jayashree

କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡାରେ ଅବକାରୀ ବିଭାଗର ବଡ଼ ଚଢ଼ାଉ : ୭ କେଜି ଗଞ୍ଜେଇ ଓ ୬୦ ବୋତଲ କଫ୍ ସିରପ୍ ଜବତ, ୨ ଗିରଫ

କଣ୍ଟାବାଞ୍ଜି, (ଯୁଗଳ କିଶୋରଳ ଶବର) : ନିଶା କାରବାର ବିରୋଧରେ ଆକ୍ସନ ମୋଡ୍‌ରେ ଅବକାରୀ ବିଭାଗ । କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅଞ୍ଚଳରେ ଶନିବାର ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଛି ବିଭାଗ । ଏହି ଚଢ଼ାଉରେ ୭ କେଜି ଗଞ୍ଜେଇ ଓ ୬୦ ବୋତଲ କଫ୍ ସିରପ୍ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପ୍ରଥମ ଘଟଣାରେ କଣ୍ଟାବାଞ୍ଜି ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ଅବକାରୀ ବିଭାଗ ଓ ଆର୍‌ପିଏଫ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଏହି ସମୟରେ ୭ କେଜି ଗଞ୍ଜେଇ ସହ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଡେଲାପଦର କଲୋନୀସାହିର ତିରୁପତି ପ୍ରଧାନ ନାମକ ୨୦ ବର୍ଷୀୟ ଯୁବକଙ୍କୁ କାବୁ କରିଥିଲେ ଅଧିକାରୀ । ସେହିପରି ଦ୍ୱିତୀୟ ଘଟଣାରେ ବଙ୍ଗୋମୁଣ୍ଡା ଅବକାରୀ ଷ୍ଟେସନ ପକ୍ଷରୁ ମୁରିବାହାଲ ଥାନା ଅନ୍ତର୍ଗତ ଅନ୍ତର୍ଲା ଗ୍ରାମରେ ଚଢ଼ାଉ ହୋଇଥିଲା । ଗ୍ରାମର ମଧୁ କୁମ୍ଭାରଙ୍କ ଘର ପଛପଟେ ଏକ ଧଳା ଜରି ବ୍ୟାଗ୍‌ରେ ଲୁଚାଇ ରଖାଯାଇଥିବା ୬୦ ବୋତଲ ୱିନ୍ ସେରେକ୍ସ କଫ୍ ସିରପ୍ ଜବତ କରାଯାଇଥିଲା । ଏହି ମାମଲାରେ ୪୪ ବର୍ଷୀୟ ମଧୁ କୁମ୍ଭାରଙ୍କୁ ଗିରଫ କରାଯାଇଛି । ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ ପାଇଁ ପଦକ୍ଷେପ ନିଆଯାଉଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏହି ଚଢ଼ାଉରେ କଣ୍ଟାବାଞ୍ଜି ଅବକାରୀ ରେଞ୍ଜ ଇନ୍ସପେକ୍ଟର ତିଳକ ରାମ ନାଏକ, କଣ୍ଟାବାଞ୍ଜି ଓଆଇସି ଝିନାପାଣି ସାବର, ବଙ୍ଗୋମୁଣ୍ଡା ଓଆଇସି ମାନସ ରଞ୍ଜନ ମୁଣ୍ଡାଙ୍କ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀ ଓ ଆର୍‌ପିଏଫ୍ ଯବାନ ସାମିଲ ହୋଇଥିଲେ ।

Leave A Reply

Your email address will not be published.