ନୃସିଂହନାଥ ମନ୍ଦିରରୁ ଚୋରି ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ସହ ମନ୍ଦିରର ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ଗ୍ରହଣ କରନ୍ତୁ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରେଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରର ମୁଖ୍ୟ ଦ୍ବାର ଭାଙ୍ଗି ମନ୍ଦିର ଭିତରକୁ ଚୋର ମାନେ ପ୍ରବେଶ କରି ମହାପ୍ରଭୁଙ୍କ ସାମନାରେ ଥିବା ହୁଣ୍ତୀ ଭାଙ୍ଗି ୨ ଲକ୍ଷରୁ ଅଧିକ ଟଙ୍କା ଚୋରି କରି ନେବା ଘଟଣା ସାରା ପଶ୍ଚିମ ଓଡିଶାରେ ଆଲୋଡନ ସୃଷ୍ଟି କରିଛି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ନୃସିଂହନାଥ ମନ୍ଦିର ଚୋରି ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହ ଚୋରି ଘଟଣାର ତଦନ୍ତ ଉପରେ ନୃସିଂହନାଥ ମନ୍ଦିର ଏଣ୍ଟିକା ଟ୍ରଷ୍ଟି ତଥା ବିଡିଓ ସୁରେନ୍ଦ୍ର ନାଥ ସାହୁ ଓ ତଦନ୍ତ କରୁଥିବା ପାଇକମାଲ ଥାନା ଆଇଆଇସି ସୁଶାନ୍ତ କୁମାର ବଢେଇଙ୍କ ସହ କମିଟି ସଦସ୍ୟମାନେ ବିସ୍ତୁତ ଆଲୋଚନା କରିଥିଲେ । କମିଟି ସଦସ୍ୟମାନେ ଚୋରି ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ଚିନ୍ତା ପ୍ରକଟ କରିଥିଲେ । ନୃସିଂହନାଥ ମନ୍ଦିର ପରିଦର୍ଶନ ସାରି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସାମ୍ବାଦିକ ବାର୍ତ୍ତାରେ ମନ୍ଦିର ଚୋରି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା, ଚୋରମାନଙ୍କୁ ଓ ଚୋରି ସହ ସଂପୃକ୍ତ ସମସ୍ତଙ୍କୁ ତୁରନ୍ତ ଗିରଫ କରିବା, ମନ୍ଦିର ସୁରକ୍ଷାର ସଂପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାର ତୁରନ୍ତ ବହନ କରନ୍ତୁ ବୋଲି ଦାବୀ କରିଛନ୍ତି । ବିଜେପିର ଏକ ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ଉପ ସଭାପତି ସରୋଜ ସାମଲ, ବରିଷ୍ଠ ଆଇନଜୀବୀ ରାଜକୁମାର ସାହୁ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା, ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡି, ପାଇକମାଲ ସମିତି ସଭ୍ୟ ଶ୍ରୀମତୀ ନିରୁପମା ନାଗ, ପାଇକମାଲ ସାଂସଦ ପ୍ରତିନିଧି ବଲରାମ ସାହୁ, ଯୁବନେତା ସୁଶାନ୍ତ ନାଗ, ଧନସିଂ ତାଣ୍ଡି, ରୋଶନ ପାଣିଗ୍ରାହୀ, ଯୋଗେନ୍ଦ୍ର ଭୋଇ, ସତ୍ୟ ନାରାୟଣ ବେହେରା, ରାଜେନ୍ଦ୍ର ସେଠ, ଡୁଲାମଣି ବଛା, ରୁକ୍ମଣ ସେଠ, ବିକି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ୧୯୮୪ ମସିହାରେ ମନ୍ଦିରର ମୁଖ୍ୟ ଦ୍ବାର ଭାଙ୍ଗି ଚୋରମାନେ ମାର୍ଜାର କେଶରୀ ନୃସିଂହ ଭଗବାନଙ୍କ ପ୍ରତିମୂର୍ତ୍ତି ଚୋରି କରି ନେଇଥିଲେ । ଏ ଘଟଣା ସେ ସମୟରେ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା । ରାଜ୍ୟ ସରକାରଙ୍କ ପ୍ରସ୍ତାବ ପରେ ଏ ଘଟଣା ସିବିଆଇ ତଦନ୍ତ ହେବା ସହ ଚୋର ମାନଙ୍କୁ ଧରିବାରେ ସିବିଆଇ ସଫଳ ହୋଇଥିଲା ।

Leave A Reply

Your email address will not be published.