ଶାରଳା ସାଂସ୍କୃତିକ ପରିଷଦର ସାରଳା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ବାସନ୍ତୀ ପୂଜା ଅବସରରେ ସାରଳା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆର୍ତ୍ତଭଂଜନ ମଲ୍ଲିକଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଅରକ୍ଷିତ କୁମାର ପାତ୍ରଙ୍କ ଆବାହକତ୍ୱ ତଥା ଉପସଭାପତି ଅଶୋକ କୁମାର ବଳଙ୍କ ମଂଚ ସଂଯୋଜନାରେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟଅତିଥି, ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଓ ଅଧ୍ୟାପକ ଡଃ ସଞ୍ଜୟ ହାତୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ସାରଳା ସାହିତ୍ୟ ଆଲୋଚନାରେ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଲେ ଯେ ଆଦିକବି ସାରଳା ଓଡିଶାରେ ଜନ୍ମ ହୋଇନଥାନ୍ତେ ତେବେ ଆଜି ଆମେ ଓଡିଆ ବୋଲି କହିବା ସମ୍ଭବପର ହୋଇନଥାନ୍ତା । ପ୍ରକୃତରେ ଭାଷାହିଁ ଏକ ଜାତିର ପରିଚୟ । ସାରଳା ଏପରି ବୃତ୍ତାନ୍ତ ସୃଷ୍ଟି କରିଛନ୍ତି ଯେ ଯାହା ଖାଣ୍ଟି ଓଡିଆ ବାସ୍ନାରେ ମହକିତ । ସେଥିପାଇଁ ସେ ଆମର ଦିଗଦ୍ରଷ୍ଟା ହୋଇ ରହିଛନ୍ତି । ମୁଖ୍ୟବକ୍ତା ଡଃ ହାତୀ ସାରଳା ସାହିତ୍ୟରେ ନାଟକର ଉପାଦାନ ଓ ବେଲାଳସେନ ସଂପର୍କରେ ଏକ ବଳିଷ୍ଠ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ଅନୁଷ୍ଠାନର ଦୀର୍ଘ ବର୍ଷର ଯାତ୍ରା ସଂପର୍କରେ ବକ୍ତବ୍ୟ ରଖିଥିଲେ ଓ ନିକଟ ଭବିଷ୍ୟତରେ ପରିଷଦର ଏକ ପାଠାଗାର ପୂର୍ଣ୍ଣ ରୂପରେଖ ନେବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଭାଷାପ୍ରେମୀ ତଥା କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କୁ ଆଦିକବି ସାରଳା ପୁରସ୍କାର, ଅଭିନେତା ନୃସିଂହ ଚରଣ ମହାନ୍ତିଙ୍କୁ ସାରଳା ସମ୍ମାନ ଓ ସମାଜସେବୀ ପ୍ରତିଭା ଦେହୁରିଙ୍କୁ ସାରଳା ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅତିଥିଗଣ ଆଦିକବି ସାରଳା ଦାସଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସୂଚନା ଯୋଗ୍ୟ ଯେ, ସବୁବର୍ଷ ପରି ଚଳିତ ବର୍ଷ ବାସନ୍ତୀ ପୂଜା ସହ ବାଦୀପାଲା ଅନୁଷ୍ଠିତ ହେବ । ଏଥିରେ ଗାୟକ ସାରସ ତପନ କୁମାର ପଣ୍ଡା ଓ ଗାୟକ ସୂର୍ଯ୍ୟ ଅରୁଣ କୁମାର ପଣ୍ଡା ଏହି ବାଦୀପାଲାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ପରିଷଦର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱଙ୍କ ପାଇଁ ଅଙ୍ଗୁରବାଳା ପରିଡା ଓ ପ୍ରକାଶ ସାହାଣୀ ମାନପତ୍ର ପାଠ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଭୟ କୁମାର ଦାସ, ଡଃ ସୁମନ ଦତ୍ତ, ଜେ.କେ. ମିଶ୍ର, ଆର୍ତ୍ତତ୍ରାଣ ମହାରଣା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ହରିହର ଶତପଥୀ, ଅଭିରାମ ପ୍ରଧାନ, ପ୍ରାକ୍ତନ ସାଧାରଣ ସଂପାଦକ ପର୍ଶୁରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପଞ୍ଚାନନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.