
ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମା ୨୬ ନଂ ଜାତୀୟ ରାଜପଥର ଦେଓଗାଁ ବସଷ୍ଟାଣ୍ଡ ତଥା ମୁଖ୍ୟ ଛକରେ ଶୁକ୍ରବାର ଦିନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରାସ୍ତା କଡ଼ରେ ଥିବା ବିଭିନ୍ନ ଦୋକାନକୁ ପ୍ରଶାସନ ପକ୍ଷରୁ ଜେସିବି ଗାଡ଼ି ସହାୟତାରେ ଭାଙ୍ଗିବା ପ୍ରକ୍ରିୟା ଚାଲୁ ରହିଛି। ଅଞ୍ଚଳର ଦୋକାନୀମାନଙ୍କୁ ପୂର୍ବରୁ ନୋଟିସ ଦ୍ୱାରା ଅବଗତ କରାଯାଇଥିବାରୁ ଦୋକାନୀ ମାନେ ପରୁ ପର୍ଯ୍ୟନ୍ତ ସାମଗ୍ରୀ ଗୁଡ଼ିକ ସ୍ଥାନାନ୍ତର କରି ଜାଗା ଛାଡ଼ିଥିବା ପରେ ଜେସିବି ଲଗାଇ ଦୋକାନଗୁଡ଼ିକ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ପ୍ରଶାସନ ପକ୍ଷରୁ ଦେଓଗାଁ ବସଷ୍ଟାଣ୍ଡରେ ପୁଲିସ ପ୍ଲାଟୁନ୍ ଫୋର୍ସ ସହ ଦମକଳ ବିଭାଗ ଓ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଭଙ୍ଗାରୁଚା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।