ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟି ଓ ଜିଲ୍ଲା ଟାସ୍କ ଫୋର୍ସ କମିଟିର ତୈମାସିକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗ, ଶିଶୁ ମଙ୍ଗଳ ସମିତି, ଶିଶୁ ନ୍ୟାୟ ବୋର୍ଡ, ବେସରକାରୀ ଅନୁଷ୍ଠାନରୁ ଉପସ୍ଥିତ ଥିଲେ । ଏହି ବୈଠକକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ମିଶନ ବାତ୍ସଲ୍ୟ ଯୋଜନା ଉପରେ ଥିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଯଥା – ଶିଶୁ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ପୃଷ୍ଠ ପୋଷକତା ରାଶି, ୧୮ ବର୍ଷ ପରର ଯତ୍ନ ବା ଫୋଷ୍ଟର କେୟାର, ମିଶନ ବାତ୍ସଲ୍ୟ ଗାଇଡ଼ ଲାଇନ ଅନୁସାରେ ଗ୍ରାମ ପଞ୍ଚାୟତ ଓ ପୌରସଭା ଗୁଡ଼ିକର ଭୂମିକା, ବାଲ୍ୟ ବିବାହ ନିଷେଧ, ଶିଶୁ ଶ୍ରମିକ ପ୍ରଥା ଲୋପ, ଅଣ ଆନୁଷ୍ଠାନିକ ଜିଲ୍ଲାସ୍ତରୀୟ ଯୋଜନା ଉପରେ ବିଶଦ ଭାବେ ଜଣାଇବା ସହ ଜିଲ୍ଲାର ସଫଳତା ଉପରେ କହିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲିଙ୍ଗଗତ ଭେଦଭାବ, ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଶେଷ ଧ୍ୟାନଦେବା ପାଇ ସମସ୍ତଙ୍କୁ ଅବଗତ କରିଥିଲେ । ଏହି ବୈଠକରେ ଅରୁଣା ଓ ସିଆରଏସର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି କହିଲେ ଗ୍ରାମ ପଞ୍ଚାୟତରେ ୫% ଅଣ ସଂରକ୍ଷିତ ପାଣ୍ଠିରୁ ଶିଶୁଙ୍କ ବିକାଶ ପାଇଁ ଅର୍ଥ ଜିପିଡ଼ିପି ଯୋଜନାରେ ସାମିଲ କରିବାକୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ । ୟୁନିସେଫ୍ର ଜିଲ୍ଲା ପରାମର୍ଶଦାତା ସନ୍ଧ୍ୟାରାଣୀ ପତି ବାଲ୍ୟ ବିବାହ ନିଷେଧ ଓ ଆଦ୍ୱିକ କାର୍ଯ୍ୟକ୍ରମରେ ଜଣାଇଥିଲେ । ଏହି ଅବସରରେ ୟୁନିଟର ଆନୁଷ୍ଠାନିକ ଅଧିକାରୀ ଚୂଡ଼ାମଣି ପଣ୍ଡା, ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷକ ଅଧିକାରୀ ଦିଗମ୍ବର କର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
Next Post