- ମୁଖ୍ୟ ଅଭିଯୁକ୍ତ ଗିରଫ
କୁଚିଣ୍ଡା, (କେପିଏନ୍ଏସ୍) : କୁଚିଣ୍ଡା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗତ ୧୬ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ବିୟୁଟି ପାର୍ଲର କର୍ମଚାରୀ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ପ୍ରାୟ ୩ ଦିନ ପରେ ପୁଲିସ ବଡ଼ରମା ଘାଟିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ହେଉଛନ୍ତି ମହୁଲପାଲି ଥାନା ଅନ୍ତର୍ଗତ କୁସୁମୀ ଫାଣ୍ଡି ଅଧୀନ ମହୁଲଗୁଡ଼ାର ମନୋଜ ସା’ଙ୍କ ଝିଅ ସରିତା ସା (୨୪) । ସୂଚନା ଅନୁଯାୟୀ, ସରିତା କୁଚିଣ୍ଡାରେ ଏକ ବିୟୁଟି ପାର୍ଲରରେ କାମ କରୁଥିଲେ । ଗତ ୧୬ ତାରିଖରୁ ସେ ହଠାତ୍ ନିଖୋଜ ହୋଇଯିବା ପରେ ପରିବାର ଲୋକେ କୁଚିଣ୍ଡା ଥାନାରେ ଏକ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ପୁଲିସ ସ୍ଥାନୀୟ ୱାର୍ଡ ନମ୍ବର ୯ ରାମ୍ଜୀ ପଡ଼ାରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ସିସିଟିଭିରେ ସରିତା ସେହି ୱାର୍ଡର କୁଣ୍ଡାପୋଷୀ ନିବାସୀ ଚନ୍ଦ୍ର ପୃଷେଠଙ୍କ ପୁଅ ଅନୀଲ ପୃଷେଠଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା । ସନ୍ଦେହ ଆଧାରରେ ପୁଲିସ ଅନୀଲକୁ ତାଙ୍କ ଘରୁ ଉଠାଇ ଆଣି ଜେରା କରିଥିଲା । ପୁଲିସର ଘନ ଘନ ପଚରାଉଚୁରା ଆଗରେ ଅଭିଯୁକ୍ତ ଅନୀଲ ନିଜର ଦୋଷ ସ୍ୱୀକାର କରିଛି । ସେ ସରିତାଙ୍କୁ ହତ୍ୟା କରିବା ପରେ ଏକ ବୋଲେରୋ ଗାଡ଼ି ସାହାଯ୍ୟରେ ଶବକୁ ନେଇ ବଡ଼ରମା ଘାଟିରେ ଫିଙ୍ଗି ଦେଇଥିବା ମାନିଛି । ଅଭିଯୁକ୍ତର ବୟାନ ଆଧାରରେ କୁଚିଣ୍ଡା ପୁଲିସ ବଡ଼ରମା ଘାଟିରୁ ସରିତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଗାଡ଼ି ଓ ତାର ଡ୍ରାଇଭରକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
