pakka

ଗରିବ ଖଟିଖିଆଙ୍କ ସାଥୀ ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗରିବ, ଖଟିଖିଆଙ୍କ ସାଥୀ ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ ପ୍ରାୟ ସାଢେ଼ ୫ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ମାସ ହେଲା ଅସ୍ଥିମଜ୍ଜା କ୍ୟାନ୍‌ସର ରୋଗରେ ପୀଡ଼ିତ ହେବାପରେ ସେ ଭୁବନେଶ୍ୱରେ ରହି ଚିକିତ୍ସାଧୀନ ଥିଲେ । ବଲାଙ୍ଗିର ମାଟିର ପ୍ରଚଣ୍ଡ ସ୍ୱର, ରକ୍ତଦାନର ପ୍ରଗଳ୍ଭ ପ୍ରେରଣା, ଗରିବ ଜନସାଧାରଣଙ୍କ ଚିରସାଥୀ, ସମାଜସେବାର ବିରଳ ମଣିଷ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଅନେକ ଚିକିତ୍ସା, ଚିକିତ୍ସକଙ୍କ ଆପ୍ରାଣ ଉଦ୍ୟମ ତଥା ଶ୍ରଦ୍ଧାଳୁ ଏବଂ ଶୁଭେଚ୍ଛୁଙ୍କ ଅହେତୁକ ପ୍ରାର୍ଥନାକୁ ପଛରେ ପକାଇ ଚାଲିଗଲେ ଲଳିତ ଦାଦା ।

ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କୁ ବଲାଙ୍ଗିର ମାଟିରେ କିଏ ବା ନ ଜାଣେ । କିଛି ମାସ ପୂର୍ବେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଚିକିତ୍ସା ଦ୍ୱାରା ଠିକ୍‌ ହେବା ପରେ ବାରମ୍ବାର ହିମୋଗ୍ଲୋବିନ୍‌ କମିଯିବା କାରଣରୁ ପୁଣି ପରୀକ୍ଷା ନିରୀକ୍ଷା କରାଯାଇଥିଲା । ତେବେ ଏହି ସମୟରେ ସେ ଅସ୍ଥିମଜ୍ଜା କ୍ୟାନ୍‌ସର ଦ୍ୱାରା ପୀଡ଼ିତ ଥିବା ଜଣାପଡ଼ିଥିଲା । ଏ ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ତଥା ବଲାଙ୍ଗିର ଜିଲ୍ଲାରେ ଉଦାସୀନତା ଛାଇ ଯାଇଥିଲା । ତେବେ ତା‌ଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ମଧ୍ୟ ପଦକ୍ଷେପ ଆର‌ମ୍ଭ ହୋଇଥିଲା । କିନ୍ତୁ ଏହା ପରେ ପରେ ସେ କରୋନା ‌ଦ୍ୱାରା ସଂକ୍ରମିତ ହୋଇଥିଲେ । ଏହାପରେ ତା‌ଙ୍କ ‌ସ୍ୱା‌ସ୍ଥ୍ୟରେ ଆଉ ଉ‌ନ୍ନତି ପରିଲକ୍ଷିତ ହୋଇ ନଥିଲା ।

ସୂଚନାଯୋଗ୍ୟ ଯେ, ସମାଜସେବୀ ଶ୍ରୀ ନାୟକ ଗତ ଜୁନ୍‌ ମାସ ୨୯ ତାରିଖରେ ପଡ଼ିଯିବା କାରଣରୁ ବାମ ଗୋଡ଼ର ଜଂଘରେ ଆଘାତ ଲାଗି ଭାଂଗି ଯାଇଥିଲା । ଜୁନ୍‌ ୩୦ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା । ସେହି ସମୟରେ ୧୮ ବର୍ଷ ପୂର୍ବର ଦୁର୍ଘଟଣାର ଅସ୍ତ୍ରୋପଚାର ବେଳେ ଲାଗିଥିବା ୧୮ ଇଂଚର ଏକ ରଡ଼୍‌କୁ ବାହାର କରାଯାଇଥିଲା । ସେହି ସମୟରେ ଡାକ୍ତରଙ୍କ ସଂଦେହ ହୋଇଥିବା ବେଳେ ଶ୍ରୀ ନାୟକଙ୍କ ହିମୋଗ୍ଲୋବିନ ବୃଦ୍ଧି ହେଉ ନଥିବାରୁ କ୍ୟାନସର ହୋଇ ଥାଇପାରେ ବୋଲି ଅନୁମାନ କରିଥିଲେ । ପରୀକ୍ଷା ପରେ କ୍ୟାନସର ପଜିଟିଭ୍‌ ଆସିଥିଲା ।

