ପାଟଣାଗଡ, (କେପିଏନ୍ଏସ୍) : ସ୍ଥାନୀୟ ସୁଭଦ୍ରା ଭବନଠାରେ ଆୟୋଜିତ ସର୍ବ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଡିଭିଜନ ସମ୍ପାଦକ ଦଶରଥ ଦାଶ ସଭା ପରିଚାଳନା କରିଥିଲେ । ସଭାରେ ସଂଘର କର୍ମକର୍ତ୍ତାମାନେ ଗ୍ରାମୀଣ ଡାକ ସେବକମାନଙ୍କ କର୍ତ୍ତବ୍ୟ, ସମସ୍ୟା, ଦାବୀ, ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ । ପରେ ଡାକ କର୍ମଚାରୀମାନଙ୍କ ସମସ୍ୟା ସମ୍ବଳିତ ସ୍ମାରକପତ୍ର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ପ୍ରଦାନ କରିଥିଲେ । ଦାବୀଗୁଡିକ ମଧ୍ୟରେ ଗ୍ରାମୀଣ ଡାକ ସେବକମାନଙ୍କ ଗ୍ରାଚୁଇଟି ୫ ଲକ୍ଷ ଟଙ୍କା ବୃଦ୍ଧି କରିବା, ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୮ ଘଣ୍ଟା ଧାର୍ଯ୍ୟ କରିବା, ବୀମା ରାଶି ୫ ଲକ୍ଷ ଟଙ୍କା ବୃଦ୍ଧି, ଡାକ ସେବକ ଏବଂ ପରିବାର ସଦସ୍ୟଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଦଶ ଲକ୍ଷ ଟଙ୍କା ମଞ୍ଜୁର କରିବା ପ୍ରଭୃତି । ପାର୍ଲିଆମେଣ୍ଟର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବାକୁ ଥିବା ପୋଷ୍ଟ ଅଫିସ ବିଧେୟକ ୨୦୨୩ରେ ଡାକ ବିଭାଗର ସ୍ୱାର୍ଥ ସୁରକ୍ଷା ଦିଗରେ ଆଲୋଚନା କରିବାକୁ ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ ।