om academy

ସହିଦ ଭଗତ ସିଂଙ୍କ ସ୍ୱପ୍ନର ଭାରତ

jsm
  • ଆଶୁତୋଷ ନାୟକ

ଏ ବର୍ଷ ଆମେ ୭୭ତମ ସ୍ୱାଧୀନତା ଦିବସ ପାଳନ କରିଛୁ । ଏହା ଆମ ୧୪୦ କୋଟି ଭାରତୀୟମାନଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଦୀର୍ଘ ୨୦୦ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଅହଙ୍କାରୀ ନିଷ୍ଠୁର ଇଂରେଜମାନେ ଆମ ଦେଶରେ ଆଧିପତ୍ୟ ବିସ୍ତାର କରିଥିଲେ । ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ଆମ ଦେଶର ଏକତା ଓ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିବା । ସେମାନେ ଜାଣିଶୁଣି ବିଭିନ୍ନ ସମ୍ପ୍ରଦାୟ ଯେପରିକି ହିନ୍ଦୁ, ମୁସଲିମ, ଶିଖି ଓ ଈଶାଇ ମଧ୍ୟରେ ବିବାଦର ସୂତ୍ରପାତ କରାଉଥିଲେ । ସେମାନଙ୍କ ମନ ଭିତରେ ହିଂସା ପ୍ରତିଶୋଧର ବହ୍ନି ପ୍ରଜ୍ୱଳିତ କରାଇବା ଓ ଧର୍ମ ଜାତି ଆଧାରରେ ଆମ ଦେଶକୁ ବିଭାଜିତ କରିବା, ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ନିଜର ମନ୍ଦ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଇଂରେଜମାନେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ନିଜର କଳ, ବଳ ଓ କୌଶଳ ପ୍ରୟୋଗ କରିଥିଲେ । ଅନେକାଂଶରେ ସେମାନେ ନିଜ ଯୋଜନାରେ ସଫଳ ହୋଇଥିଲେ । ସାମାନ୍ୟ କିଛି ଅର୍ଥ ଓ କ୍ଷମତା ଲୋଭରେ କିଛି ବ୍ୟକ୍ତି ବିଶ୍ୱାସଘାତ କରି ଆମ ସ୍ୱାଧୀନତା ପାଇବାର ଆଶାକୁ ଶିଥିଳ କରୁଥିଲେ । ସେହି ଦେଶଦ୍ରୋହୀ ମଧ୍ୟରେ ମୀରଜାଫର, ଜୟଚନ୍ଦ୍ର, ଜୟ ଗୋପାଳ ଭଳି କିଛି ବିଶ୍ୱାସଘାତକ ଥିଲେ ଯାହା ନୃଶଂସ ଅଧର୍ମୀ ଆତ୍ମଗର୍ବୀ ଅହଙ୍କାରୀ ଇଂରେଜମାନଙ୍କୁ ଧରି ୨୦୦ ବର୍ଷ ଧରି ଆମ ଦେଶର ଲୋକମାନଙ୍କୁ ଗୁଲାମ ଓ ପରାଧୀନ କରି ରଖିବାରେ ସହାୟ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗ ଓ ବଳିଦାନ ଦ୍ବାରା ମାତୃଭୂମି ଭାରତ ଅହଙ୍କାରୀ, ଅଧର୍ମୀ, ନିଷ୍ଠୁର, ହିଂସ୍ର ଓ ଅତ୍ୟାଚାରୀ ଇଂରେଜମାନଙ୍କର ଗୁଲାମୀରୁ ମୁକ୍ତ ହୋଇପାରିଛି । ଜାତିର ପିତା ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି, ଭଗତ ସିଂ, ଜୟୀ ରାଜଗୁରୁ, ଶୁକଦେବ, ସୁବାଷ ବୋଷ, ତାନ୍ତ୍ରିଆ ଟୋପେ, ରାଣୀ ଲକ୍ଷ୍ମୀବାୟୀଙ୍କ ଅବଦାନ ଅତୁଳନୀୟ ଯାହାକୁ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ । ଇତିହାସର ପୁଷ୍ଠାକୁ ଆମେ ଯଦି ଅବଲୋକନ କରିବା ଦେଖିବା ଅନେକ ବିଦ୍ୱାନ ବ୍ୟକ୍ତି ଏହା ମତବ୍ୟକ୍ତ କରିଛନ୍ତି କି “ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଅହିଂସା ନୀତିକୁ ପାଥେୟ କରି ଆମେ ସ୍ୱାଧୀନତା ହାସଲ କରିଥିଲୁ ଏବଂ ପରାଧୀନ ଶିକୁଳିରୁ ଆମେ ମୁକ୍ତ ହୋଇଥିଲୁ” । “କେବଳ ଗାନ୍ଧିଜୀଙ୍କର ଅହିଂସା ନୀତି ବଳରେ ଆମେ ସ୍ୱାଧୀନତା ହାସଲ କରିପାରିଥିଲୁ”ଏହା କହିବା ସହିଦ ଭଗତ ସିଂ ଶୁକଦେବ, ରାଜଗୁରୁ, ସୁବାଷ ବୋଷଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କର ବଳିଦାନର ଅପମାନ ହେବ ।

ଜାତିର ପିତା ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି ସହିଦ ଭଗତ ସିଂ, ପର୍ଯ୍ୟନ୍ତ ସବୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅପ୍ରାଣ ଉଦ୍ୟମ, ମାତୃଭୂମି ପାଇଁ ନିସ୍ଵାର୍ଥପର ଭଲ ପାଇବା, ତ୍ୟାଗ, ବଳିଦାନକୁ ପାଥେୟ କରି ଆମ ଦେଶ ଇଂରେଜମାନଙ୍କ ଗୁଲାମୀରୁ ମୁକ୍ତ ହୋଇଥିଲା । ଆମ ଦେଶକୁ ସ୍ୱାଧୀନ କରିବାରେ ଉଭୟ ଚରମପନ୍ଥୀ ଓ ନରମପନ୍ଥୀ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅବଦାନ ରହିଛି ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ । ଇତିହାସର ପୁଷ୍ଠାକୁ ଅବଲୋକନ କଲେ ଯେଉଁ କେତେ ଜଣ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱ ଓ ସାହସୀକତାର ଗାଥା ସଦା ସର୍ବଦା ଯୁବ ସମାନ ପାଇଁ ପ୍ରେରଣାଦାୟୀ ହୋଇ ରହିଛି, ସେମାନଙ୍କ ମଧ୍ୟରେ ସହୀଦ ଭଗତ ସିଂ ଅନ୍ୟତମ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ସବୁଠାରୁ ବ୍ୟାପକ ଓ ଦୀର୍ଘସ୍ଥାୟୀ ପ୍ରଭାବ ବିସ୍ତାର କରିଥିବା ଏବଂ ଯୁବ ସମାଜ ପାଇଁ ପ୍ରେରଣାର