରିଛି । ଏହି ସ୍ଥାନରେ ହିଁ ଗତ ମାସରେ ଫୁଲବାଣୀ ବଡ ମେଡିକାଲର ମହାପ୍ରୟାଣ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ପୋଲ ତଳକୁ ଖସିପଡିଥିଲା । ଏଠାରେ ଗତ ଏକ ମାସ ମଧ୍ୟରେ ୬ଟି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।