ଭାରତୀୟ ଜନତା ପାର୍ଟିର କୃଷକ ସେଲ୍ ତରଫରୁ ସାମ୍ବାଦିକ ସମ୍ମିଳନୀ : ଚାଷୀମାନଙ୍କଠୁ କୋଟି କୋଟି ଲୁଟୁଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟିର କୃଷକ ସେଲ୍ ତରଫରୁ ବରଗଡ଼ ସାମ୍ବାଦିକ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସରକାର ଚାଷୀ ମାନଙ୍କ ଧାନର ପ୍ରାୟ ୩୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପ୍ରତ୍ୟେକ ରବି ଓ ଖରିଫ ଋତୁରେ ମିଲ୍‌ ମାଲିକ ମାନଙ୍କ ସହ ମିଶି ଲୁଟ୍ କରୁଥିବା ଭାରତୀୟ ଜନତା ପାର୍ଟି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ସମ୍ପର୍କରେ କୃଷି ମନ୍ତ୍ରୀ ଅରୁଣ ସାହୁ କରିଥିବା ସାମ୍ବାଦିକ ସମ୍ମିଳନୀ ଅତ୍ୟନ୍ତ ହାସ୍ୟାସ୍ପଦ ଓ ବାଚଳଳାମୀ ସଦୃଶ । ଏହା କୁହାଳିଆଙ୍କ ବାରବାଟୀ ଚାଷ ଭଳି ବକ୍ତବ୍ୟ । କୃଷି ମନ୍ତ୍ରୀ ଓ କୃଷି ବିଭାଗର ଅପାରଗତା କାରଣରୁ ତଥା ତଥ୍ୟ ଠିକ୍ ନଦେଇ ପାରିବାରୁ ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ବଞ୍ଚିତ ହେଉଛନ୍ତି, ଯାହା ଦୁଃଖର ବିଷୟ । ମୋଦୀଙ୍କ ଉପରେ ଆକ୍ଷେପ କରିବା ପୂର୍ବରୁ ନିଜକୁ ସମୀକ୍ଷା କରନ୍ତୁ ଏବଂ ଚାଷୀଙ୍କୁ ହକ୍ ଦେବା ପାଇଁ ନିଜେ ଯୋଜନା ପ୍ରସ୍ତୁତ କରନ୍ତୁ । ୨୦୧୩ ଡିସେମ୍ବର ମାସରେ ବରଗଡ଼ରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କହିଥିଲେ, ଧାନ କ୍ଵିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ପ୍ରଦାନ କରିବେ । କୃଷି ମନ୍ତ୍ରୀ ଉତ୍ତର ଦେବେ କି, ଏ ବୋନସ୍‌ କେବେ ଚାଷୀଙ୍କୁ ମିଳିବ ? ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରି ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶ ସମେତ ଆମ ରାଜ୍ୟର ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବଦ୍ଧପରିକର । ସ୍ୱାଧୀନତାର ୭ ଦଶନ୍ଧିରେ ଦେଶ ଓ ରାଜ୍ୟର ଚାଷୀ ଭାଇ ମାନଙ୍କର ବିକାଶ ପାଇଁ ଯାହା କରାଯାଇ ପାରିନଥିଲା, ମୋଦୀ ତାଙ୍କର ୬ ବର୍ଷର ଶାସନ କାଳରେ ତା’ଠାରୁ ଅଧିକ ଯୋଗଦାନ ଦେଇଛନ୍ତି । ଚାଷୀ ମାନଙ୍କୁ ତାଙ୍କର ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ହେଉ ଅଥବା ଚାଷୀ ମାନଙ୍କୁ ଆର୍ଥିକ ସହାୟତା ମୋଦୀ କୃଷକ ସଶକ୍ତିକରଣର ନୂଆଯୁଗ ଆରମ୍ଭ କରିଛନ୍ତି । ପ୍ରତିବର୍ଷ ଖରିଫ ଓ ରବି ଋତୁ ପାଇଁ ହେଉଥିବା ଫସଲର ସର୍ବ ନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ବୃଦ୍ଧି କରାଯାଇଛି । ଚାଷୀ ମାନଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ଓ ଚାଷୀ ମାନଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବର୍ଷ ୨୦୨୧-୨୨ ଖରିଫ ଫସଲ ପାଇଁ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ଚାଷ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ଫସଲ ମଧ୍ୟରୁ ଅନ୍ୟତମ ଧାନର ନିମ୍ନ ସହାୟକ ମୂଲ୍ୟ ୨୦୨୧-୨୨ ବର୍ଷ ପାଇଁ କ୍ଵିଣ୍ଟାଲ ପିଛା ଅଧିକ ୭୨ ଟଙ୍କା ବୃଦ୍ଧି କରାଯାଇଛି । ଧାନର କ୍ଵିଣ୍ଟାଲ ପିଛା ନିମ୍ନ ସହାୟକ ମୂଲ୍ୟ ୨୦୧୩-୧୪ ଆର୍ଥିକ ବର୍ଷରେ ୧୩୧୦ ଟଙ୍କା ଥିଲା । ମାତ୍ର କେନ୍ଦ୍ର ସରକାର ଏହାକୁ ବୃଦ୍ଧି କରି ଧାନ କ୍ଵିଣ୍ଟାଲ ପିଛା ୨୦୨୧-୨୨ ରେ ୧୯୪୦ ଟଙ୍କା କରିଛନ୍ତି । ଭାରତ ସରକାର ଚାଷୀ ମାନଙ୍କ ସ୍ୱାର୍ଥ ଓ କଲ୍ୟାଣକୁ ଦୃଷ୍ଟିରେ ରଖି ବର୍ଷ ୨୦୨୧-୨୨ରେ ଓଡ଼ିଶାରୁ ୧୩୯୪୮.୬ କୋଟି ଟଙ୍କା ମୂଲ୍ୟର ୭୧.୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବା ପାଇଁ ସରକାର ଲକ୍ଷ ରଖିଛନ୍ତି । ମାତ୍ର ରାଜ୍ୟ ସରକାର ମଣ୍ଡିରେ କଟନୀ ଛଟନୀ କରି ସିଧାସଳଖ ଭାବରେ ଚାଷୀ ମାନଙ୍କୁ ଲୁଟ୍ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ବୋଲି ଶ୍ରୀ ପୁରୋହିତ ନିଜ ବକ୍ତବ୍ୟରେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ସୁରେଶ୍ଵର ଶତପଥୀ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର,ବରଗଡ଼ ଜିଲ୍ଲା ସଂପାଦକ ରଖି ନାରାୟଣ ଦାଶ, କୁଶ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 − 11 =