jayashree

ରାଜ୍ୟ କ୍ୟାବିନେଟରେ ଚାଷୀଙ୍କଠାରୁ ଧାନ ଅଧିକ ସଂଗ୍ରହ ନିଷ୍ପତ୍ତି କେବଳ ଧୂଆଁବାଣ ଓ ପ୍ରତାରଣା : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ରାଜ୍ୟ ସରକାର ଚାଷୀଙ୍କ ସବୁ ଧାନ ସଂଗ୍ରହ କରିବେ ଏବଂ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବ ନାହିଁ ବୋଲି ଗତକାଲି ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକରେ ଯାହା ନିଷ୍ପତ୍ତି ହୋଇଛି ତାହା କେବଳ ଧୂଆଁବାଣ ଓ ଓଡ଼ିଶା ଚାଷୀଙ୍କୁ ପ୍ରତାରଣା ଛଡା ଅନ୍ୟ କିଛି ନୁହେଁ ବୋଲି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଖରିଫ ବିପଣନ ବର୍ଷ ୨୦୨୩ – ୨୪ ପାଇଁ ଖାଦ୍ୟ ଓ ସଂଗ୍ରହ ନୀତିକୁ ଅନୁମୋଦନ କରାଯିବା ପରେ ଚାଷୀଙ୍କ ସମସ୍ତ ଧାନ ସଂଗ୍ରହ ପାଇଁ ସରକାର ଘୋଷଣା କରିଥିଲେ । ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି ଯେ, ପଡୋଶୀ ଛତିଶଗଡ ରାଜ୍ୟ ଓଡ଼ିଶାଠାରୁ ବହୁ ଛୋଟ ରାଜ୍ୟ ହୋଇଥିବା ବେଳେ ବର୍ଷକୁ ପାଖାପାଖି ୮୦ ଲକ୍ଷ ମେଟ୍ରିକ ଟନ ଧାନ ଚାଷୀମାନଙ୍କଠାରୁ କିଣୁଛି କିନ୍ତୁ ବିଜୁ ଜନତା ଦଳର ସରକାର ଦୀର୍ଘ ୨୪ ବର୍ଷ ଓଡ଼ିଶାରେ ନିରବଚ୍ଛିନ୍ନ ଶାସନ କରୁଥିଲେ ମଧ୍ୟ ଓଡ଼ିଶାର ଚାଷୀ ୬୦ ଭାଗ ଧାନ ମଧ୍ୟ କିଣି ପାରୁନାହିଁ ଓ ଓଡ଼ିଶାର ଚାଷୀ ପ୍ରତିବର୍ଷ ଅଭାବୀ ବିକ୍ରିର ଶିକାର ହେଉଛି । ଧାନ ବିକ୍ରି ପାଇଁ ପଞ୍ଜିକରଣ କରୁଥିବା ଚାଷୀମାନଙ୍କ ମଧ୍ୟରୁ ଗତବର୍ଷ ୨ ଲକ୍ଷ ଚାଷୀ ମଣ୍ତିରେ ଧାନ ବିକ୍ରି କରି ପାରି ନାହାଁନ୍ତ, ସରକାର ଚାଷୀଙ୍କୁ ଯୋଗାଇ ଦେଇଥିବା ଟୋକନ ଲେପ୍ସ ହୋଇ ଯାଉଥିବା ବେଳେ ସରକାର ଧାନ ବିକ୍ରିର କୌଣସି ବିକଳ୍ପ ବ୍ୟବସ୍ଥା ଆଜି ଯାଏିଁ କରି ପାରିଲେ ନାହିଁ । ଦୁର୍ଭାଗ୍ୟ ବିଷୟ ଏହା ଯେ ରାଜ୍ୟ ସରକାର ଧାନ ଗଛିତ ରଖିବା ପାଇଁ ଆବଶ୍ୟକ ଗୋଦାମ ଘର ମଧ୍ୟ ୨୪ ବର୍ଷରେ ନିର୍ମାଣ କରି ପାରିଲେ ନାହିଁ । ମାତ୍ର ୨୦ ଲକ୍ଷ ମେଟ୍ରିକ ଟନ ଧାନ ରଖିବାର ବ୍ୟବସ୍ଥା ଥିବାବେଳେ ବାକି ଧାନ ଗଛିତ ରଖିବା ପାଇଁ ଓଡ଼ିଶା ସରକାର ମିଲର୍ସମାନଙ୍କ ଉପରେ ନିର୍ଭର କରୁଛି । ଧାନ କିଣା ବିକାରେ ସବୁଠୁଁ ବଡ ଘୋଟାଲା ଓଡ଼ିଶାରେ ହେଉଛି ଓ ଓଡ଼ିଶାର ଚାଷୀ ଶୋଷଣର ଶିକାର ହେଉଛି । ଚାଷୀ ମଣ୍ତିକୁ ଧାନ ବିକ୍ରି ପାଇଁ ନେଉଥିବା ବେଳେ ପ୍ରତି କ୍ବିଣ୍ଟାଲ ଧାନରେ ମିଲର୍ସମାନେ ୪ କେଜିରୁ ୫ କେଜି ଧାନ କଟନି ଛଟନି କରୁଥିବାରୁ ଏଥିରେ ଓଡ଼ିଶାର ଚାଷୀ ବର୍ଗକୁ ୬ ଶହ କୋଟି ଟଙ୍କାର ଶୋଷଣ ହେଉଛି । ସର୍ବନିମ୍ନ ସହାୟକ ମୂଲ୍ୟରୁ କମ ଦରରେ ଧାନ କିଣିଲେ ମିଲର୍ସଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ହେବ ବୋଲି ବିଧାନ ସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଘୋଷଣା କରିଥିବା ବେଳେ ୪ କେଜିରୁ ୫ କେଜି କ୍ବିଣ୍ଟାଲ ପ୍ରତି ଚାଷୀଙ୍କ ଧାନ କାଟୁଥିବା ଗୋଟିଏ ମିଲର୍ସ ବିରୋଧରେ ସରକାର ପଦକ୍ଷେପ ନେଲେ ନାହିଁ ତେବେ ବର୍ଷକୁ ୬ ଶହ କୋଟି ଟଙ୍କା ଧାନରୁ ଚାଷୀଙ୍କ ଠୁଁ ଆଦାୟ କରାଯାଉଥିବା କଳା ଟଙ୍କାରୁ ବିଜୁ ଜନତାଦଳର ଦଳୀୟ ପାଣ୍ଠି କେତେ ତାର ଉତ୍ତର ଚାଷୀଙ୍କୁ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ ସରକାରଙ୍କୁ ଆହ୍ବାନ କରିଛନ୍ତି । ସୋହେଲା ଚାଷୀ ସମାବେଶରେ ୨୦୧୬ ମସିହାରେ ଓଡିଶାରେ ଚାଷୀଙ୍କୁ ଏକ କ୍ବିଣ୍ଟାଲ ଧାନରେ ଶହେ ଟଙ୍କା ବୋନସ ଦେବା, ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଆଜିଯାଏଁ ଚାଷୀଙ୍କୁ ବୋନସ ତ ଦେଲେ ନାହିଁ ବରଂ କଟନି ଛଟନି ଜରିଆରେ ପ୍ରତ୍ୟେକ ଚାଷୀଙ୍କ ଠାରୁ ବର୍ଷକୁ ୨୦ରୁ ୪୦ ହଜାର ଟଙ୍କା ଲୁଟି ନିଆଯାଉଛି ବୋଲି ଅଭିଯୋଗ କରିଛନ୍ତି । ୨୪ ବର୍ଷରେ ବିଜୁ ଜନତା ଦଳର ସରକାରଙ୍କ ଓଡ଼ିଶାର ଚାଷୀଙ୍କୁ କେବଳ ପ୍ରତାରଣା ଓ ଶୋଷଣ କରିଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାର ଚାଷୀମାନେ ବିଜୁ ଜନତାଦଳକୁ ଉଚିତ୍‌ ଜବାବ ଦେବେ ବୋଲି ଶ୍ରୀ ପ୍ରଦୀପ ପୁରୋହିତ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.