jayashree

ଦୁଗ୍ଧ ଚାଷୀଙ୍କୁ ଗୁହାଳ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କଲେ ନରସିଂହ

  • ଯୋଜନାର ସଫଳ ରୂପାୟନ ପାଇଁ ଅଧିକାରୀମାନେ ଯତ୍ନବାନ ହୁଅନ୍ତୁ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ଆର୍ଥିକ ଅନଗ୍ରସର ଲୋକଙ୍କୁ ରୋଜଗାର ପ୍ରଦାନ ପାଇଁ କଂଗ୍ରେସ ସରକାର ଅମଳରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଆରମ୍ଭ ହୋଇଥିଲା । ଲକ୍ଷ୍ୟ ଥିଲା ଗରିବ ଲୋକଙ୍କ ରୋଜଗାର ନିଶ୍ଚିତ କରିବା । ପରବର୍ତ୍ତି ସମୟରେ ଅନ୍ୟ ସରକାରମାନେ ମଧ୍ୟ ଏହି ଯୋଜନାକୁ ଜାରି ରଖିଲେ ଏହି ଲୋକାଭିମୁଖୀ କୃଷକ ଶ୍ରମିକଙ୍କ ଉଦ୍ଦେଶ୍ୟରେ ହୋଇଥିବା ଯୋଜନା ଯେପରି କେବଳ କାଗଜ କଳମରେ ସୀମିତ ନ ରହି ହିତାଧିକାରୀ ଠିକ୍‌ ଏହାର ଲାଭ ପାଇ ପାରିବେ ସେ ଦିଗରେ ଅଧିକାରୀ ଓ ପଂଚାୟତସ୍ତରୀୟ ଲୋକ ପ୍ରତିନିଧିମାନେ ସମ୍ବେଦନଶୀଳ ହୋଇ କାମ କରନ୍ତୁ ବୋଲି ଆଜି ଏହି ଯୋଜନା ମାଧ୍ୟମରେ ଓମ୍‌ଫେଡ୍‌ ସହି ମିଶି ଆମ ଅଂଚଳର ଦୁଗ୍ଧଚାଷୀମାନଙ୍କୁ ତାଙ୍କ ଗାଈମାନଙ୍କ ପାଇଁ ଗୁହାଳ ନିର୍ମାଣ ନିମିତ୍ତ କାର୍ଯ୍ୟାଦେଶ ବଣ୍ଟନ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସ୍ଥାନୀୟ ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ସମୟରେ ହିତାଧିକାରୀମାନେ ନିର୍ମାଣ କାମ ସାରିବା ପରେ ମଧ୍ୟ ଟଙ୍କା ପାଉ ନ ଥିବାର ଅଭିଯୋଗ କରୁଛନ୍ତି, ଯେତେବେଳେ କି ନିୟମ କହୁଛି ଶ୍ରମିକ କାମ କରିସାରିବା ପରେ ତୁରନ୍ତ ତାଙ୍କ ଟଙ୍କା ପାଇବା କଥା, ଏହାକୁ ସୁନିଶ୍ଚିତ କରିବା ବିଭାଗୀୟ ଅଧିକାରୀମାନଙ୍କର ଦାୟିତ୍ୱ ଅଟେ । ଆମ ଅଂଚଳରେ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଇଁ କରୁଥିବା କାମ ପ୍ରଶଂସନୀୟ ଅଟେ, ସେମାନେ ଚାଷୀଙ୍କ ହିତ ପାଇଁ କରୁଥିବା ଯୋଜନା ଜାରି ରଖିବା ଦରକାର । କିନ୍ତୁ ଦଃଖର ବିଷୟ ଏଠାରେ କିଛି ଲୋକ ଏପରି ଶ୍ରମିକ ହିତାଧିକାରୀ କାର୍ଯ୍ୟକ୍ରମ ଯେପରି ସଫଳ ନ ହେବ ସେଥିପାଇଁ ଅଯଥା ରାଜନୀତି ପୁରାଉଛନ୍ତି, ଗାଁ ଗାଁ ଯାଇ ସେମାନେ ଏହି ଯୋଜନା ଓ କାର୍ଯ୍ୟକ୍ରମ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି, ମୋର ଅନୁରୋଧ ସେମାନେ ଏଥିରୁ କ୍ଷାନ୍ତ ରହି ଲୋକେ ଯେପରି ଏହି ଯୋଜନାରୁ ଲାଭ ପାଇ ପାରିବେ ସେ ଦିଗରେ ଅଧିକାରୀ ଓ ହିତାଧିକାରୀମାନଙ୍କୁ ସହଯୋଗ କରିବା ଦରକାର ।

ଏଠାରେ ସୂଚନାଯୋଗ୍ୟ ଯେ, ବ୍ଲକସ୍ତରୀୟ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାକ୍ତର ଇସ୍ପିତା ପାତ୍ର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ସହକାରୀ ଯନ୍ତ୍ରୀ ନେନସି ରାଣୀ ପୁର୍ତ୍ତି, ଓମ୍‌ଫେଡ୍‌ ଅଧିକାରୀ ଶ୍ରୀ ପଣ୍ଡା, ଏ.ପି.ଓ. ରେଶମା ବାନୋ ପ୍ରମୁଖ ଉପସ୍ଥିତ ଥିଲେ ହେଁ ବ୍ଲକ ଅଧ୍ୟକ୍ଷାଙ୍କ ଅନୁପସ୍ଥିତି ଦୁଗ୍ଧ ଚାଷୀମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ଥିଲା । ଆଜି ଶିବିରରେ ଶିକାଛିଡା, ଭୁତିଆର ବାହାଲ, ବାରପୁଡୁଗିଆ ଓ ଶିବତଲା ପଂଚାୟତର ଷାଠିଏ ଜଣ ହିତାଧିକାରୀଙ୍କ ଗୁହାଳ ମଞ୍ଜୁରୀ ହୋଇଥିବା ସ୍ଥଳେ ଶିବତଳା ଓ ଭୁତିଆରବାହାଲର ଦୁଗ୍ଧ ଉତ୍ପାଦନକାରୀ ସମବାୟ ସଂସ୍ଥାର ସମସ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.