pakka

ବ୍ୟଙ୍ଗ ଦୃଷ୍ଟି : ସିସି କ୍ୟାମେରାର ମୁହଁ କେଉଁ ଦିଗକୁ…

bbehera
  • ଦେବାଶିଷ ମିଶ୍ର

ସକାଳୁ ଆଖି ଖୋଲୁ ଖୋଲୁ ଦାନ୍ତ ଘଷି ଦେଇ ଖଟିକୁ ଯାଇ ଚା’ କପେ ନପିଇଲା ପର୍ୟ୍ୟନ୍ତ ମନକୁ ଟିକେ ଶାନ୍ତି ମିଳେ ନାହିଁ । ରାଜୁର ଚା’ କପ୍‌ ସହ ଖଟିରେ ଚାଲିଥିବା ଦେଶ ବିଦେଶର ଏଣୁତେଣୁ ଚର୍ଚ୍ଚାରେ ସହମତ ଓ ଅସମହତ ତଥା ସମର୍ଥକ ଓ ବିରୋଧୀଙ୍କ ବାକ୍‌ ଯୁଦ୍ଧ ଘଣ୍ଟାଘଣ୍ଟା ଧରି ଚାଲିଥାଏ । ଯିଏ ଯାହା ପାରିଲା କହିଲା । କିଛି ଜାଣି ଥାଉ, ନଜାଣି ଥାଉ ତା ମୁଣ୍ଡରେ ଯାହା ପଶିଛି, ଯାହାକୁ ଯାହା ସୁହାଉଛି ତାହା କହିଲା । ଏସବୁରୁ ମତେ କିଛି ଜଣା, କିଛି ଅଜଣା ଘଟଣା ସମ୍ବନ୍ଧରେ ସୁଚନା ମିଳିଯାଏ । ତା’ ସହିତ ଏସବୁ ସତେ ଯେମିତି ଦିନ ତମାମ ପାଇଁ ମୋର ଅସ୍ଥି ମଜ୍ଜାରେ ଟାଉଟରିର ହେବି ଡୋଜ୍‌ ଭରିଦିଏ । ତାପରେ ମୁଁ ବାହାରି ଯାଏ କର୍ତ୍ତବ୍ୟ ପଥରେ ଚକ୍ରବର୍ତ୍ତି ସମ୍ରାଟ ପରି, ସତେ ଯେମିତି ଯେଉଁଠି ଯାହା ମିଳିବ ସବୁକୁ ଅକ୍ତିଆର କରିନେବି!