ଉର୍ତ୍ସ ଥିଲେ ସହୀଦ ଭଗତ ସିଂ । ମାତ୍ର ୨୩ ବର୍ଷର ଥିବା ସମୟରେ ସେ ନିଜର ଜୀବନକୁ ଦେଶମାତୃକାର ସେବା ପାଇଁ ଉତ୍ସର୍ଗୀକୃତ କରିଥିଲେ ଏବଂ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ । ମାନବ ସଭ୍ୟତା ଥିବା ପର୍ଯ୍ୟନ୍ତ ସହୀଦ ଭଗତସିଂଙ୍କ ବୀରତ୍ୱର ଗାଥା, ତ୍ୟାଗ ଓ ବଳିଦାନ ଇତିହାସର ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ୨୩ ବର୍ଷ ବୟସରେ ଅଧିକାଂଶ ଯୁବକ ନିଜ ଜୀବନର ଅର୍ଥ ଓ ଧନ ସମ୍ପତି ଖୋଜିବାରେ ବ୍ୟସ୍ତ ଥିବା ବେଳେ ଭଗତ ସିଂ ସେହି ବୟସ ବେଳକୁ ବୀରତ୍ୱ, ଦେଶପ୍ରେମ ଓ ବଳିଦାନର ସର୍ବୋତ୍ତମ ଉଦାହରଣ ସୃଷ୍ଟି କରି ଅମର ହୋଇ ସାରିଥିଲେ । ସେ ୧୯୦୭ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ପଞ୍ଜାବର ବଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ଦେଶପ୍ରେମର ନିଦର୍ଶନ ବାଲ୍ୟକାଳରୁ ପରିଲକ୍ଷିତ ହୋଇଥିଲା । ସେତେବେଳେ ସମସ୍ତେ ଉତ୍ତମ ଶିକ୍ଷା ପାଇଁ ଲାହୋରର ବ୍ରିଟିଶ ସ୍କୁଲରେ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଭଗବତ ସିଂ, ବ୍ରିଟିଶ ଶିକ୍ଷା ଅନୁଷ୍ଠାନରେ ପଢିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଏବଂ ଆର୍ଯ୍ୟ ସମାଜ ଦ୍ୱାରା ପରିଚାଳିତ ସ୍କୁଲ ଓ ପରେ ଲାଲା ଲାଜପତ ରାୟଙ୍କ ଦ୍ୱାରା ସ୍ଥାପିତ ନେସନାଲ କଲେଜରେ ଭର୍ତି ହୋଇଥିଲେ । ମାତ୍ର ୧୨ ବର୍ଷର ହୋଇଥିବା ବେଳେ ସେ ଜାଲିଆନାୱାଲାବାଗ ଗଣହତ୍ୟାର କିଛି ଘଣ୍ଟା ପରେ ଦୀର୍ଘ ୫୦ କିଲମିଟରର ଯାତ୍ରା ପାଦରେ ଚାଲି ଚାଲି ଘଟଣା ସ୍ଥଳେ ପହଂଚି ଥିଲେ । ହଜାର ହଜାର ମୃତଦେହର ହୃଦୟ ବିଦାରକ ଦୃଶ୍ୟ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ସେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନର ଘୋଷଣା ପରେ ଉତ୍ସାହିତ ହୋଇ ଅଂଶଗ୍ରହଣ କରିଥିଲେ । କିନ୍ତୁ ୧୯୨୨ର ଚୌରୀଚୋରା ଘଟଣା ପରବର୍ତ୍ତୀ, ଗାନ୍ଧିଜୀଙ୍କ ନିଷ୍ପତି ତାଙ୍କୁ ନିରାଶ କରିଥିଲା । ୧୯୨୮ରେ ଇଂରେଜମାନଙ୍କ ଲାଠି ମାଡ଼ରେ ଆହତ ହୋଇ ଲାଲା ଲାଜପତ ରାୟଙ୍କ ମୃତ୍ୟୁ ଘଟିବା ପରେ ଭଗତସିଂ ଗାନ୍ଧିଜୀଙ୍କର ଅହିଂସାତ୍ମକ ନୀତି ପରିବର୍ତ୍ତେ, ହିଂସାତ୍ମକ ନୀତି ଆପଣାଇବା ଉଚିତ୍‌ ବୋଲି ମନେ କରିଥିଲେ । ଲାଲା ଲାଜପାତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଶିବରାମ ରାଜଗୁରୁ, ସୁଖଦେବ ଥପର ଓ ଚନ୍ଦ୍ରଶେଖରଙ୍କ ଶହ ମିଶି ଏକ ବ୍ରିଟିଶ ପୋଲିସ ଅଧିକାରୀଙ୍କୁ ହତ୍ୟା କରିଥିଲେ । ଇଂରେଜମାନେ ଯୋଜନା ବଦ୍ଧ ଭାବରେ ଷଡ଼ଯନ୍ତ୍ର କରି ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କୁ ୨୩ ମାର୍ଚ୍ଚ ୧୯୩୧ ମସିହା ସନ୍ଧ୍ୟା ପ୍ରାୟ ୭ଟା ୩୩ ମିନିଟ୍‌ରେ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ । ଫାଶୀ ଖୁଣ୍ଟ ଅଭିମୁଖେ ଯିବା ବେଳେ ସେମାନଙ୍କ ମୁଖରୁ ‘ଇଂକଲାବ ଜିନ୍ଦାବାଦ’ର ନାରା ଗୁଞ୍ଜରିତ ହୋଇଥିଲା ।

ଆମ ଦେଶକୁ ସ୍ୱାଧୀନ ହେବାର ୭୭ ବର୍ଷ ଅତିକ୍ରାନ୍ତ ହୋଇସାରିଛି । ଆମ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, କଳକାରଖାନା ରାସ୍ତାଘାଟ, ରେଳପଥ ସଡ଼କପଥ, ବିମାନ, ଅତ୍ୟାଧୁନିକ, ଜ୍ଞାନକୌଶଳରେ ନିର୍ମିତ କୃଷି ଉପକରଣ, ପ୍ରତିରକ୍ଷା ବିଭାଗରେ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର, ଟ୍ୟାଙ୍କ, ରକେଟ, ଯୁଦ୍ଧ ବିମାନ, ଯେପରିକି ରାଫେଲ ଯାହାକି ଅତି ଉନ୍ନତ ଶକ୍ତିଶାଳୀ ଯୁଦ୍ଧ ବିମାନ, ଫ୍ରାନ୍ସରୁ ଆମ ଦେଶ କ୍ରୟ କରିଥିଲା । ଏହାଛଡା ଶକ୍ତିଶାଳୀ ଯୁଦ୍ଧ ବିମାନ କ୍ଷେପଣାସ୍ତ୍ର ଆମେରିକା ଭଳି ରାଷ୍ଟ୍ରରୁ ଆଣିବାରେ ସକ୍ଷମ ହୋଇପାରିଛୁ । ଏହା ଆମ ପ୍ରତିରକ୍ଷା ଓ ସାମରିକ ଶକ୍ତି ବୃଦ୍ଧି କରିବାରେ ସହାୟ ହୋଇଛି । କୌଣସି ଶକ୍ତି ଆମ ଦେଶର ଅଖଣ୍ଡତା ଓ ନିରାପତ୍ତା ପ୍ରତି ବାଧା ସୃଷ୍ଟି କରିଲେ ଆମ ଲଢୁଆ ବୀର ତଥା ଶକ୍ତିଶାଳୀ ସେନା ଏହାକୁ ପ୍ରତିରୋଧ କରିବା ସହିତ ତାର ଉଚିତ୍ ଜବାବ୍ ଦେଉଛି । ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ – ୩ ସମ୍ପୂର୍ଣ୍ଣ ଭାବରେ ଚନ୍ଦ୍ର ପୃଷ୍ଠ ଅବତରଣ କରିଛି । ଆମ ଦେବଭୂମି, ପୁଣ୍ୟଭୂମି, ମାତୃଭୂମି ଭାରତ ବିଶ୍ୱ ଇତିହାସରେ ଆଉ ଏକ ବିରଳ ଦୃଷ୍ଟାନ୍ତ ପ୍ରଦର୍ଶନ କରିବାକୁ ଏକାକୀ ସକ୍ଷମ ହୋଇଛି । ଏହା ୧୪୦ କୋଟି ଭାରତୀୟ ଲୋକଙ୍କ ପାଇଁ ନିଶ୍ଚିତ ଭାବରେ ଐତିହାସିକ ମୂହୂର୍ତ୍ତ । ଆମ ଦେଶର ମହାକାଶ ଗବେଷଣା ସଂଗଠନ ଇସ୍ରୋର ବୈଜ୍ଞାନିକମାନେ ରେକର୍ଡ ପରେ ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି । ଚନ୍ଦ୍ରୟାନ – ୩ ସଫଳ ହେବା ପରେ, ଆଦିତ୍ୟ -ଏଲ୍‌ ୧ ମିଶନ (ସୂର୍ଯ୍ୟଙ୍କ ଗବେଷଣା କରିବାରେ), ଗଗନାୟାନ (ଅନ୍ତରୀକ୍ଷ ଉପରେ ଗବେଷଣା) ଏବଂ ଶୁକ୍ରାୟାନ (ଶୁକ୍ର ଗ୍ରହ ଉପରେ ଗବେଷଣା), ମଙ୍ଗଳାୟାନ (ମଙ୍ଗଳଗ୍ରହ ଉପରେ ଗବେଷଣା)ର ଲକ୍ଷ ନେଇ ଆଗକୁ ଅଗ୍ରସର ହେଉଛନ୍ତି । ନିକଟ ଭବିଷ୍ୟତରେ ଇସ୍ରୋର ବୈଜ୍ଞାନିକମାନେ ଏହି ମିଶନଗୁଡ଼ିକର ସଫଳ ରୂପାୟନ କରିବେ, ଏହା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ।

ମାତ୍ର ୬୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚନ୍ଦ୍ରୟାନ -୩ ସମଗ୍ର ବିଶ୍ୱକୁ ଆଚମ୍ବିତ କରିଛି । କିନ୍ତୁ ଅତି ଦୁଃଖ ପରିତାପର ବିଷୟ ଏହି କି ଯେ, ମହାନ ଦେଶପ୍ରେମୀ ସହିଦ ଭଗତ ସିଂଙ୍କ ସୁନାର ଭାରତ ସ୍ୱପ୍ନ ଏବେ ବି ଅଧୁରା ଅଛି । ଏବେବି ସାଧାରଣ ଗରିବ ଓ ମଧ୍ୟବର୍ତ୍ତୀ ବର୍ଗ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରତି ମୁହୂର୍ତ୍ତରେ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ସଂଘର୍ଷ କରୁଛନ୍ତି । ତାଙ୍କ ସହିତ ହେଉଥିବା ଅନ୍ୟାୟକୁ ସହ୍ୟ କରିନପାରି ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । ଏଥିପାଇଁ ଆମ ଦେଶର ସରକାରି କଳରେ ଉଦାସୀନତା ଓ ଭ୍ରଷ୍ଟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଦାୟୀ ।

