
- ପୋଲିସ୍ ଆଉଟପୋଷ୍ଟ, ସିସିଟିଭି କ୍ୟାମେରା ଓ ନିୟମିତ ପାଟ୍ରୋଲିଂ ପାଇଁ ଏସ୍ପିଙ୍କୁ ଦାବିପତ୍ର
ବରଗଡ଼, (ମୁନ୍ନା ସାହୁ) : କଲେଜ୍ ଯିବା ରାସ୍ତାରେ ଅସୁରକ୍ଷିତ ପରିବେଶକୁ ନେଇ ତାତିଲେ ଛାତ୍ରଛାତ୍ରୀ । ପଞ୍ଚାୟତ ଡିଗ୍ରୀ କଲେଜ୍ର ଛାତ୍ରଛାତ୍ରୀମାନେ ନିଜ ସୁରକ୍ଷା ପାଇଁ ଏକଜୁଟ ହୋଇ ପୋଲିସ୍ ପ୍ରଶାସନ ନିକଟରେ ଉଠାଇଛନ୍ତି ଦାବି । ଅଭିଯୋଗ ଅନୁସାରେ, କଲେଜ୍କୁ ଯିବା ଆସିବା ରାସ୍ତାରେ କିଛି ଅସାମାଜିକ ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ଧମକ ଦେବା, ହଇରାଣ କରିବା ଏବଂ ଟଙ୍କା ଆଦାୟ କରିବା ଭଳି କାର୍ଯ୍ୟ କରୁଛନ୍ତି । ଏହାକୁ ନେଇ ବିଶେଷ କରି କଲେଜ୍କୁ ଯାତାୟାତ କରୁଥିବା ଛାତ୍ରୀମାନଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି । ଏହି ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀମାନେ ବରଗଡ଼ ଏସ୍ପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ କଲେଜ୍ ନିକଟରେ ଏକ ପୋଲିସ୍ ଆଉଟପୋଷ୍ଟ ସ୍ଥାପନ, କଲେଜ୍ ରାସ୍ତାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ଏବଂ କଲେଜ୍ ଚାଲୁଥିବା ସମୟରେ ନିୟମିତ ପୋଲିସ୍ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ସହିଦ୍ ଭଗତ ସିଂହଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ସହ ନିଜ ଅଧିକାର ଓ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବାର ବାର୍ତ୍ତା ଦେଇଛନ୍ତି ଛାତ୍ରଛାତ୍ରୀ । ଶିକ୍ଷାନୁଷ୍ଠାନରେ ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ମଧ୍ୟ ସମାନ ଗୁରୁତ୍ୱ ପାଇବା ଦରକାର ବୋଲି ସେମାନେ ମତ ରଖିଛନ୍ତି । ଏବେ ପୋଲିସ୍ ପ୍ରଶାସନ ଏହି ଦାବି ଉପରେ କି ପଦକ୍ଷେପ ନେଉଛି, ତାହାକୁ ଅପେକ୍ଷା କରିଛନ୍ତି କଲେଜ୍ର ଛାତ୍ରଛାତ୍ରୀ ।