କିନ୍ତୁ ଆଜି ସକାଳୁ ଖଟିରେ ଏ ଦୃଶ୍ୟ କ’ଣ, ସମସ୍ତେ ସବୁଥିରେ ସହମତ । – ‘ତୁ ଠିକ୍‌ କହୁଛୁ’ ଭାବରେ ସମସ୍ତେ ଏକମତ । ମୁଁ ବସୁ ବସୁ କହିଲେ ଚା’ ଟିଏ ମାର୍‌ । କଣରେ ତୁ ପରା ସାମ୍ବାଦିକ, ତୁ କହ । ସବୁଠୁ ବେଶି ସିସିଟିଭି କେଉଁଠି ଲାଗିଛି? ମୁଁ କହିଲି, ମୁଁ ଯାହା ଜାଣିଛି ଆମ ରାଜଧାନୀ ଦିଲ୍ଲୀରେ ଲାଗିଛି । ଯେ ଆସୁ ଆସୁ ଏକଥା ପଚାରିବାର ତାତ୍ପର୍ୟ୍ୟ କଣ? ଜଣେ ଖବର କାଗଜ ଦେଖାଇ କହିଲେ, ସହରରେ ଶତାଧିକ ସିସି କ୍ୟାମେରା ଲାଗିବ । ତାପରେ ଆମ ସହର ସେଫ୍‌ ସିଟି ହେବ । ଏସବୁ ଚୋର, ଖଂଟ, ନିଶାଖୋର ନାମ ନେବେ । ହଜୁର ଗାଦିରେ ଥିବାବେଳୁ ଅର୍ଥ ଦେଇଛନ୍ତି । ଏବେ ତାହା ସହରବାସୀଙ୍କ କାମରେ ଲାଗିବ । ଏକଥା କହୁ କହୁ ଜଣେ ରାଜନିତିଆ ନିଜ ସମର୍ଥନ ପ୍ରତ୍ୟାହାର କରି କହିଲା, ହଁ ବଡ ହଜୁର ଗାଦିରୁ ଗଲା ଗଲା ବେଳକୁ ଯେଉଁ ଘଣ୍ଟାଘର ଦେଇକି ଗଲେ ତାହା ଯେମିତି କାମରେ ଆସୁଛିି…? ଏତେବେଳ ପର୍ୟ୍ୟନ୍ତ ଶାନ୍ତ ଜଣା ପଡୁଥିବା ଖଟି ଏବେ ପୂର୍ବବତ୍‌ ମୁଖର ହୋଇ ପଡିଲା । ଜଣେ କହିଲା – ସେମିତି କହନା, ତାହା ଅତ୍ୟାଧୁନିକ ଘଣ୍ଟା । ଲୋକଙ୍କ ଦିଗ ଓ ଗତି ଜାଣି ସମୟ ଦେଖାଏ । ଯିଏ ପୂର୍ବ ଦିଗକୁ ନବରଙ୍ଗ ଦଳ ପଟେ ଯାଏ ତାକୁ ଅଲଗା ସମୟ ଓ ଯେ ପଶ୍ଚିମ ଦିଗରେ ସବୁଜ ଆଉ ଗେରୁଆ ଦଳ ପଟେ ଯାଏ ତାକୁ ଅଲଗା ସମୟ । ଆରେ, ନବରଙ୍ଗ ଦଳର ଚିହ୍ନ ଦେଖିଛୁ ତ ! ତାହା ପରା ନିଜେ କହୁଛି, ଏ ଭାଇ ଏବେ ବେଳ ଖରାପ, ତୁ ଆନା’, ରହିଯା..! ଆଉ ଘଣ୍ଟା ଭୁଲ ସମୟ ଦେଖାଇଲା ତ କ’ଣ ହେଇଗଲା ସେଥିରୁ? ଆଉ ଯଦି କିଏ ଘଣ୍ଟାଘର ତଳେ ବସି ରହି ଠିକ୍‌ ସମୟକୁ ଅପେକ୍ଷା କରେ, ତେବେ ଘଣ୍ଟା ମଧ୍ୟ ତାର ମନ ଚିହ୍ନି, ତାକୁ ଦିନକୁ ଦିଥର ଏକ ଦମ ଠିକ୍‌ ସମୟ ବତାଏ, ବୁଝିଲୁ! ଆରେ ଆମ ସହରର