jayashree

କେକେଡି ହଟାଇବା ଦାବିରେ ତେଜିଲା ଆନ୍ଦୋଳନ : ନଭେମ୍ବର ୩୦ରୁ ଅନିର୍ଦ୍ଦିଷ୍ଟ କାଳୀନ ଅନଶନ ଚେତାବନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ସମ୍ପ୍ରଦାୟକୁ ବାଦ୍ ଦେବା ଦାବିରେ ତେଜିଲା ଆନ୍ଦୋଳନ । ଏହି ଦାବିକୁ ନେଇ ଅଲ୍‌ ଓଡ଼ିଶା କେକେଡି ହଟାଓ ଆକ୍ସନ କମିଟି ପକ୍ଷରୁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗଙ୍କ ନିକଟରେ ଦାଖଲ ହୋଇଛି ବିସ୍ତୃତ ଅଭିଯୋଗପତ୍ର । ଏଥିସହ ଦାବି ପୂରଣ ନହେଲେ ନଭେମ୍ବର ୩୦ ତାରିଖରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳୀନ ସାମୂହିକ ଅନଶନ କରିବାକୁ ଚେତାବନୀ ଦିଆଯାଇଛି । ବଲାଙ୍ଗିର ସମ୍ବାଦିନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଆବାହକ ତଥା ସାଧାରଣ ସମ୍ପାଦକ ଡିଙ୍ଗର କୁମ୍ଭାର, ଉପସଭାପତି ସୁବ୍ରତ ଜଗଦଲା, ଭୀମ ଆର୍ମୀର ଚିନୁ ହରପାଲ ଏବଂ ଆଇନଜୀବୀ ଦିନେଶ ନାଗ ଏହି ଦାବି ଉଠାଇଛନ୍ତି । କମିଟିର ଅଭିଯୋଗ ଅନୁସାରେ, ଓଡ଼ିଶା ସରକାରଙ୍କ ପତ୍ର ଓ ଆର୍‌ଟିଆଇ ତଥ୍ୟକୁ ଆଧାର କରି ଅନୁସୂଚିତ ଜାତି ତାଲିକାର କ୍ରମିକ ନମ୍ବର ୨୪ରୁ କେଉଁଟ, କୈବର୍ତ୍ତ ଓ ଧୀବର ସମ୍ପ୍ରଦାୟକୁ ହଟାଇବା ପାଇଁ ଦାବି କରାଯାଇଛି । ଏହି ସମ୍ପ୍ରଦାୟର ଅନ୍ତର୍ଭୁକ୍ତି ଯୋଗୁଁ ମୂଳ ଅନୁସୂଚିତ ଜାତି ବର୍ଗର ଲୋକମାନେ ସୁଯୋଗରୁ ବଞ୍ଚିତ ହେଉଥିବା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ଏହାସହ ଯାଜପୁରର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ବିରୋଧରେ ମଧ୍ୟ କମିଟି ଗୁରୁତର ଅଭିଯୋଗ ଆଣିଛି । ସରକାରୀ ପ୍ରକ୍ରିୟାରେ ରାଜନୈତିକ ହସ୍ତକ୍ଷେପ କରାଯାଉଥିବା ଏବଂ ଜାତି ପ୍ରମାଣପତ୍ର ସମ୍ପର୍କିତ ମାମଲାରେ ପ୍ରଭାବ ପକାଯାଉଥିବା କମିଟି ଅଭିଯୋଗ କରିଛି । ତେବେ ଏହି ଅଭିଯୋଗଗୁଡ଼ିକ ଉପରେ ସମ୍ପୃକ୍ତ ପକ୍ଷଙ୍କ ପ୍ରତିକ୍ରିୟା ଏଠାରେ ଉଲ୍ଲେଖ ନାହିଁ । କମିଟି ପକ୍ଷରୁ ଦାବି କରାଯାଇଛି ଯେ, ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାର ତଥା ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ ତୁରନ୍ତ ନିରପେକ୍ଷ ତଦନ୍ତ କରି ନ୍ୟାୟସଙ୍ଗତ ନିଷ୍ପତ୍ତି ନିଅନ୍ତୁ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କମିଟି ଚେତାବନୀ ଦେଇଛି ।

Leave A Reply

Your email address will not be published.