jayashree

“ଦିବ୍ୟ ଜ୍ୟୋତି ଜ୍ଞାନ ଅମୃତ” ବାର୍ଷିକ ପତ୍ରିକାର ଶୁଭ ଉନ୍ମୋଚନ ସମାରୋହ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ, ବଲାଙ୍ଗିର ପକ୍ଷରୁ ପ୍ରକାଶିତ ବାର୍ଷିକ ପତ୍ରିକା “ଦିବ୍ୟ ଜ୍ୟୋତି ଜ୍ଞାନ ଅମୃତ” ର ଶୁଭ ଉନ୍ମୋଚନ ହୋଇଥିଲା । ଏହି ଅବସରରେ ସଂଗଠନର ସମସ୍ତ ଯୋଗୀପ୍ରେମୀଙ୍କ ଉପସ୍ଥିତି ପରିବେଶକୁ ଆନନ୍ଦମୟ, ଉତ୍ସାହପୂର୍ଣ୍ଣ ଓ ଆଧ୍ୟାତ୍ମିକ ଭାବଧାରାରେ ଭରିଦେଇଥିଲା । ସଭାର ପ୍ରାରମ୍ଭରେ ମନୋଜ କୁମାର ବାରିକ ନିଜର ସୁନ୍ଦର ଓ ପ୍ରେରଣାଦାୟୀ ଅଭିଭାଷଣ ମାଧ୍ୟମରେ ସଭାକାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ତାଙ୍କର ମନୋଜ୍ଞ ବକ୍ତବ୍ୟ ଉପସ୍ଥିତ ଯୋଗୀପ୍ରେମୀମାନଙ୍କ ମନରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥିଲା । ଏହାପରେ ସଂଗଠନର ସଭାପତି ସୀତାରାମ ଦାସ ନିଜର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ନୀଳକଣ୍ଠ ମେହେର ନିଜର ଅନୁଭୂତି ଓ ମତାମତ ଉପସ୍ଥାପନ କରିଥିବାବେଳେ ସଂପାଦକ ହାୟୁମ ମହମ୍ମଦ ନିଜସ୍ୱ ବକ୍ତବ୍ୟ ମାଧ୍ୟମରେ ସଭାକୁ ସମ୍ବୋଧିତ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରି ଶୁଭେଚ୍ଛାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ସଂଗଠନର ଏହି ନିଆରା ପରମ୍ପରା ଓ ସେବାମୂଳକ ଯାତ୍ରାର ଅନ୍ୟତମ ବିନ୍ଧାଣୀ ବିରଞ୍ଚି ଗହୀର ଉପସ୍ଥିତ ରହି ସଂଗଠନର ଉତ୍ପତ୍ତି, ଆଦର୍ଶ ଓ ଉଦ୍ଦେଶ୍ୟ ସମ୍ପର୍କରେ ଐତିହାସିକ ତଥ୍ୟକୁ ଲିପିବଦ୍ଧ କରି ରଖିବା ପାଇଁ ବିରଞ୍ଚି ଗହୀର ଓ ସହଦେବ ଧରୁଆଙ୍କୁ ଅଭିଭାଷଣ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ । ସଂଗଠନର ଅତୀତ ଅନୁଭୂତି, ସଂଘର୍ଷ ଓ ଅଗ୍ରଗତିକୁ ଅଭିଲେଖ ଆକାରରେ ସଂରକ୍ଷିତ କରିବାର ଏହି ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣାଦାୟୀ ପଦକ୍ଷେପ । ସଭାର ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରି ସଂଗଠନର ପରାମର୍ଶଦାତା ଆନନ୍ଦ ଚନ୍ଦ୍ର ବେହେରା ନିଜର ମୂଲ୍ୟବାନ ମତାମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ । ସେହିପରି ସକ୍ରିୟ ସଭ୍ୟ ଦିଲ୍ଲୀପ ପାତ୍ର ଯୋଗର ମହତ୍ତ୍ୱ, ଉପକାରିତା ଓ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଶୁଭ ଅବସରକୁ ଅଧିକ ମଙ୍ଗଳମୟ କରିବା ନିମନ୍ତେ ବିରଞ୍ଚି ଗହୀର ସଭାପତି ସୀତାରାମ ଦାସଙ୍କୁ ଭାରତମାତାଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଅନୁରୋଧ କରିଥିଲେ । ପରେ ସଭାପତି ସୀତାରାମ ଦାସ, ସଂପାଦକ ହାୟୁମ ମହମ୍ମଦ, କୋଷାଧ୍ୟକ୍ଷ, ନୀଳକଣ୍ଠ ମେହେର ଏବଂ ମୁନେସ କେଜ୍ରିୱାଲଙ୍କ ଦ୍ୱାରା ବାର୍ଷିକ ପତ୍ରିକାର ଶୁଭ ଉନ୍ମୋଚନ କରାଯିବା ନିମନ୍ତେ ଅନୁରୋଧ କରାଯାଇଥିଲା । ଏହିପରି ଏକ ଶୁଭ ମୁହୂର୍ତ୍ତରେ ‘ଦିବ୍ୟ ଜ୍ୟୋତି ଜ୍ଞାନ ଅମୃତ’ର ଉନ୍ମୋଚନ କେବଳ ଏକ ପତ୍ରିକାର ପ୍ରକାଶନ ନୁହେଁ, ବରଂ ସଂଗଠନର ଆଦର୍ଶ, ଅନୁଭୂତି, ଯୋଗସାଧନା, ଆଧ୍ୟାତ୍ମିକ ଚେତନା ଓ ସାମାଜିକ ସେବାର ଭାବଧାରାକୁ ଜନମାନସରେ ପହଞ୍ଚାଇବାର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ । ପରିଶେଷରେ ଉପସ୍ଥିତ ସମସ୍ତ ଯୋଗୀପ୍ରେମୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଏବଂ ସୌହାର୍ଦ୍ଧ୍ୟ, ଆନନ୍ଦ ଓ ପାରସ୍ପରିକ ଶୁଭେଚ୍ଛା ମଧ୍ୟରେ ସଭାକାର୍ଯ୍ୟର ସମାପନ ହୋଇଥିଲା ।

Leave A Reply

Your email address will not be published.