
ରାଉରକେଲା, (ସସ୍ମିତା ପ୍ରଧାନ) : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ମିଳିତ ସହଯୋଗରେ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର ୨୬ ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଆଜିର କାର୍ଯ୍ୟକ୍ରମରେ ପଶ୍ଚିମାଂଚଳ ଆରକ୍ଷୀ ଉପମହାନୀରିକ୍ଷକ ବ୍ରିଜେଶ ରାଏ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନର ଶୀର୍ଷକ ହେଉଛି ” ସାଧୁତାରୁ ସମୃଦ୍ଧି” । ସମସ୍ତଙ୍କ ମିଳିତ ସହଯୋଗରେ ଦୁର୍ନୀତି ମୁକ୍ତ ସମାଜ ଗଠନ କରାଯାଇପାରିବ । ଯୁବପିଢି ମାନେ ଏହା ପାଇଁ ଆଗେଇ ଆସନ୍ତୁ । ଦୁର୍ନୀତି ନିବାରଣ କଲେ ହିଁ ସମାଜର ତଥା ଦେଶର ପ୍ରଗତି ସୁନିଶ୍ଚିତ ହେବ । ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର କହିଥିଲେ ଯେ, ଦୁର୍ନୀତି ମୁକ୍ତ ସମାଜ କେବଳ ଆଇନ ଦ୍ୱାରା ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତିର ସଚ୍ଚୋଟତା ଓ ନୈତିକ ଆଚରଣ ଦ୍ୱାରା ଗଠିତ ହୋଇଥାଏ । ମୁଖ୍ୟ ବକ୍ତାଭାବରେ ଯୋଗଦାନ କରି ଇସ୍ପାତ ମହାବିଦ୍ୟାଳୟ ଅଧ୍ୟାପକ ଆଲୋକ କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସାଧୁତାର ସହିତ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ । ସମସ୍ତଙ୍କୁ ନିଜ ମାନସିକତାରେ ପରିବର୍ତ୍ତନ କରିବାକୁ ଆହ୍ୱାନ କରିଥିଲେ । ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ହରେକୃଷ୍ଣ ମାଝୀ ଅଭିଭାଷଣରେ ରାଉରକେଲା ଭିଜିଲାନ୍ସ ଡିଭିଜନର ବିଗତ ୨ ବର୍ଷର କାର୍ଯ୍ୟ ଦକ୍ଷତାର ବିବରଣୀ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ୧୨.୬.୨୦୨୪ ରୁ ୨୬.୧୦.୨୦୨୬ ମଧ୍ୟରେ ୩୬ ଅପରାଧିକ ମାମଲା ରୁଜୁ ହେବା ସହିତ ୩୫ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇଛି । ସେଥିରୁ ୫ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଓ ୬ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଅଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ୮ଟି ମାମଲା ରୁଜୁ କରାଯାଇଛି । ଯେଉଁଥିରେ ନଗଦ ୪୬ଲକ୍ଷ ଟଙ୍କା ଜବତ ହୋଇଛି । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କୋର୍ଟରେ ୧୨୭ଟି ଅଭିଯୋଗ ପତ୍ର ଦାଖଲ ହୋଇଛି । ସୁନ୍ଦରଗଡ ସ୍ଵତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅଦାଲତରେ ୬୨ଟି ମାମଲାର ନିଷ୍ପତି ହୋଇଛି । ଏହି ସମୟ ସୀମା ମଧ୍ୟରେ ୩୨ ଟି ମାମଲାର ଦଣ୍ଡ ବିଧାନ ହୋଇଛି ଏବଂ ୪୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ପରେ ୬ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରେ ବରଖାସ୍ତ କରାଯିବ ସହିତ ୧୫ ଜଣଙ୍କ ପେନସନ ବନ୍ଦ କରାଯାଇଛି । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସେଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ପୂର୍ବରେ ଆଜି ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରୁ ଆଇଟିଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ପାନପୋଷ କ୍ରୀଡା ଛାତ୍ରାବାସର ଛାତ୍ରଛାତ୍ରୀ, ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଆଦି ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଳାପାଳ ଦୀନା ଦସ୍ତଗୀର, ରାଉରକେଲା ଏସପି ନୀତେଶ ୱାଧ୍ୱୱାନୀ, ଡିଏଫଓ ରାଉରକେଲା ରବିକାନ୍ତ ମୀନା ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ରାଷ୍ଟ୍ରିୟ ଏକତା ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥ ପାଠ କରାଇଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ ସୋମନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ମଂଚ ପରିଚାଳନା କରଥିଲେ ।