ଭାରତ-ଅଷ୍ଟ୍ରେଲିୟା ଶିକ୍ଷା ପରିଷଦର ଷଷ୍ଠ ବୈଠକରେ ମିଳିତଭାବେ ଅଷ୍ଟ୍ରେଲିୟ ପ୍ରତିପକ୍ଷ ମହାମହିମ ଜାସନ କ୍ଲେଆରଙ୍କ ସହ ଅଧ୍ୟକ୍ଷତା କଲେ ଧର୍ମେନ୍ଦ୍ର ପ୍ରଧାନ

  • ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ଦୁଇପକ୍ଷ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ହେଲେ ସହମତ
  • ଭାରତରେ କ୍ୟାମ୍ପସ ସ୍ଥାପନ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିୟ ଶିକ୍ଷାନୁଷ୍ଠାନଗୁଡିକୁ କଲେ ଆମନ୍ତ୍ରଣ
  • ଭାରତୀୟ ଛାତ୍ରଛାତ୍ରୀଙ୍କ ଅଟକିଥିବା ଭିସା ସମସ୍ୟା ପ୍ରସଙ୍ଗ ଉତ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ

ସିଡ୍‌ନୀ, (ପିଆଇବି) : କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଅଷ୍ଟ୍ରେଲିୟ ପ୍ରତିପକ୍ଷ ମହାମହିମ ଜାସନ କ୍ଲେଆରଙ୍କ ସହ ପଶ୍ଚିମ ସିଡ୍‌ନୀ ବିଶ୍ୱ ବିଦ୍ୟାଳୟଠାରେ ଭାରତ ଅଷ୍ଟ୍ରେଲିୟା ଶିକ୍ଷା ପରିଷଦ(ଏଆଇଇସି)ର ଷଷ୍ଠ ବୈଠକରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।
ଦ୍ୱିପାକ୍ଷିକ ବୈଠକରେ ମନ୍ତ୍ରୀଦ୍ୱୟ ଶିକ୍ଷା, କୌଶଳ ବିକାଶ, ଗବେଷଣା, ନବୋନ୍ମେଷ ଓ ଔଦ୍ୟୋଗିକତା କ୍ଷେତ୍ରରେ ସହଯୋଗ ନେଇ ଫଳପ୍ରଦ ଆଲୋଚନା କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିୟ ବିଶ୍ୱବିଦ୍ୟାଳୟ ଓ କୌଶଳ ବିକାଶ ପ୍ରତିଷ୍ଠାନଗୁଡିକୁ ଭାରତରେ ସେମାନଙ୍କ କ୍ୟାମ୍ପସ ସ୍ଥାପନ କରିବା ସହ ଭାରତୀୟ ଶିକ୍ଷାନୁଷ୍ଠାନଗୁଡିକ ସହ ସହଯାଗ ପାଇଁ ସ୍ୱାଗତ କରିଥିଲେ । ସେ ମଧ୍ୟ ଚଳିତବର୍ଷ ଶେଷ ସୁଦ୍ଧା ଭାରତ ପରିଦର୍ଶନରେ ଆସିବାକୁ ମହାମହିମ ଜାସନ କ୍ଲେଆରଙ୍କୁ ଆମନ୍ତ୍ରଣ ଜଣାଇଥିଲେ । ଭାରତ-ଅଷ୍ଟ୍ରେଲିୟା ବ୍ୟାପକ ରଣନୀତିକ ଅଂଶଦାରିତାରେ ଶିକ୍ଷା କ୍ଷେତ୍ରରେ ସହଯୋଗ, କୌଶଳ ବିକାଶ ଓ ଗବେଷଣା ଦୃଷ୍ଟିରୁ ଶିକ୍ଷାକୁ ଏକ ମୁଖ୍ୟ ସହଯୋଗର ସ୍ତମ୍ଭ ବିବେଚନା କରିବାକୁ ଉଭୟ ମନ୍ତ୍ରୀ ସହମତ ହୋଇଥିଲେ ।
ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ପରିଷଦର ଷଷ୍ଠ ବୈଠକରେ ଶ୍ରୀ ପ୍ରଧାନ କହିଥିଲେ ଯେ ଶିକ୍ଷା, କୌଶଳ ବିକାଶ ଓ ଆଗୁଆ ଗବେଷଣା କ୍ଷେତ୍ରରେ ଏଆଇଇସି ହେଉଛି ଉନ୍ନତ ମଞ୍ଚ । ଆସନ୍ତା ବର୍ଷ ଏଆଇଇସିର ସପ୍ତମ ବୈଠକ ଭାରତରେ କରିବାକୁ ସେ ଅଷ୍ଟ୍ରେଲିଆ ପକ୍ଷଙ୍କୁ ନିମନ୍ତ୍ରଣ ଜଣାଇଥିଲେ ।
