
- ପଞ୍ଚମ ଦିନରେ ଭବ୍ୟ ବିସର୍ଜନ ଶୋଭାଯାତ୍ରା ସହ ନେଲେ ମା’ଙ୍କୁ ମେଲାଣି
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ପୌରାଞ୍ଚଳର ୧୮ ନମ୍ବର ୱାର୍ଡ ଘୁଲିପାଲିରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି ଚତୁର୍ଥ ବର୍ଷର ମା’ ଗଜଲକ୍ଷ୍ମୀ ପୂଜା । ପାଞ୍ଚ ଦିନ ଧରି ଚାଲିଥିବା ଏହି ପୂଜା ଉତ୍ସବକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପୂଜାର ପ୍ରଥମ ଦିନରେ ଶହ ଶହ ମହିଳା ଓ ଯୁବତୀଙ୍କ ଉପସ୍ଥିତିରେ ଏକ ଭବ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ପରେ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପୂଜାରେ କର୍ତ୍ତା ଭାବେ ବସନ୍ତ ଗୁରୁ ଓ ତାଙ୍କ ଧର୍ମପତ୍ନୀ ଗୁରୁବାରୀ ଗୁରୁ, ମେଘନାଦ ସାହୁ ଓ ତାଙ୍କ ଧର୍ମପତ୍ନୀ ଟିକିଲି ସାହୁ, ଗୋବିନ୍ଦ ସାହୁ ଓ ତାଙ୍କ ଧର୍ମପତ୍ନୀ ନିହାରିକା ସାହୁ ଦାୟିତ୍ୱ ତୁଳାଇଥିଲେ । ପଣ୍ଡିତ ରମେଶ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀମାନେ ପୂଜାପାଠ ସମ୍ପନ୍ନ କରିଥିଲେ । ପୂଜା ଅବସରରେ ରାମାୟଣ ପାରାୟଣ, ଭଜନ ସନ୍ଧ୍ୟା ସମେତ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପୂଜାମଣ୍ଡପ ଉତ୍ସବମୁଖର ହୋଇଉଠିଥିଲା । କମିଟି ସଦସ୍ୟ ଷ୍ଟାଲିନ ଖୁଣ୍ଟିଆ, କୃଷ୍ଣ, ତରୁଣ, ମୁନ୍ନା, ଗୁଡ୍ଡୁ, କୁନୁ, ରାଜା, ଜଗନ୍ନାଥ ଓ ପ୍ରକାଶ ସାହୁଙ୍କ ସମେତ ଘୁଲିପାଲି ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ପୂଜା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା । ଶେଷରେ ପଞ୍ଚମ ଦିନରେ ମା’ ଗଜଲକ୍ଷ୍ମୀଙ୍କ ଭବ୍ୟ ବିଗ୍ରହକୁ ବିସର୍ଜନ କରାଯାଇ ମା’ଙ୍କୁ ଭକ୍ତିଭରା ବିଦାୟ ଦିଆଯାଇଥିଲା ।