jayashree

ଜାତିପ୍ରଥାର ନିର୍ମମ ଚିତ୍ର : ୨୦ ଘଣ୍ଟା ପଡ଼ିରହିଲା ଶବ, ଶେଷରେ ଦେବଦୂତ ସାଜିଲେ ସ୍ୱେଚ୍ଛାସେବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ପହଞ୍ଚିଲାଣି ଚନ୍ଦ୍ରପୃଷ୍ଠରେ, ଡିଜିଟାଲ ଦୁନିଆରେ ଚାଲିଛି ଉନ୍ନତିର ଯାତ୍ରା । ହେଲେ ଆଜି ବି ସମାଜରୁ ହଟୁନି ଜାତିପ୍ରଥା ଓ ଅନ୍ଧବିଶ୍ୱାସ । ଏହାର ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଯୁବା ପଞ୍ଚାୟତ ଅନ୍ତର୍ଗତ ଖଲିପଥର ଗାଁରୁ । ଅନ୍ୟ ଜାତିର ମହିଳାଙ୍କୁ ବିବାହ କରିଥିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ କେହି ଆଗକୁ ଆସିନଥିବା ଅଭିଯୋଗ ହୋଇଛି । ଶେଷରେ ପାଟଣାଗଡ଼ ଅଞ୍ଚଳର କିଛି ସ୍ୱେଚ୍ଛାସେବୀ ଆଗକୁ ଆସି ମାନବିକତାର ପରିଚୟ ଦେଇଛନ୍ତି । ସୂଚନା ଅନୁସାରେ, ଖଲିପଥର ଗାଁର ଗଜାଧର ବାଗଙ୍କର ଗତ ୨୮ ଅକ୍ଟୋବର ଅପରାହ୍ନ ପ୍ରାୟ ୪ଟା ସମୟରେ ମୃତ୍ୟୁ ହୋଇଥିଲା । ତାଙ୍କର ତିନି ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବାପାଙ୍କ ଅସୁସ୍ଥତା ଖବର ପାଇ ବଡ଼ ପୁଅ ଗାଁକୁ ଫେରି ଚିକିତ୍ସା କରୁଥିଲେ । ହେଲେ ବାପାଙ୍କ ମୃତ୍ୟୁ ପରେ ଶବ ସତ୍କାର କରିବାକୁ ସେ ଏକାକୀ ଅସହାୟ ହୋଇପଡ଼ିଥିଲେ । ଅଭିଯୋଗ ଅନୁସାରେ, ଅନ୍ୟ ଜାତିରେ ବିବାହ କରିଥିବା କାରଣରୁ ଜାତିଭାଇ, ସମ୍ପର୍କୀୟ ଓ ଗାଁର ଲୋକେ ଶବକୁ ଚାରି କାନ୍ଧ ଦେବାକୁ ଆଗକୁ ଆସିନଥିଲେ । ଫଳରେ ପ୍ରାୟ ୨୦ ଘଣ୍ଟା ଧରି ଘରେ ପଡ଼ିରହିଥିଲା ମୃତଦେହ । ଏହି ହୃଦୟବିଦାରକ ଘଟଣା ବିଷୟରେ ଜାଣିବା ପରେ ଆଜି ସକାଳେ ପାଟଣାଗଡ଼ ଅଞ୍ଚଳର କିଛି ସ୍ୱେଚ୍ଛାସେବୀ ଗାଁରେ ପହଞ୍ଚିଥିଲେ । ସେମାନେ ସମ୍ମାନର ସହ ମୃତଦେହକୁ କାନ୍ଧରେ ବୋହି ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ପୈତୃକ ଜମିକୁ ନେଇ ଶବ ସତ୍କାର କରିଥିଲେ । ଏହି ମାନବିକ କାର୍ଯ୍ୟରେ ସମାଜସେବୀ ଗିରିରାଜ ଭୋଇ, ସାମ୍ବାଦିକ ପ୍ରବୀଣ ପୁରୋହିତ, ନିରୋଜ ଡି. ପଟେଲ, ରଘୁନାଥ ରଣା ଓ ଦିଲ୍ଲୀପ କୁମୁରା ସାମିଲ ହୋଇଥିଲେ । ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା ଓ ପବନ ଜାରି ରହିଥିଲେ ମଧ୍ୟ ସେମାନେ ପଛଘୁଞ୍ଚା ଦେଇନଥିଲେ । ସ୍ୱେଚ୍ଛାସେବୀମାନଙ୍କ କହିବା ଅନୁସାରେ, ଜୀବିତ ଥିବା ସମୟରେ ମଣିଷ ମଧ୍ୟରେ ମତଭେଦ ରହିପାରେ, କିନ୍ତୁ ମୃତ୍ୟୁ ପରେ ଏକ ମୃତଦେହ ପ୍ରତି ଘୃଣା ଓ ଭେଦଭାବ କାହିଁକି ? ଏଭଳି ଘଟଣା ସମାଜ ପାଇଁ ଏକ କଳଙ୍କ । ସ୍ୱେଚ୍ଛାସେବୀମାନଙ୍କ ଏହି ମହାନ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ଜାତିପ୍ରଥା ବିରୋଧରେ ସଚେତନତାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।

Leave A Reply

Your email address will not be published.