jayashree

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପ୍ରାଣୀ ଚିକିତ୍ସାଳୟ ପରିସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ କୁମାର ଓଡ଼ୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟକା ବର୍ଷା ସିଂ ବରିହା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧକାରୀ ବରଗଡ଼, ଡାକ୍ତର ଶୋଭନ କୁମାର ନାୟକ ଏହି ସଭାକୁ ସମ୍ବୋଧିତ କରି ମତ୍ସ୍ୟ ଓ ପଶୁପାଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅଥିତି ଭାବେ ପାଇକମାଲ ବ୍ଲକ ଅଧକ୍ଷା ଭାବନା ସିଂ, ପାଇକମାଲ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ସାଂସଦ ବରଗଡଙ୍କ ପ୍ରତିନିଧି ସରୋଜ ସାମଲ, ପାଇକମାଲ ସରପଞ୍ଚ ତୁଲାବତୀ ତାଣ୍ଡି, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ, ଜାନକୀ ବେହେରା, ପଦ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ଡାକ୍ତର ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପାଟ୍ଟଯୋଷୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ୍ କୁମାର ପତି ଯୋଗଦାନ କରିଥିଲେ । ଡା. ମିଲି ପାଣ୍ଡେ ମଞ୍ଚ ପରିଚାଳନା କରିଥିଲେ । ଏହି ସମାରୋହରେ ମତ୍ସ୍ୟ ଓ ପଶୁ ପାଳନ ଅବଲମ୍ବନ କରି ଏକ ସମୃଦ୍ଧ ସମାଜ ଓ ରାଷ୍ଟ୍ର ନିର୍ମାଣ କରିବା ନିମନ୍ତେ ଜନସାଧାରଣଙ୍କୁ ଅନୁପ୍ରାଣୀତ କରାଯାଇଥିଲା । ଏହି କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଉଦ୍ୟୋଗୀ ବ୍ୟକ୍ତିମାନେ ନିଜ ନିଜର ଅନୁଭୂତି ଓ ଅଭିଜ୍ଞତା ପରିପ୍ରକାଶ କରିଥିଲେ । ଏହି ସଫଳତା ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ମଞ୍ଚରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାଦେଶ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା ଓ ଏହି ସବୁ ଯୋଜନାର ସରକାରୀ ଆର୍ଥିକ ସହାୟତା ରାଶି ମଧ୍ୟ ବଣ୍ଟନ କରାଯାଇଥିଲା । ଯାହାକି ଜନସାଧାରଙ୍କ ସକାଶେ ଉତ୍ସାହଜନକ ଏବଂ ପ୍ରେରଣାଦାୟୀ ଥିଲା । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଓ ଓମଫେଡ ତରଫରୁ ବିଭିନ୍ନ ଯୋଜନା ଓ ନୂତନ କୌଶଳ ଓ ପଦ୍ଧତିର ପ୍ରଦର୍ଶନୀମାନ ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀକୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ପରିଦର୍ଶନ କରିଥିଲେ । ଏଠାରେ ବିଶେଷଜ୍ଞ ଓ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଏକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଡା. ସମୀର ଖମାରୀ, ଡା. ସ୍ଵାଗତିକା ସ୍ୱାଇଁ, ଡା. ଆକାଶ ମହାପାତ୍ର, ଡା. ପ୍ରବୋଦ ନଳିନୀ ମାହୁନ୍ତ, ଜୟନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ, ଡାକ୍ତର ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଓ ବିକାଶ ଯୋଜନାକୁ ଲୋକପ୍ରିୟ କରି ଏହାକୁ ତୃଣମୂଳ ସ୍ତରକୁ ପହଞ୍ଚାଇବା ହିଁ ଏହି ମେଳାର ଉଦ୍ଦେଶ୍ୟ ଥିଲା ।

Leave A Reply

Your email address will not be published.