jayashree

ଭାଗବତର ସ୍ୱର ରହିବ, ହେଲେ ଆଉ ଶୁଭିବନି ମକରଧ୍ୱଜଙ୍କ ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଗବତ ପାରାୟଣର ଧାରା ରହିବ, ହେଲେ ଆଉ ଶୁଭିବନି ମକରଧ୍ୱଜଙ୍କ ସେହି ଆହ୍ୱାନ । ଯେଉଁ କଣ୍ଠରେ ଥିଲା ଭକ୍ତିର ଭାବ, ଯେଉଁ ମଣିଷଙ୍କ ଉଦ୍ୟମରେ ମହାଲକ୍ଷ୍ମୀ ନଗରରେ ଗଢ଼ି ଉଠିଥିଲା ଭାଗବତ ପାରାୟଣର ପରମ୍ପରା, ଆଜି ସେହି କଣ୍ଠ ଚିରଦିନ ପାଇଁ ନିରବ ହୋଇଯାଇଛି । ଆଖିରେ ଲୁହ ଓ ହୃଦୟରେ ଅସରନ୍ତି ଦୁଃଖ ଦେଇ ଆରପାରିକୁ ଚାଲିଯାଇଛନ୍ତି ମକରଧ୍ୱଜ ନାୟକ । ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ବନରକ୍ଷୀ ଭାବେ ଦୀର୍ଘଦିନ କାର୍ଯ୍ୟ କରିବା ପରେ ଅବସର ଜୀବନକୁ ସେ ଧର୍ମ, ଆଧ୍ୟାତ୍ମିକତା ଓ ସମାଜସେବାରେ ସମର୍ପିତ କରିଥିଲେ । ମହାଲକ୍ଷ୍ମୀ ନଗରରେ ଭାଗବତ ପାରାୟଣ ଆରମ୍ଭ କରି ସେ ଏକ ନୂଆ ଧାର୍ମିକ ପରମ୍ପରାର ମୂଳଦୁଆ ପକାଇଥିଲେ । ଗତ ୭ ବର୍ଷ ଧରି ନିଷ୍ଠାର ସହ ଏହି ପରମ୍ପରାକୁ ଜାରି ରଖିଥିଲେ । ଚଳିତ ବର୍ଷ ଡିସେମ୍ବରରେ ମଧ୍ୟ ଭାଗବତ ପାରାୟଣ ଆୟୋଜନ ପାଇଁ ଯୋଜନା କରିଥିଲେ । ହେଲେ ତାଙ୍କର ସେହି ଅଧୁରା ସ୍ୱପ୍ନ ଆଉ ପୂରଣ ହୋଇପାରିଲା ନାହିଁ । ତାଙ୍କ ବିୟୋଗରେ ଜନ୍ମମାଟି ଭାଲୁପାଲିରେ ଶୋକର ଛାୟା ଖେଳିଯାଇଛି । ମହାଲକ୍ଷ୍ମୀ ନଗରବାସୀ ହରାଇଛନ୍ତି ଜଣେ ଧର୍ମପରାୟଣ ଓ ନିଷ୍ଠାପର ବ୍ୟକ୍ତିତ୍ୱଙ୍କୁ । ତାଙ୍କ ମଝିଆ ପୁଅ ମୁଖାଗ୍ନି ଦେଇଥିବାବେଳେ ପତ୍ନୀ ଅଲ୍ଲାଦିନୀ ନାୟକ, ୩ ପୁଅ ଓ ୪ ଝିଅଙ୍କ ସମେତ ଅନେକ ଆତ୍ମୀୟସ୍ୱଜନଙ୍କୁ ଶୋକସାଗରରେ ଭସାଇ ଦେଇଛନ୍ତି ସେ । ମଣିଷ ଚାଲିଯାଏ, ହେଲେ ତାର ଭଲ କାମ କେବେ ମରେନାହିଁ । ମକରଧ୍ୱଜ ନାୟକ ଆଜି ଆଉ ନାହାନ୍ତି, କିନ୍ତୁ ସେ ଆରମ୍ଭ କରିଥିବା ଭାଗବତ ପାରାୟଣର ପବିତ୍ର ପରମ୍ପରା ଓ ତାଙ୍କ ମାନବିକତାର ସ୍ମୃତି ସବୁଦିନ ପାଇଁ ଅମର ହୋଇ ରହିବ ।

Leave A Reply

Your email address will not be published.