ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ତଟ-ରକ୍ଷା ବାହିନୀ ଗୋପାଳପୁର ଷ୍ଟେସନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବେଳାଭୂମି ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ହୁମ୍ମା ସମୁଦ୍ରକୂଳ ବେଳାଭୂମିସ୍ଥ ବଟେଶ୍ୱର ପର୍ଯ୍ୟଟନ କ୍ଷେତ୍ରରେ ଶନିବାର ଆୟୋଜିତ ଏହି ସ୍ୱଚ୍ଛତା ଦିବସ ଅବସରରେ ଗୋପାଳପୁର ଆର୍ମି-ଏ.ଡ଼ି.କଲେଜର କମାଣ୍ଡେଣ୍ଟ ତଥା ଲେଫ୍ଟନାଣ୍ଟ ଜେନେରାଲ ୟୁ.ଭି. ତାଲୁର ଭି.ଏସ୍.ଏମ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ସମୁଦ୍ରକୂଳ ତଟରକ୍ଷାର ସୁରକ୍ଷା ସହିତ ପରିମଳ ସ୍ୱଚ୍ଛତା ଉପରେ ଜନସାଧାରଣ ବିଶେଷଧ୍ୟାନ ରହିବା ଜରୁରୀ ବୋଲି କହିଛନ୍ତି । ଇଣ୍ଡିଆନ କୋଷ୍ଟ-ଗାର୍ଡ କମାଣ୍ଡେଣ୍ଟ ପ୍ରତୀପ ମୋଦକ, ଅତିରିକ୍ତ କମାଣ୍ଡେଣ୍ଟ ଧନଞ୍ଜୟ କୁମାର ମିଶ୍ରା, କୋ-ଅର୍ଡିନେଟର ସାଧବୀ ସିନ୍ଦୂରା, ଗୋପାଳପୁର ପୋର୍ଟ ସିଇଓ ଭି.ଜନାର୍ଦ୍ଧନ ରାଓ, ଟାଟା ଷ୍ଟିଲ ଫାଉଣ୍ଡେସନ୍ର ଏଚ୍.ଆର୍ ରୋକି ମାର୍ଟିନ, ଫରେଷ୍ଟ ରେଞ୍ଜର ଏସ୍.ଏସ୍. ସାହୁ ପ୍ରମୁଖ ଏହି ସ୍ୱଚ୍ଛତା ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଇଣ୍ଡିଆନ୍ କୋଷ୍ଟ ଗାର୍ଡ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନର ମିଳିତ ସୌଜନ୍ୟରେ ଏହି ଆନ୍ତର୍ଜାତୀୟ ବେଳାଭୂମି ସ୍ୱଚ୍ଛତା ଦିବସ ପାଳନ ହୋଇ ସମୁଦ୍ର କୂଳର ସ୍ୱଚ୍ଛତା ଓ ପରିମଳ ପରିଚ୍ଛନ୍ନତା ଉପରେ ସମାଜକୁ ବାର୍ତ୍ତା ଦିଆଯାଇଛି । ଗୋପାଳପୁର କଲେଜ, ଗୋପାଳପୁର ପୋର୍ଟ କର୍ମଚାରୀ, ଗଞ୍ଜାମ ଏନ୍ଏସି କର୍ମଚାରୀ, ଲବଣ ଶ୍ରମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ସମୂହ ମିଳିତ ହୋଇ ପ୍ରାୟତଃ ୭ କିମି ପର୍ଯ୍ୟନ୍ତ ବେଳାଭୂମି ସଫେଇ କାର୍ଯ୍ୟରେ ସାମିଲ ହୋଇ ସମୁଦ୍ରକୂଳର ପରିମଳ ସଫେଇ କାର୍ଯ୍ୟ କରିଥିଲେ । ସର୍ବୋପରି ବେଳାଭୂମିରେ ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ସହ ସାମୁଦ୍ରିକ ଜଳଜ ପ୍ରାଣୀଙ୍କ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ଜରୁରୀ ବୋଲି ମତପ୍ରକାଶ ପାଇଛି ।