ଗୋରୁ ମକା ଚାଷ ଖାଇ ଦେବାରୁ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା : ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ଅଭିଯୁକ୍ତ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ାରେ ଜଣେ ଗାଈ ଚରାଳିଙ୍କୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଖାରିଗୁଡ଼ାର ମାଦି ପଡ୍ରା (୫୫) । ଏନେଇ ଶୁକ୍ରବାର ବ୍ରାହ୍ମଣୀ ଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୋଗରେ ମୃତ ମାଦି ପଡ୍ରାଙ୍କ ପୁଅ ଧର୍ମେନ୍ଦ୍ର ପଡ୍ରା କହିଛନ୍ତି ଯେ, ପ୍ରତିଦିନ ଭଳି ତାଙ୍କ ବାପା ଗାଈ ଚରାଇବା ପାଇଁ ଗୁରୁବାର ପୂର୍ବାହ୍ନରେ ବାହାରିଥିଲେ ହେଲେ ଅପରାହ୍ନ ୪ ଟାରେ କେବଳ ଗାଈ ଗୋଠ ଗ୍ରାମରେ ପହଞ୍ଚିଥିବା ବେଳେ ତାଙ୍କ ବାପା ପହଞ୍ଚି ନ ଥିଲେ । ସେ ଓ ତାଙ୍କ ମା’ ସିକମାଙ୍ଗା ଦୁହେଁ ବାପାଙ୍କୁ ଖୋଜିବାକୁ ବାହାରିଥିଲେ । ଏହି ସମୟରେ ଏକ ପଦରରେ ତାଙ୍କ ବାପାଙ୍କୁ କେହି ଗୁଳି କରି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଏନେଇ ସେମାନେ ଗାଁକୁ ଆସି ସମସ୍ତଙ୍କୁ ଜଣାଇଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିସହ ତାଙ୍କ ବାପାଙ୍କୁ ପୂର୍ବ ଶତ୍ରୁତାରୁ ଜଣେ ହତ୍ୟା କରିବାକୁ ଧମକ ଦେଇଥିବା ମଧ୍ୟ ମୃତ ମାଦିଙ୍କ ପୁଅ ଧର୍ମେନ୍ଦ୍ର ବ୍ରାହ୍ମଣୀ ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପାଧାରି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଅଭିଯୁକ୍ତ ହେଲେ ପଣସପଦର ଗ୍ରାମର ଆକାଶ ପଡ୍ରା । ସେ କହିଛନ୍ତି ସେମାନେ ଆଗରୁ ସେଠାରେ ମକା, ହଳଦୀ, କାଜୁ ଆଦି ଚାଷ କରୁଥିଲେ । ମାଦି ପତ୍ରା ବାରମ୍ବାର ସେଠାରେ ଗୋରୁ ଚରେଇବାରୁ ତାକୁ ସେ ଗୁଳି କରି ହତ୍ୟା କରିଛି ବୋଲି ଅଭିଯୁକ୍ତ ଆକାଶ ପଡ୍ରା ସ୍ୱିକାର କରିଛି ।

Leave A Reply

Your email address will not be published.