ବିବାହ ପ୍ରତିଶୃତି ଦେଇ ଓଏଭି ଶିକ୍ଷକ ପ୍ରେମ ପ୍ରତାରଣା କରିଥିବା ନେଇ ଲାଠୋର ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶୃତି ଦେଇ ପ୍ରେମ ପ୍ରତାରଣା କରିଥିବା ନେଇ ମହିମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଗଜମଣୀ ବାଗଙ୍କ ନାମରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଖପ୍ରାଖୋଲ ବ୍ଲକର ମାଲପଡା ନିବାସୀ ତଥା ପୁଇଁତଳା ବ୍ଲକର ମହିମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଗଜମଣୀ ବାଗଙ୍କ ନାମରେ ପ୍ରେମପ୍ରତାରଣାର ଅଭିଯୋଗ ଆଣିଛନ୍ତି ତାଙ୍କର ବାନ୍ଧବୀ । ଗଜମଣୀ ମାଲପଡା ନିବାସୀ ହୋଇଥିବା ବେଳେ ତାଙ୍କର ବାନ୍ଧବୀ ସେହି ଗାଁ ପାଖର ଝାଙ୍କରୀପାଲି ଗାଁର ଅଟନ୍ତି । ଦୁହେଁ ଦୀର୍ଘବର୍ଷ ହେଲା ଲିଭ୍‌ଇନ୍‌ ରିଲେସନରେ ରହିଆସୁଥିଲେ ବୋଲି ତାଙ୍କର ବାନ୍ଧବୀ କହିଛନ୍ତି । ଉଭୟେ ପତି ପତ୍ନୀ ଭଳି ରହିଆସୁଥିବା ବେଳେ ବିବାହର ପ୍ରତିଶୃତି ଦେଇ ଗଜମଣୀ ତାଙ୍କର ବାନ୍ଧବୀଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । କିନ୍ତୁ ଏବେ ଗଜମଣୀ ତାଙ୍କୁ ଧୋକା ଦେଇ ଅନ୍ୟ ଏକ ଝିଅକୁ ବିବାହ କରିବାକୁ ନିର୍ବନ୍ଧ କରିସାରିଛନ୍ତି । ଫଳରେ ଅସହାୟ ଯୁବତୀ ବାଧ୍ୟ ହୋଇ ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗତକାଲି ଯୁବତୀ ନିଜ ପରିବାର ଲୋକଙ୍କ ସହିତ ଲାଠୋର ଥାନାରେ ପହଞ୍ଚି ଏତଲା ଦେଇଥିବା ଜଣାପଡିଛି । ତାଙ୍କ ଏତଲାକୁ ଭିତ୍ତିକରି ଲାଠୋର ଥାନାରେ ମାମଲା ନମ୍ବର ୪୮/୨୦୨୩ରେ କେସ ରୁଜୁ ହୋଇ ତଦନ୍ତ ଚାଲିଥିବା ସୂଚନା ମିଳିଛି ।

Leave A Reply

Your email address will not be published.