ବେଳା ଖରାପ ଚାଲିଛି ପରା, ତୁ ଘଣ୍ଟା ଘରକୁ ଦୋଷ ଦେଲେ କ’ଣ ହେବ? ପେପର ଧରି ଶୁଣୁଥିବା ଲୋକ କହିଲା – ଏ ତମ ବାଚଳାମି ବନ୍ଦ କର, ଏବେ ସିରିଅସ୍‌ ଟପିକ୍‌ ପଡିଛି, ତୁ ସେ ରାଜନିତିଆ କାଦୁଅ ଆଉ ଫିଙ୍ଗ୍‌ ନା’ । ଏହା ସହରବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷାର କଥା ଜାଣି ରଖ । ଏ ସବୁ କ୍ୟାମେରା ଲାଗିଲେ ସହର ନିଶ୍ଚୟ ସୁରକ୍ଷିତ ରହିବ । ସଭିଏଁ, ହୁଁ ମାରି ଚୁପ୍‌ ହେଇଗଲେ । ମୁଁ ମୋ ସାମ୍ବାଦିକ ବୁଦ୍ଧି ଲଗେଇ କଥାକୁ ଆଗକୁ ବଢେଇଲି, କହିଲି – ଯେଉଁ ସବୁ ସହର ସିସିଟିଭିରେ ଭରି ରହିଛି, ସେ ସବୁ ସହର କଣ ଅପରାଧ ମୁକ୍ତ ହୋଇ ପାରିଛି? ନାଁ ସେଠାକାର ଜନତା, ଆଇନ ଓ ସୁରକ୍ଷାର ବଳୟ ଭିତରେ ଅଛନ୍ତି ? ଆଉ ବିଗତ କିଛି ସମୟକୁ ଦେଖିଲେ ଆମ ସହରର କଥା ନିଆରା । ସାରା ରାଜ୍ୟରେ ବାନା ଉଡୁଛି । ଲୋକଙ୍କୁ ଆଇନ ସୁରକ୍ଷା ପ୍ରଦାନ କରିବା ପାଇଁ କାର୍ୟ୍ୟରତ ଅନୁଷ୍ଠାନ ସବୁ ନିଜେ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇଛି । ଲୁଟ୍‌ପାଟ, ରାହାଜାନି, ଡକାୟତି, ମର୍ଡର, ନିଶା କାରବାର ସବୁ ନିତିଦିନିଆ ଘଟଣା ପାଲଟିଛି । ଜଣେ କହିଲା – ଠିକ୍‌ କହୁଛୁ, ଏ କି ପୋଲିସ୍‌ ମ’? କେଉଁଠି ମଦ ଜବତ କରି ବିକ୍ରି କରି ଦେଉଛି ତ କୋଉଠି ସର୍ଦ୍ଦାରମାନଙ୍କଠୁ ଜବତ ଟଙ୍କା ହଡପ୍‌ କରୁଛି । କେଉଁଠି ଲାଞ୍ଚ ନେଇ ଧରା ପଡୁଛି ତ ଆଉ କାହାର ଲାଞ୍ଚ ନେବା ଭିଡିଓ ମୋବାଇଲ୍‌ରୁ ମୋବାଇଲ ଘୁରି ବୁଲୁଛି । କିନ୍ତୁ ଗରିବ ଗୁରୁବା ଦେଖିଲେ ଜୋର୍‌ ଜୁଲମ କରୁଛି । ନିଶା ମାଫିଆ, ଚୋର ଡକାୟତ, ଅପରାଧୀଙ୍କୁ ଖସେଇ ଦେଇ ସିଆଣିଆ ସାଜିଛି । ଶୁଣିଲି କୁଆଡେ଼ ତମେ ସାମ୍ବାଦିକମାନେ ବି ତ ତାଙ୍କଠୁ ପାର୍‌ ପାଉନ ପରା… ! ଏତେ ସମୟ ଧର୍ୟ୍ୟ ଧରି ଶୁଣୁଥିବା ଜଣକ ହଠାତ ଚିହିଁକି ଉଠି କହିଲା – ଏ ପ୍ରଶାସନ କେଉଁ ଭଲ ଯେ, କଥା କଥାକୁ ଗରିବ ଅସହାୟଙ୍କ ଘରଦ୍ୱାର, ଦୋକାନ ବଜାର ଭାଙ୍ଗି ସେମାନଙ୍କୁ ବେଦଖଲ କରି ଜମି ମାଫିଆଙ୍କୁ କୋଳରେ ବସାଇ ଜମି ଘୋଟାଲା କରୁଛି । ତାଛଡା ପୀଡିତ, ନିର୍ୟ୍ୟାତିତ, ଅସହାୟ ମହିଳାକୁ ନ୍ୟାୟ ଦେଇ ପାରିନଥିବା ବଡବାବୁ କଥା କଥାକୁ ୟା, ତା ଉପରେ କେସ୍‌ କରିଦେବାର ଧମକ ଦେଉଛି । ଆମ ଘର କଥା କ’ଣ ହେଲା ଜାଣିନ, ତିନି ଦଶକ ଧରି ଗୋଡ଼ି ବାଲି ସାଇତି ସାଇତି ଛାତ ଖଣ୍ଡେ ତିଆରି କରୁ କରୁ ଅଧା ଜୀବନ ଚାଲିଗଲା । ସହର ସୌନ୍ଦର୍ୟ୍ୟକରଣ ନାଁରେ ନିମିଷକେ ଜେସିବି ଲଗାଇ ଘର ଦୁଆର ଦଳି ଦେଉଛି । ଏମାନଙ୍କୁ ବୋଧେ, ଆମେ ସବୁ ଗରିବ ଅସହାୟମାନେ ସମସ୍ତେ ଏମାନଙ୍କ ସୁନ୍ଦର ସହରରେ କଳା ଦାଗ ପରି ଲାଗୁଛୁ । ଆମକୁ ଜୋର୍‌ ଜବର୍‌ ହଟେଇ ଦେଲେ ତ ବଡ ବଡ ଜମିଦାର, ମାଲିକ, ନେତାର ସିନିକ୍‌ ଭିଉ ବାଲା ବିଳାସପୁର୍ଣ୍ଣ କୋଠା ତିଆରି ହେବ! ଆମ ଅଧ ଭଙ୍ଗା ଚାଳ ଛପର ଘର କ’ଣ ଏମାନଙ୍କ ସୁନେଲି ସ୍ୱପ୍ନକୁ ଫିଟ୍‌ ବସିବ! ନମସ୍ତେ ଟ୍ରମ୍ପ୍‌ ସମୟରେ ଗୁଜୁରାଟ୍‌ର ଗରିବ ଗୁରୁବାଙ୍କ ଘର କପଡାରେ ଢାଙ୍କିଦେବା ଘଟଣାକୁ ତୀବ୍ର ନିନ୍ଦା କରିଥିବା ଅଲଜ୍ୟା ସବୁ ଆଜି ବସ୍ତିବାସିନ୍ଦାଙ୍କୁ ସମ୍ପୁର୍ଣ୍ଣ ବେଦଖଲ କରିବାରେ ମାତିଛନ୍ତି । କ’ଣ ନା ସହରକୁ ସୁନ୍ଦର୍‌ କରିବେ, ହା..! ସବୁୁ କେଳେଙ୍କାରୀ ନେତା, ମନ୍ତ୍ରୀ ଆଉ ଏହି ଦୁଇ ବିଭାଗର । ଏମାନେ ଲୋକଙ୍କ ପାଇଁ ଠିକ୍‌ କାମ କଲେ, ଦୋଷୀକୁ ଖୋଜି ଦଣ୍ଡ ଦେଲେ, ଅନ୍ତତଃ ଅଧା ସହରବାସୀ ନିଜ ହକ୍‌ର ଆଇନ୍‌ ସୁରକ୍ଷା ପାଇ ପାରନ୍ତେ । ତାହା ନହେଲେ ଏ ସିସିଟିଭି ଫିସିଟିଭି କାହାକୁ ସୁରକ୍ଷା ଦେଇ ପାରିବ ନାହିଁ, ମୁଁ କହୁଛି ଲେଖି ରଖ!

ମୁଣ୍ଡ ଗରମ୍‌ ହେଇଗଲା ! – ଏ ରାଜୁ ଆଉ ଗୋଟିଏ ରାଉଣ୍ଟ୍‌ ଚା’ ଦେ ! ସେପଟେ ଚା’ବାଲା ରାଜୁ ତ ଏସବୁ ଶୁଣି ଶୁଣି ପାଚି ସାରିଛି । ରାଜନିତୀର ଆଉ କେଇ ପାଦ ତାକୁ ସିଧା ସିଧା ବିଶ୍ୱଗୁରୁ ହେବାରୁ ବଞ୍ଚିତ ରଖିଛି । ତାକୁ କେଉଁ କଥା ଅଭାବ ଯେ, ଲୋକ ଦେଖି ମନଲାଖି କଥା କହି ଖୁବ୍‌ ରୋଜଗାର କରୁଛି । ଚା’ ଟ୍ରେ ଟା ବଢାଇ ଦେଇ କହିଲା – ବାବୁ, ଛୋଟ ମୁହଁ ବଡ କଥା, ମୁଁ ପଦିଏ କହିବି? ମୁଁ କହିଲି – କହ କହ, ସହର ଉପରେ ତୋର୍‌ ବି ହକ୍‌ ଅଛି । କହ, କହୁନୁ… । ସ୍ମିତ କୃଷ୍ଣ ହସ ରଖି କହିଲା – ଯଦି ନେତା, ମନ୍ତ୍ରୀ, ପୋଲିସ୍‌, ପ୍ରଶାସନ ଠିକ୍‌ କାମ କଲେ ସହର ସୁଧୁରି ଯିବ । ତାହେଲେ ଏ ଶହେ ସିସି କ୍ୟାମେରାର ମୁହଁ ଏମାନଙ୍କ କାର୍ୟ୍ୟାଳୟ ପଟକୁ ରଖିଦେଲେ ତ, ସବୁ ସମସ୍ୟାର ସମାଧାନ ଆପେ ହେଇଯିବ..! କଣ କରୁଛନ୍ତି, ନ କରୁଛନ୍ତି ସଭିଁଙ୍କୁ ସିଧା ସିଧା ଦେଖାଯିବ । ଆଉ ଲୋକେ ଅଯଥା ଭୁଆଁ ବୁଲା ଭାଷଣ, ଦୋଷ ଲଦାଲଦିକୁ ଠିକ୍‌ ଚିହ୍ନି ପାରିବେ । ଯାହା ଚୋର ଖଣ୍ଟ ଆପେ ଆପେ ଧରା ପଡିବେ, ସବୁ ଜେଲ୍‌ ଯିବେ ! କଣ କହୁଛନ୍ତି.. ? ଆଉ ଦିନେ ଦି’ ଦିନ ପାଇଁ, ଏଣେ ତେଣେ ସିସି କ୍ୟାମେରା ଲଗେଇ, ଲାଭ କଣ ! ଦି’ ଦିନ ଗଲେ ଯେଉଁ ରାଣ୍ଡିକୁ ସେ ଦୁଃଖ । ମୁଁ କହିଲି – କଣ କହିଲୁ ରେ..? କଣ ଖାଉଛୁ … ଏ ବୁଦ୍ଧି ସବୁ କେଉଁଠୁ ଆଣୁଛୁ ..? ଶଳା ଗୋଟିଏ ତୀରରେ ଏକା ଥରକେ ସବୁ ସମସ୍ୟାର ସମାଧାନ … । ଖୁଣ୍ଟରେ ସିସି କ୍ୟାମେରା ବାନ୍ଧି କ୍ୟାମେରାର ମୁହଁ ଏପଟେ ସେପଟେ କରିବା ଅପେକ୍ଷା, ସିସି କ୍ୟାମେରାର ମୁହଁ ଗଣତନ୍ତ୍ରର ଏହି ଚାରି ଖୁଣ୍ଟ ଦିଗକୁ କରିଦେଲେ, ସାରା ଦେଶ ସୁଧୁରି ଯିବ! ସମସ୍ତେ ହସି ଉଠିଲେ …. ହା ହା ହା… । ତେବେ ଆମ ଭଳି ଲୋକ ଦେଖାଣିଆ ଗଣତନ୍ତ୍ରରେ ଏହା କରିବା କଣ ସମ୍ଭବ…?

ମୋ.ନଂ. : ୯୪୩୯୦୩୦୦୦୫

Leave A Reply

Your email address will not be published.

eight − six =