jayashree

ଓଆର୍‌ଭି ଆଇନର କଡ଼ାକଡ଼ି ଅନୁପାଳନ ଦାବି

  • ବଙ୍ଗୋମୁଣ୍ଡାରେ ବିଇଓ ଓ ଏବିଇଓଙ୍କୁ ସମ୍ବର୍ଦ୍ଧନା, ସାମ୍ବିଧାନିକ ଅଧିକାର ଓ ମିଶନ ୩ଏଲ୍‌ ଉପରେ ଆଲୋଚନା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀଙ୍କ ଅଧିକାର ସୁରକ୍ଷା, ସାମାଜିକ ନ୍ୟାୟ ଏବଂ ସଂଗଠନର ସୁଦୃଢ଼ୀକରଣକୁ ଗୁରୁତ୍ୱ ଦେଇ ବଙ୍ଗୋମୁଣ୍ଡାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ, ବଙ୍ଗୋମୁଣ୍ଡା ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ସଭାରେ ବିଇଓ ଓ ଏବିଇଓଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରିଷଦର ସଭାପତି ହରିରାମ ସତନାମୀ ସଭାରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସିଆରସିସିମାନେ ଯୋଗ ଦେଇଥିଲେ। ସଭାରେ ମିଶନ ୩ଏଲ୍‌, ସାମ୍ବିଧାନିକ ଅଧିକାର ଏବଂ ଓଆର୍‌ଭି ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ସରକାରୀ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଓଆର୍‌ଭି ଆଇନର ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏହାର ସଠିକ୍‌ ଅନୁପାଳନ ସୁନିଶ୍ଚିତ ନହେଲେ ଆଗାମୀ ଦିନରେ ପରିଷଦ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ବିଇଓ ଓ ଏବିଇଓ ନିଜ ନିଜର ଅଭିଭାଷଣ ରଖିଥିଲେ। ବରିଷ୍ଠ ଶିକ୍ଷକ କ୍ଷୀରସିନ୍ଧୁ ଭୋଇ, ପ୍ରେମଚନ୍ଦ୍ର ତାଣ୍ଡି, ମାନସୀ ସତନାମୀ, ସିଆରସିସି ତୁଳସୀ ପ୍ରସାଦ ସୁନା ଏବଂ ଅର୍ଥ ସମ୍ପାଦକ ବିକାଶ ରଞ୍ଜନ ପନିକା ମଧ୍ୟ ନିଜ ମତ ରଖିଥିଲେ। ସଂଗଠନର ଜିଲ୍ଲା ସଂଯୋଜିକା କୁମାରୀ ବନିତା ବାଗଙ୍କ ପରାମର୍ଶକ୍ରମେ ପରିଷଦକୁ ଅଧିକ ସକ୍ରିୟ କରିବା ପାଇଁ ସଦସ୍ୟତା ବୃଦ୍ଧି, ଦସ୍ତଖତ ଅଭିଯାନ ଏବଂ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। କର୍ମଚାରୀଙ୍କ ଅଧିକାର ଓ ସାମାଜିକ ନ୍ୟାୟ ସମ୍ପର୍କିତ ସଚେତନତା ବାର୍ତ୍ତାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଶିକ୍ଷକ ଓ କର୍ମଚାରୀଙ୍କୁ ଏକ ମଞ୍ଚରେ ଏକତ୍ରିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସଭା ଆୟୋଜନରେ ପୃଥ୍ୱୀରାଜ ଚାନ୍ଦ ସହଯୋଗ କରିଥିବା ବେଳେ ସୁରେଶ ବେହେରା ସଭା ପରିଚାଳନା କରିଥିଲେ। ପରିଷଦର ଅଡିଟର ରାଘବ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କର୍ମଚାରୀଙ୍କ ଏକତା, ସାମ୍ବିଧାନିକ ଅଧିକାରର ସୁରକ୍ଷା ଏବଂ ସଂଗଠନକୁ ଆହୁରି ମଜବୁତ କରିବାର ସଂକଳ୍ପ ସହ ସଭା ଉଦ୍‌ଯାପିତ ହୋଇଥିଲା।

Leave A Reply

Your email address will not be published.