jayashree

ବାତ୍ୟା ‘ଅର୍ଣ୍ଣବ’ରେ ଫସଲ କ୍ଷତି : କ୍ଷତିପୂରଣ ଦାବି କଲା କୃଷକ ସଂଗଠନ

କଣ୍ଟାବାଞ୍ଜି, (ଯୁଗଳ କିଶୋରଳ ଶବର) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଚାଷୀଙ୍କ ମୁଣ୍ଡରେ ଚଡ଼କ । ପ୍ରବଳ ବର୍ଷା ଓ ପବନ ଯୋଗୁଁ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । କେଉଁଠି ଧାନ ଫସଲ ଜମିରେ ଶୋଇପଡ଼ିଛି ତ ଆଉ କେଉଁଠି ଚାଷଜମି ଜଳମଗ୍ନ ହୋଇ ଅମଳ ଉପଯୋଗୀ ଫସଲ ନଷ୍ଟ ହୋଇଛି । ଋଣ କରି ଓ ନିଜର କଷ୍ଟ ଉପାର୍ଜିତ ଅର୍ଥ ବିନିଯୋଗ କରି ଚାଷ କରିଥିବା ଚାଷୀ ଏବେ ଆର୍ଥିକ ସଙ୍କଟରେ । ଚାଷୀଙ୍କ ଏହି ଦୁର୍ଦ୍ଦଶାକୁ ନେଇ ଆଗକୁ ଆସିଛି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ସ୍ତରୀୟ କୃଷକ ସଂଗଠନ । ସଭାପତି ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ସଂଗଠନ ପକ୍ଷରୁ ବଙ୍ଗୋମୁଣ୍ଡା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ସମସ୍ତ କ୍ଷତିଗ୍ରସ୍ତ ଚାଷଜମିର ତୁରନ୍ତ କ୍ଷେତ୍ରସ୍ତରୀୟ ତଦନ୍ତ ସହ ଫସଲ କ୍ଷୟକ୍ଷତିର ନିରପେକ୍ଷ ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଏହାସହ ଫସଲ ବୀମା କରିଥିବା ଚାଷୀଙ୍କୁ ତୁରନ୍ତ ବୀମା ରାଶି ପ୍ରଦାନ, ସ୍ୱତନ୍ତ୍ର କୃଷି ଇନ୍‌ପୁଟ୍‌ ସହାୟତା, ଆବଶ୍ୟକ କୃଷି ସାମଗ୍ରୀ ଯୋଗାଣ ଏବଂ କୃଷି ଋଣ ପରିଶୋଧରେ ରିହାତି ପ୍ରଦାନ ପାଇଁ ଦାବି କରାଯାଇଛି । ସେହିପରି କୌଣସି ଯୋଗ୍ୟ କ୍ଷତିଗ୍ରସ୍ତ ଚାଷୀ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସ୍ୱଚ୍ଛ ଓ ନିରପେକ୍ଷ ତାଲିକା ପ୍ରସ୍ତୁତ କରିବାକୁ ମଧ୍ୟ ସଂଗଠନ ଦାବି ଜଣାଇଛି ।

Leave A Reply

Your email address will not be published.