ଦୁଇ ପକ୍ଷ ମଧ୍ୟରେ ଆୟୁର୍ବେଦ, ଯୋଗ ଓ କୃଷି ଉତ୍ୟାଦି କ୍ଷେତ୍ରରେ ଗବେଷଣା ସହଯୋଗ ଦୁଇଦେଶ ମଧ୍ୟରେ ବୃଦ୍ଧି କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱଆରୋପ କରିଥିଲେ । ସେ ମଧ୍ୟ କୌଶଳ ବିକାଶ ଏବଂ ଖଣି, ଲଜିଷ୍ଟିକ ପରିଚାଳନା ଇତ୍ୟାଦି ଉପରେ ସହଯୋଗ ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଭାରତ ଡିଜିଟାଲ ଓ ଗତି ଶକ୍ତି ବିଶ୍ୱବିଦ୍ୟାଳୟ ସ୍ଥାପନ କରିସାରିଥିବାରୁ ଉଭୟ ଦେଶ ମିଶି ପାଠ୍ୟ ସୂଚୀ ଓ ଅନ୍ୟାନ୍ୟ ବିଷୟରେ କାର୍ୟ୍ୟ କରିପାରିବେ ।
ଅଷ୍ଟ୍ରେଲିୟା ଯିବା ପାଇଁ ଯେଉଁ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଭିସା ପ୍ରଦାନ ବିଚାରଧୀନ ଅଛି ଶ୍ରୀ ପ୍ରଧାନ ସେ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ବିଚାରଧୀନ ଭିସାଗୁଡିକର କାର୍ୟ୍ୟ ତ୍ୱରାନ୍ୱିତ କରିବା ନେଇ ସମସ୍ତ ସହଯୋଗ ପାଇଁ ଅଷ୍ଟ୍ରେଲିଆ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପରେ ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ ଉଭୟେ ଦୁଇଦେଶ ମଧ୍ୟରେ ବିନିମୟ ତଥା ଶିକ୍ଷା ପ୍ରତିଷ୍ଠାନରେ ଉଭୟ ପକ୍ଷର ସ୍ଥାନାନ୍ତର ସମ୍ପର୍କରେ ଏକ କାର୍ୟ୍ୟକାରୀ ଗୋଷ୍ଠୀ ଗଠନ ନିମନ୍ତେ ଘୋଷଣା କରିଥିଲେ । ଦୁଇ ଦେଶ ମଧ୍ୟରେ ଶିକ୍ଷା,କୌଶଳ ବିକାଶ ଓ ଗବେଷଣା କ୍ଷେତ୍ରରେ ଅଭିବୃଦ୍ଧି ଓ ସମୃଦ୍ଧି ନେଇ ଭାରତ ଜ୍ଞାନର ସେତୁ ନିର୍ମାଣ ପାଇଁ ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ ।
ମହାମହିମ ସାରା ମିଶେଲ ଏମଏଲସି, ଏନ୍ଏସ୍ଡବ୍ଲୁ ଶିକ୍ଷାମନ୍ତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଏକ ବିଦ୍ୟାଳୟ ପରିଦର୍ଶନ କରିବେ । ସେ ମଧ୍ୟ ଟିଏଏଫ୍ଇ ଏବଂ ସିଡିନୀ ସ୍ଥିତ ନ୍ୟୁସାଉଥେଓଲ୍ସ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସେଠାରେ ସେ କୁଳପତି ଓ ଅଷ୍ଟ୍ରେଲିଆ ସରକାରଙ୍କ ଶିକ୍ଷା ବିଭାଗର ବରିଷ୍ଠ ପ୍ରତିନିଧିମାନଙ୍କର ସହ ମତ ବିନିମୟ କରିବେ।

Leave A Reply

Your email address will not be published.