ଶ୍ରୀ ନାୟକ ଛାତ୍ର ସମୟରୁ ରାଜେନ୍ଦ୍ର କଲେଜର ଛାତ୍ର ସଂସଦ ସଭାପତି ଭାବେ ୮୦ ଦଶକରେ ବେଶ୍‌ ଚର୍ଚ୍ଚିତ ଥିଲେ । ଛାତ୍ର ଜୀବନରୁ ଜଣେ ରକ୍ତଦାତା ପ୍ରବର୍ତ୍ତକ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ବଲାଙ୍ଗିରରେ ରକ୍ତଦାନର କଥା ଉଠିଲେ ଆପେ ଆପେ ସମାଜସେବୀ ଲଳିତ ନାୟକ ହିଁ ମନେ ପଡ଼ନ୍ତି । ୮୦ରୁ ଅଧିକ ଥର ରକ୍ତଦାନ କରି ତତ୍‌କାଳୀନ ଓଡ଼ିଶା ରାଜ୍ୟପାଳଙ୍କଠାରୁ ସେ ପୁରସ୍କୃତ ହୋଇଥିବା ବେଳେ ଆଜି ପର୍ୟ୍ୟନ୍ତ ସେ ପ୍ରାୟ ୧୫୦ ୟୁନିଟ୍‌ ରକ୍ତଦାନ କରି ସାରିଥିଲେ । ସାମଜର ଦଳିତ, ନିଷ୍ପେସିତ, ଗରିବ ଖଟିଖିଆମାନଙ୍କ ବିଭିନ୍ନ ସମସ୍ୟା ନେଇ ଲଢେ଼ଇ କରିବାରେ ଶ୍ରୀ ନାୟକ ଜଣେ ଆଗୁଆ ସୈନିକ ଭାବରେ ଠିଆ ହେଉଥିଲେ ସବୁବେଳେ । ୪୦ରୁ ଅଧିକ ଶ୍ରମିକ ସଂଗଠନର ସଭାପତି ରହି ସେମାନଙ୍କ ଦୁଃଖସୁଖ ସହ ସାମିଲ୍‌ ହେବା ସହ ସେମାନଙ୍କ ହକ୍‌ ପାଇଁ ସେ ଲଢେ଼ଇ ଜାରି ରଖିଥିଲେ ।

ତା‌ଙ୍କ ପରଲୋକ ଦଳିତ, ନିଷ୍ପେସିତ, ଗରିବ ଖଟିଖିଆମାନଙ୍କୁ ନିଃ‌ସ୍ୱ କରି ଦେଇଥିବା ବେଳେ ସେଭଳି ଜଣେ ଟାଣୁଆ, ଦରଦୀ ମଣିଷକୁ ହରାଇ ବଲାଙ୍‌ଙ୍ଗିର ସହ ସାରା ଓଡ଼ିଶା ମାଟି ଆଜି କା‌ନ୍ଦୁଛି । ଲଳିତ ଦାଦା ଏଇ ମାଟିରେ ସବୁଦିନ ଏକ ଗଭୀର ଆଦର୍ଶର ସ୍ୱର ହୋଇ ବଂଚିରହିବେ, ଏହା ନିଃସଂଦେହ ।

Leave A Reply

Your email address will not be published.

12 + seven =