ଏନ୍‌ସିଆର୍‌ବିର ରିପୋର୍ଟ ଅନୁସାରେ ‘ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଯେପରି ଧର୍ଷଣ, ଗଣ ଦୁଷ୍କର୍ମ, ମର୍ଡର, ଶାରୀରିକ ଓ ମାନସିକ ନିର୍ଯ୍ୟାତନା ହାର ୬୪. ୫ %(୧ ଲକ୍ଷ ଜନସଂଖ୍ୟାର ପରିଧି ମଧ୍ୟରେ) । ଏହା ବିଂଶ ଶତାବ୍ଦୀର ସଭ୍ୟ ସମାଜରେ ବିକାଶର ପରିପନ୍ଥୀ । ଏନ୍‌ସିଆର୍‌ବି ୨୦୨୧ର ଆଉ ଏକ ରିପୋର୍ଟ ଅନୁସାରେ ପ୍ରତିଦିନ ଆମ ଦେଶର ୮୬ ଜଣ ମହିଳା ଧର୍ଷଣର ଶିକାର ହେଉଛନ୍ତି ଏବଂ ୪୯ ଜଣ ମହିଳା ଦୁର୍ବ୍ୟବହାର ସାମ୍ନା କରୁଛନ୍ତି, ପ୍ରତି ଘଣ୍ଟାରେ ଭାରତରେ କୋଣ ଅନୁକୋଣରେ ଏପରି ଘଟୁଛି । ୨୦୨୦ରେ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ, ୨୦୧୯ରେ ହାଇଦ୍ରାବାଦରେ ୨୬ ବର୍ଷିଆ ମହିଳା ପଶୁ ଚିକିତ୍ସିକା ଗଣଧର୍ଷଣ ଓ ୧୯ ବର୍ଷିଆ
ଉତ୍ତର ପ୍ରଦେଶର ହାତ୍ରାସରେ ଜଣେ ମହିଳା ଗଣଧର୍ଷଣ ଭଳି ଅମାନୁଷିକ କାର୍ଯ୍ୟର ଶିକାର ହୋଇଥିଲେ । ଏହିପରି ଅନେକ ଘଟଣା ଆମ ଦେଶର ଜନସାଧାରଣଙ୍କୁ ସ୍ତବ୍ଧ କରିଦେଉଛି । ଏହି ସବୁ ଘଟଣା ଅତ୍ୟନ୍ତ ବିଭତ୍ସ ଓ ଲୋମହର୍ଷଣକାରୀ ଅଟେ । ଆମ ଦେଶରେ ବାରମ୍ବାର ଏହିପରି ଘଟଣାର ପୁନରାବୃତ୍ତି ଘଟିବା ବିଡ଼ମ୍ବନାର ବିଷୟ । ଆମ ଦେଶର କ୍ଷମତା ଲୋଭି ରାଜନେତା ଆରୋପ ପ୍ରତ୍ୟାରୋପ କାଦୁଆ ଫିଙ୍ଗା ରାଜନୀତିରେ ବ୍ୟସ୍ତ । ଧର୍ଷଣ ଗଣଧର୍ଷଣ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ କମିବା ବଦଳରେ ବଢିବାରେ ଲାଗିଛି । ନୂତନ ଭାରତ ଶିକ୍ଷିତ ଲୋକେ ଏଥିପ୍ରତି ଉଦାସୀନ ନହୋଇ ସଚେତନ ହେଲେ ଆମ ଦେଶର ସ୍ୱପ୍ନ ପୂରଣ ହେବ ।” ୟତ୍ର ପୂଜ୍ୟତେ ନାରୀ ତତ୍ର ତିଷ୍ଠନ୍ତି ଦେବତା” ।

ଆମ ଦେଶର ପୂର୍ବତନ ଆଇନ ମନ୍ତ୍ରୀ କିରଣ ରିଜୁ ରାଜ୍ୟ ସଭାରେ ଦେଇଥିବା ମନ୍ତବ୍ୟ ଆଧାରରେ, ବର୍ତ୍ତମାନ ଆମ ଦେଶରେ ପାଖାପାଖି ୫ କୋଟିରୁ ଅଧିକ ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ଅଛି । ଭାରତର ସର୍ବୋଚ୍ଚ ଆଦାଲତରେ ୬୯୦୦୦ରୁ ଅଧିକ ମାମଲା ଏବେ ବି ବିଚାରାଧୀନ ଅଛି । ଏହା ବ୍ୟତୀତ ଆମ ଦେଶର ୨୫ଟି ହାଇକୋର୍ଟରେ ୫୯ ଲକ୍ଷ ମାମଲା ଏବେ ବି ବିଚାରଧୀନ ଅଛି । ଏହିସବୁ ମାମଲାର ତୁରନ୍ତ ବିଚାର ପାଇଁ ଆମ ସରକାରଙ୍କ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ବିଡ଼ମ୍ବନାର ବିଷୟ । ଆମ ବ୍ୟବସ୍ଥାର ତୃଟି ପାଇଁ ଲକ୍ଷ ଲକ୍ଷ ଗରିବ ଓ ମଧ୍ୟବିତ୍ତ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଦିନକୁ ଦିନ ସାଧାରଣ ଜନ ସାଧାରଣ ଆମ ସରକାର ଓ ନ୍ୟାୟ ବ୍ୟବସ୍ଥା ଉପରୁ ଆସ୍ଥା ହରାଉଛନ୍ତି । ବର୍ତମାନ ଆମ ଦେଶର ମଣିପୁର ଘଟଣାକୁ ଯଦି ଆମେ ବିଚାରକୁ ନେବା ସେଠାରେ ୨ ସମୁଦାୟ ହିନ୍ଦୁ ବହୁଳ ମୈତ୍ରି ଏବଂ ଅଳ୍ପ ସଂଖକ କୁକୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି, ଯାହାକି ୧୮୧ରୁ ଅଧିକ ନିରହ ଜନ ସାଧାରଣଙ୍କ ବହୁମୂଲ୍ୟ ଜୀବନ ଚାଲିଯାଇଛି । ଦୁଇ ଜନଜାତି ମଧ୍ୟରେ ହିଂସା କାରଣରୁ ମଣିପୁରରେ ଏବେବି ବିଭିନ୍ନ ରିଲିଫ କ୍ୟାମ୍ପରେ ୫୪୪୮୮ରୁ ଅଧିକ ଲୋକ ରହୁଛନ୍ତି । ସେମାନଙ୍କ ଦୁର୍ଦ୍ଦଶା ନ କହିବା ଭଲ, ସେମାନେ ପ୍ରତି ମୁହଁର୍ତ୍ତରେ, ଭୟଭୀତ ଅବସ୍ଥାରେ ରହୁଛନ୍ତି ।

୭ ଜଣ କୁକୀ ଆଦିବାସୀ ସମ୍ପ୍ରଦାୟର ମହିଳା ମଣିପୁରରେ ଧର୍ଷଣର ଶିକାର ହୋଇଛନ୍ତି । ଦୀର୍ଘ ୭୭ ଦିନ ପରେ ମଣିପୁର ସରକାର ଓ ପୁଲିସ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇଥିଲା ଏବଂ ଧର୍ଷଣ ଘଟାଇଥିବା ମୁଖ୍ୟ ଖଳନାୟକକୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଛି ରାଜନୀତିକ ଦଳର ବ୍ୟକ୍ତିବିଶେଷ ମଣିପୁରର ଏହି ଦୁଇ ଆଦିବାସୀ ଜନଜାତି ମଧ୍ୟରେ ହିଂସାକୁ ଉସୁକେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନିଜର ରାଜନୈତିକ ଫାଇଦା ହାସଲ ପାଇଁ ଏହିପରି କୁକର୍ମ କରିବାକୁ କିଛି କ୍ଷମତା ପିପାସୁ ରାଜନେତା ପଛଘୁଞ୍ଚା ଦେଉ ନାହାଁନ୍ତି । ଏହା ସତରେ ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁଃଖଦାୟକ । ବର୍ତମାନ ଆମ ଦେଶର ରାଜନୀତିର ସ୍ତର ଧୀରେ ଧୀରେ ଅତି ନିମ୍ନଗାମୀ ହୋଇ ଚାଲିଛି । ସାମାନ୍ୟ କିଛି ଟଙ୍କା ଓ କ୍ଷମତା ଲୋଭରେ, ଆଜିର ରାଜନେତା ଯେ କୌଣସି ସ୍ତରକୁ ଯାଇପାରନ୍ତି, ଏଥିରେ ସନ୍ଦେହର ଅବକାଶ ନାହିଁ । ସ୍ୱାଧୀନତା ପୂର୍ବରୁ ଲାଲବାହୁଦୂର ଶାସ୍ତ୍ରୀଙ୍କ ଭଳି ରାଜନେତା ଏବଂ ବର୍ତମାନର ରାଜନେତାଙ୍କ ମଧ୍ୟରେ ଆକାଶ ପାତାଳର ଫରକ ଦୃଶ୍ୟମାନ ହୁଏ । ସ୍ୱାଧୀନତା ପୂର୍ବରୁ ରାଜନେତା ତ୍ୟାଗ ଓ ଦେଶ ପ୍ରେମର ଜ୍ୱଳନ୍ତ ଉଦାହରଣ ଥିଲେ । ବର୍ତ୍ତମାନର ରାଜନେତା ସାମାନ୍ୟ ଅର୍ଥ ଓ କ୍ଷମତା ହାସଲ କରିବା ପାଇଁ ଦଙ୍ଗାକୁ ଉସକାଇବା ଓ ନିଜର ରାଜନୀତିଜ୍ଞ ବିରୋଧୀଙ୍କୁ ମାରିବାକୁ ମଧ୍ୟ ପଛ ଘୁଞ୍ଚା ଦେଉନାହାନ୍ତି । ମିଛ ପ୍ରତିଶୃତି, ମିଛ ଆଶ୍ୱସନା ଦେଇ ଭୋଟ ହାତେଇବାରେ ସେମାନେ ସିଦ୍ଧହସ୍ତ ।

ପରିଶେଷରେ ଆମ ଦେଶର ସମସ୍ତ ରାଜନେତାମାନଙ୍କୁ ମୋର ହାତ ଯୋଡି ବିନମ୍ର ଅନୁରୋଧ ଯେ, ନିଜର ରାଜନୈତିକ ମହତ୍ତ୍ୱ କାକ୍ଷାଂରୁ ଉପରକୁ ଉଠି ମିଳିମିଶି ସମସ୍ତେ ଆମର ଦେଶର ବିକାଶ ଓ ପ୍ରଗତି ପାଇଁ ଯଥାସମ୍ଭବ ଚେଷ୍ଟାକରନ୍ତୁ ଏବଂ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟରୁ ବଞ୍ଚିତ ହେଉଥିବା ଅସହାୟ ନୀରିହ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କର କଲ୍ୟାଣ ପାଇଁ ସବୁପ୍ରକାରର ଉଦ୍ୟମ କରନ୍ତୁ । ଯାହା ଦ୍ଵାରା ଆମ ଦେଶ ବିକାଶ ପଥରେ ଅଗ୍ରସର ହେବ ଏବଂ ବିଶ୍ଵବାସୀଙ୍କ ଲାଗି ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିବ ନ ହେଲେ ଦେଶପ୍ରେମୀ ସହିଦ ଭଗତ ସିଂ ଭଳି ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳିଦାନ ପ୍ରତି ଏହା ଅପମାନ ହେବ । ସହିଦ ଭଗତ ସିଂହଙ୍କ ସୁନାର ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ସମସ୍ତ ଗରିବ, ସାଧାରଣ ମଧ୍ୟବିତ୍ତ ପରିବାରମାନଙ୍କୁ ନ୍ୟାୟ ମିଳିବ ଏବଂ ସେମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା, ଉଚ୍ଚକୋଟୀର ଶିକ୍ଷା, ଉତ୍ତମ ପୃଷ୍ଟିକର ଖାଦ୍ୟ, କର୍ମନିଯୁକ୍ତିର ସୁଯୋଗ ସରକାରୀ ଏବଂ ବେସରକାରୀ ପକ୍ରିୟାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟ କରିବେ । ଏହା ସମସ୍ତଙ୍କ ମିଳିତ ସହଯୋଗରେ ସମ୍ଭବ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ।

ଗୋପାଳପୁର, ବାଲେଶ୍ୱର
୭୦୨୦୬୧୧୩୦୦

Leave A Reply

Your email address will not be published.