jayashree

ବଲାଙ୍ଗିର ଜିଲ୍ଲା ପରିଦର୍ଶନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

  • ଯୁବ ଖେଳାଳୀଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ୧୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା
  • ଜବାହାରଲାଲ କଲେଜରେ ୧ କୋଟି ବ୍ୟୟ ବରାଦରେ ମଲ୍ଟିପରପୋଜ୍ ହଲ୍ ନିର୍ମାଣ ଘୋଷଣା
  • ଗାନ୍ଧୀ ଷ୍ଟାଡିୟମରେ ୩ କୋଟି ୩୦ ଲକ୍ଷ ବ୍ୟୟ ବରାଦରେ ଫ୍ଲୋଡ୍ ଲାଇଟ୍ ନିର୍ମାଣ ଘୋଷଣା
  • ୧୩୨ ଟି ସିସିଟିଭି କ୍ୟାମେରାର ତଦାରଖ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପରିଦର୍ଶନରେ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ପଶ୍ଚିମ ଓଡିଶା ଗସ୍ତର ପ୍ରଥମ ଦିନରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ବିଭିନ୍ନ ଦାବୀକୁ ଗୁରୁତ୍ୱ ଦେଇ ସହାୟତା ରାଶି ଘୋଷଣା କରିଛନ୍ତି ଶ୍ରୀ ତ୍ରିପାଠୀ ।

ଜବାହାରଲାଲ କଲେଜ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା କରି ଉକ୍ତ କଲେଜରେ ଏକ ମଲ୍ଟିପର୍‌ପୋଜ୍ ହଲ୍ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ରାଜେନ୍ଦ୍ର କଲେଜ ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଫ୍ଲୋଡ୍ ଲାଇଟ୍‌ର ବ୍ୟବସ୍ଥା କରିବା ପାଇଁ ୩ କୋଟି ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ଶ୍ରୀ ତ୍ରିପାଠୀ । ଘିକୁଣ୍ଡି ଗ୍ରାମର ଉଦ୍ୟୋଗୀ ନମିତା ନାଏକଙ୍କ ୫୬ ଲକ୍ଷର ରାଉତ କୁକୁଡା ଫାର୍ମ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୯ ଲକ୍ଷର ସବସିଡି ଦ୍ଵାରା ସମସ୍ତ ଚାଷୀ ଲାଭବାନ ହେବେ ବୋଲି ଚାଷୀ ଚିନ୍ତାମଣି ରାଉତ ପ୍ରକାଶ କରିଥିଲେ । ଏହା ପରେ ପାଟଣାଗଡ଼ ବ୍ୟାଡ୍‌ମିଣ୍ଟନ ଇଣ୍ଡୋର ଷ୍ଟାଡିୟମରେ ଖେଳାଳିଙ୍କ ସହ ଆଲୋଚନା କରିଥିଲେ । ସେ ଷ୍ଟାଡିୟମର ପରିପାର୍ଶିକ ବିକାଶ ନିମନ୍ତେ ୧୫ଲକ୍ଷ ଟଙ୍କାର ଘୋଷଣା କରିଥିଲେ । ଏହା ଦ୍ଵାରା ଯୁବ ଖେଳାଳିମାନେ ଉପକୃତ ହୋଇପାରିବେ । ପରେ ପାଟଣାଗଡ ବ୍ଲକର ରାମପୁରରେ ଯୁବ ଉଦ୍ୟୋଗୀ ଜ୍ଞାନେନ୍ଦ୍ର ଜୈନଙ୍କ ଆଇସ୍‌କ୍ରିମ ଫ୍ୟାକ୍ଟରୀ ବୁଲି ଦେଖିଥିଲେ । ଜିଲ୍ଲା ପ୍ରଶାସନ ସାହାଯ୍ୟରେ ସେ ଏହି ଉଦ୍ୟୋଗକୁ ସଠିକ ଭାବେ ଚଳାଇବା ସହ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେଇପାରିଛନ୍ତି ବୋଲି ଶ୍ରୀ ତ୍ରିପାଠୀଙ୍କୁ ଜଣାଇଥିଲେ । ପଶ୍ଚିମ ଓଡିଶାର ମୁଖ୍ୟ ଶୈବପୀଠ ହରିଶଙ୍କର ବୁଲି ଦେଖିବା ସମୟରେ ପ୍ରବେଶ ପଥ, ପାର୍କିଂ, ଭିଉ ପୋଏଣ୍ଟ, ପାଚେରୀ ଆଦି ବୁଲି ଦେଖିବା ସହ କାମର ସମୀକ୍ଷା ମଧ୍ୟ କରିଥିଲେ । ଡିସେମ୍ବର ଶେଷ ସୁଦ୍ଧା ଏହି କାମ ସାରିବା ସହ ହରିଶଙ୍କର ଏବଂ ନୃସିଂହନାଥ ବିକାଶ ମୁଖ୍ୟମନ୍ତ୍ରୀଙ୍କର ସ୍ଵପ୍ନର ପ୍ରକଳ୍ପ ବୋଲି କହିଥିଲେ । ଏହାପରେ ସେ ଯୋଗୀମୁଣ୍ଡାର ଆଇଟିଆଇ ବୁଲିବା ସହ ୪ଟି ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପାଇପ, ଫିଟର୍‌, ଇଲେକ୍ଟ୍ରିସିଆନ, ପୋଷାକ ତିଆରିର ଛାତ୍ରଛାତ୍ରୀଙ୍କ ସହ ସ୍କିଲ ଇନ୍‌ ଓଡିଶା ଦ୍ଵାରା ସେମାନେ ରୋଜଗାରକ୍ଷମ ହେବା ସହ ଭବିଷ୍ୟତ ଭଲ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟାଳୟରେ ଥିବା ପାଠାଗାରର ଉନ୍ନତିକରଣ ପାଇଁ ୪ଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଯୋଗାଇ ଦିଆଯିବା ନେଇ ସେ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ୧୩୨ଟି ସିସିଟିଭି କ୍ୟାମେରାର ତଦାରଖ କରିଥିଲେ । ପରିଦର୍ଶନରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ସମେତ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ବିଶେଷଜ୍ଞ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.