ପଶ୍ଚିମ ଓଡିଶା ବିକାଶ ପରିଷଦର ସ୍ୱତନ୍ତ୍ର କୋଭିଡ ପ୍ୟାକେଜ ଘୋଷଣା

  • ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନ୍ତ୍ରୀ ଟୁକୁନୀ ସାହୁ
  • ଭୀମ ଭୋଇ ମେଡିକାଲରେ ଏକ୍‌ମୋ ମେସିନ ଦାବୀ କଲେ ନରସିଂହ
  • ୩ କୋଟିର ପ୍ୟାକେଜ ସମୁଦ୍ରକୁ ସଂଖେ ପାଣି : ସାଲୁଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଞ୍ଚଳରେ ଥିବା ୧୧ଟି ଜିଲ୍ଲା କୋଭିଡ୍‌ ପରିଚାଳନା ତଥା ସଂକ୍ରମଣ ରୋକିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ବଲାଙ୍ଗିର ପାଇଁ ୩ କୋଟି ଟଙ୍କାର ବିଭିନ୍ନ ଚିକିତ୍ସା ଉପକରଣ କୋଭିଡ୍‌ ସହାୟତା ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହା ମାଧ୍ୟମରେ କରୋନା ସହ ଲଢେଇ ପାଇଁ ଜିଲ୍ଲାର ଟିଟିଲାଗଡ ଉପଖଣ୍ଡ ପାଇଁ ଗୋଟିଏ ଏଏଲ୍‌ଏସ୍‌ ଆମ୍ବୁଲାନ୍ସ, ୨୨୧୬ଟି ଅକ୍ସିମିଟର, ୨୨୬ ଟି ଥର୍ମାଲ ସ୍କେନର, ୧୬ ଟେବୁଲ ଟପ ଅକ୍ସିମିଟର, ଗୋଟିଏ ମାଗଲୁମି ୮୦୦ ମେସିନ, ୩୨ଟି ଆଇସିୟୁ ବ୍ୟାଡ, ୧୦ଟି ଭେନ୍ଟିଲେଟର ଯୋଗାଇ ଦିଆଯାଇଛି । ଲୋକାର୍ପଣ ଉତ୍ସବରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସରୀ ଡା.ସବିତା ମହାପାତ୍ର, ମେଡ଼ିକାଲ ଅଧିକ୍ଷକ ଡା. ମହେନ୍ଦ୍ର ନାୟକ, ସିଡ଼ିଏମ୍‌ଓ ଡା. ଭୀମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ମନ୍ତ୍ରୀ ଟୁକୁନୀ ସାହୁ କରି ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିନବ ଯୋଜନା ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ସାଂସଦ ଶ୍ରୀମତି ସିଂଦେଓ ଏହି ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଜିଲ୍ଲାର ସମସ୍ତ ଉପଖଣ୍ଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟବସ୍ଥା ମଜବୁତ କରିବା ସଂଗେ ସଂଗେ ଖାଲି ଥିବା ପଦବୀ ପୁରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଏହି କାର୍ଯ୍ୟକ୍ରମକୁ ‘କାମ କମ୍‌ ଆଡମ୍ବର ବେଶୀ’ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସାରା ରାଜ୍ୟର ସ୍ୱାସ୍ଥ୍ୟ ଦାୟୀତ୍ୱ ରାଜ୍ୟ ସରକାରଙ୍କର ହୋଇଥିବା ବେଳେ ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟାବସ୍ଥା ସୁଧାରିବାରେ ବିକାଶ ପରିଷଦର ପାଣ୍ଟି ଉପଯୋଗର ପ୍ରାସଙ୍ଗିକତା ନାହିଁ । ଯଦି ସରକାର ସମସ୍ତ ଜିଲ୍ଲା ସହିତ ସମାନ ଅନୁପାତରେ ପଶ୍ଚିମ ଓଡିଶାକୁ ସ୍ୱାସ୍ଥ୍ୟବସ୍ଥା ଯୋଗଇ ଦେବା ପରେ ପଶ୍ଚିମ ଓଡିଶାକୁ ଏ ମାଧ୍ୟମରେ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି, ତାହେଲେ ଏହା ସ୍ୱାଗତ ଯେଗ୍ୟ । କିନ୍ତୁ ପୁର୍ବାଞ୍ଚଳକୁ ସରକାର ସ୍ୱାସ୍ଥ୍ୟ ସେବା ପାଇଁ ସିଧା ସଳଖ ଅର୍ଥ ପ୍ରଦାନ କରୁଥିବା ବେଳେ ପଶ୍ଚିମ ଓଡିଶାକୁ ବିକାଶ ପରିଷଦର ସ୍ୱଳ୍ପ ପାଣ୍ଠିରୁ ଅର୍ଥ ଯୋଗାଉଥିଲେ, ତାହା ଅଂଚଳବାସୀଙ୍କ ପ୍ରତି ଛଳନା ହେବ । ତେଣୁ ରାଜ୍ୟ ସରକାର ଅଲଗା ଜିଲ୍ଲାମାନଙ୍କରେ ଯେପରି ନିଜ ପାଣ୍ଠିରୁ କୋଭିଡ୍‌ ପରି·ଳନା ପାଇଁ ଅନୁଦାନ ଦେଉଛନ୍ତି, ସେଭଳି ପଶ୍ଚିମାଞ୍ଚଳ ଜିଲ୍ଲାମାନଙ୍କୁ ମଧ୍ୟ ନିଜ ପାଣ୍ଠିରୁ କରୋନା ମୁକାବିଲା ପାଇଁ ଅନୁଦାନ ଦିଅନ୍ତୁ । ତାଦ୍ୱାରା ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠି ନିର୍ଦ୍ଧାରିତ ସ୍ଥାନରେ ଖର୍ଚ୍ଚ ହୋଇ ପାରିବ । ନିଜ ବକ୍ତବ୍ୟରେ ସେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲରେ ଗୋଟିଏ ଏକମୋ ମେସିନ ସ୍ଥାପନ ପାଇଁ ଦାବୀ କରିଥିଲେ । ସେହିପରି କଂଟାବାଂଜି ବିଧାୟକ ଶ୍ରୀ ସାଲୁଜା ବିକାଶ ପରିଷଦର ୨୦୦ କୋଟି ବଜେଟରୁ ମାତ୍ର ୨୫ କୋଟି ଅନୁଦାନ ପର୍ଯ୍ୟାପ୍ତ ନୁହେଁ । ଜିଲ୍ଲାକୁ ଅତିକମରେ ୧୦ କୋଟି ଟଙ୍କାର ସହାୟତା ଯୋଗଇବା ପାଇଁ ଦାବୀ ଜଣାଇଥିଲେ । ପାଟଣାଗଡ ବିଧାୟକ ଶ୍ରୀ ମେହେର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ରାଣା ବିକାଶ ପରିଷଦର ଏହି ସହାୟତା ଜିଲ୍ଲାରେ କୋଭିଡ ବ୍ୟବସ୍ଥାକୁ ମଜବୁତ କରିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଓ ବିକାଶ ପରିଷଦ ଅଧକ୍ଷ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସଂଗେ ସଂଗେ ସଭା ସମାପ୍ତି ଘୋଷଣା କରିଥିଲେ ।

Leave A Reply

Your email address will not be published.

fourteen − three =