ସ୍କୁଲ ଛାତ୍ରଙ୍କ ଉପରେ ଭୁଶୁଡିଲା ଘର କାନ୍ଥ : ୨ ମୃତ, ୫ ଗୁରୁତର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଲୀଗଡ ଜିଲ୍ଲାରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି । ପ୍ରବଳ ବର୍ଷା କାରଣରୁ ନିର୍ମାଣାଧୀନ ଘର କାନ୍ଥ ଭୁଶୁଡି ପଡିବା ଫଳରୁ ୭ ଜଣ ସ୍କୁଲ ଛାତ୍ର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ଜଣାପଡିଛି । ହୁସେନପୁରର ଶେହଜାଦପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି ଯେଉଁଥିରେ ୨ ଜଣ ଛାତ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଛାତ୍ରଙ୍କୁ ଉଦ୍ଧାର କରି ତୁରନ୍ତ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଏବଂ ପରେ ଅଲୀଗଡ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଅଲୀଗଡ ଜିଲ୍ଲା ଦାନ୍ଦୋ ଥାନା ଶେହଜାଦପୁରରେ ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ କାର୍ଯ୍ୟ ଚାଲିଥିଲା । ତେବେ ବର୍ଷା କାରଣରୁ କାର୍ଯ୍ୟ ବନ୍ଦ ଥିଲା । ତେବେ ସେହି ରାସ୍ତା ଦେଇ କିଛି ସ୍କୁଲ ଛାତ୍ର ଫେରୁଥିବା ବେଳେ ନିର୍ମାଣାଧୀନ କାନ୍ଥଟି ହଠାତ୍ ଭୁଶୁଡି ପଡିଥିଲା । କେହି କିଛି ବୁଝିବା ପୂର୍ବରୁ ଛାତ୍ରଙ୍କ ଉପରେ ହିଁ ଭୁଶୁଡି ପଡିଥିଲା କାନ୍ଥ ଏବଂ ସମସ୍ତେ ସେହି ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ ।

ତେବେ ସେଠାରୁ କିଛି ଦୂରରେ ଥିବା ଲୋକେ ତୁରନ୍ତ ସେଠାରେ ପହଞ୍ଚି ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଖବର ପାଇଁ ସ୍ଥାନୀୟ ପୋଲିସ ଜେସିବି ମେସିନ୍‌ ସହ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଅନ୍ୟପଟେ ଗୁରୁତର ୫ଜଣ ଛାତ୍ରଙ୍କୁ ତୁରନ୍ତ ସେଠାରୁ ନେଇ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଅଲୀଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି ଏବଂ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଚିକିତ୍ସା ଜାରି ରଖିଛନ୍ତି । ପୋଲିସ ଘଟଣାର ଅଧିକ ସନ୍ଧାନ ଜାରି ରଖିଛି ।

Leave A Reply

Your email address will not be published.