jayashree

ରାଉରକେଲାରେ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ୯୮ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ – ପ୍ରଗତି ଉତ୍କଳ ସଂଘର ଆନୁକୂଲ୍ୟରେ ମହାନ କିମ୍ବଦନ୍ତୀ ପୁରୁଷ ଚନ୍ଦ୍ରଶେଖର ରଥଙ୍କ ୯୮ତମ ଜୟନ୍ତୀ ସଙ୍ଘର ଉପଦେଷ୍ଟା ଭାରତ ଭୂଷଣ ମହାନ୍ତିଙ୍କ ଆବାହକତ୍ୱରେ ଏବଂ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିଥିମାନେ ପ୍ରଥମେ ସ୍ୱର୍ଗତ ରଥଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ଏବଂ ପୁଷ୍ପ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପରେ ଶ୍ରୀ ମହାନ୍ତି ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ରବିନାରାୟଣ କବି ଚନ୍ଦ୍ରଶେଖରଙ୍କ ବହୁ ଚର୍ଚ୍ଚିତ ତଥା ଦର୍ଶନ ଭିତ୍ତିକ ପ୍ରବନ୍ଧ ‘ମୁଁ କ୍ଷେତ୍ର ଯିବି’ ପାଠ କରିଥିଲେ । ମୁଖ୍ୟ ଆଲୋଚିକା ଡ. ମନୀଷା ସାହୁ ‘ଚନ୍ଦ୍ରଶେଖରଙ୍କ ଗଦ୍ୟ ସାହିତ୍ୟରେ ମାନବବାଦୀ ଚେତନାର ଅନ୍ୱେଷଣ’ ଶୀର୍ଷକରେ ଆଲୋଚନା କରି କହିଲେ ଯେ, ଓଡ଼ିଆ ଗଦ୍ୟ ସାହିତ୍ୟର ଦିଗଦର୍ଶକମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ରଥ ଏକ ସ୍ୱତନ୍ତ୍ର ଓ ଗୌରବୋଜ୍ୱଳ ସ୍ଥାନର ଅଧିକାରୀ । ତାଙ୍କର ପ୍ରବନ୍ଧ, ରମ୍ୟରଚନା ଏବଂ ଦାର୍ଶନିକ ଗଦ୍ୟ ସାହିତ୍ୟରେ ମାନବବାଦୀ ଚେତନା ଏକ ମୁଖ୍ୟ ପ୍ରାଣସ୍ପନ୍ଦନ ଭାବେ ବିରାଜମାନ । ତାଙ୍କ ଲେଖନୀ କେବଳ ବୌଦ୍ଧିକ ବାଗ୍ମିତା ନୁହେଁ, ବରଂ ମଣିଷର ଆତ୍ମା, ତାର ଦୁଃଖ-ସୁଖ, ଅନ୍ତର୍ଦ୍ୱନ୍ଦ୍ୱ ଏବଂ ଜୀବନର ଚରମ ସତ୍ୟର ଏକ ଗଭୀର ଅନ୍ୱେଷଣ । ତାଙ୍କ ସାହିତ୍ୟରେ ମାନବବାଦ ହେଉଛି ଜୀବନ ପ୍ରତି ଏକ ଗଭୀର ଶ୍ରଦ୍ଧା ଏବଂ ଆସ୍ଥାର ପ୍ରତୀକ । ଅନ୍ୟତମ ଆଲୋକ ଶ୍ରୀ ତ୍ରିନାଥ ସିଂହ ‘ଚନ୍ଦ୍ରଶେଖର ରଥଙ୍କ କବିତାର ପୃଥିବୀରେ ଶବ୍ଦ ଓ ଭାବର ସ୍ଥାପତ୍ୟ’ ଶୀର୍ଷକରେ ଆଲୋଚନା କରି କହିଲେ ଯେ, ଚନ୍ଦ୍ରଶେଖର ତାଙ୍କର ସୂକ୍ଷ୍ମ କାବ୍ୟଚେତନା ଏବଂ ଭାଷାଜନିତ ସ୍ଥାପତ୍ୟ କଳା ପାଇଁ ସ୍ୱତନ୍ତ୍ର ଭାବେ ପରିଚିତ । ତାଙ୍କର ଗଦ୍ୟ ଏବଂ କବିତାଗୁଡ଼ିକରେ ଶବ୍ଦ ଚୟନ ଏବଂ ଭାବର ଗମ୍ଭୀରତା ଏକ ଅନନ୍ୟ ସ୍ଥାପତ୍ୟସୃଷ୍ଟି କରିଥାଏ । ତାଙ୍କର ସୃଜନକର୍ମରେ ଶବ୍ଦ କେବଳ ଭାଷାର ମାଧ୍ୟମ ହୋଇ ରହି ନାହିଁ, ବରଂ ଏହା ଭାବର ସୌନ୍ଦର୍ଯ୍ୟକୁ ସୁଦୃଢ଼ କରି ରଖିଥିବା ଏକ କଳାତ୍ମକ ସ୍ଥାପତ୍ୟରେ ପରିଣତ ହୋଇଛି । ତାଙ୍କ ଗଦ୍ୟ ମଧ୍ୟରେ ମଧ୍ୟ ଏକ କାବ୍ୟିକ ଲୟ ରହିଥାଏ । ଶବ୍ଦଗୁଡ଼ିକର ସାଙ୍ଗୀତିକ ବିନ୍ୟାସ ପାଠକର ମନରେ ଏକ ସ୍ୱତନ୍ତ୍ର ସ୍ପନ୍ଦନ ସୃଷ୍ଟି କରେ, ଯାହା ଶବ୍ଦ ଓ ଭାବର ସମନ୍ୱୟରେ ଏକ ସୁନ୍ଦର ସ୍ଥାପତ୍ୟ ପ୍ରସ୍ତୁତ କରେ । ଅନ୍ୟତମ ଅତିଥି ରାଧୁ ମିଶ୍ର ଚନ୍ଦ୍ରଶେଖରଙ୍କ ସହ ବିତାଇଥିବା ତାଙ୍କର ପାରିବାରିକ ତଥା ବ୍ୟକ୍ତିଗତ ସମ୍ପର୍କର ସ୍ମୃତି ଚାରଣ କରିବା ସହ ତାଙ୍କ ଉଚ୍ଚାରଣ ଏବଂ ଆଚରଣରେ କୌଣସି ପ୍ରଭେଦ ନଥିଲା ବୋଲି ପ୍ରତିପାଦିତ କରିଥିଲେ । କବି ବିଜୟିନୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ ନାଥ ଦାସ, ଅଶୋକ କୁମାର ପଟ୍ଟନାୟକ, ରଶ୍ମି ସାହୁ, ସ୍ମିତା ମିଶ୍ର, ଚାରୁଲତା ମଲ୍ଲିକ, ଅରବିନ୍ଦ ପାତ୍ର ଏବଂ ଇନ୍ଦ୍ରମଣି ମହାପାତ୍ର ପ୍ରମୁଖ ସହାୟତା କରିଥିବା ବେଳେ ସଙ୍ଘର ଉପସଭାପତି ରଶ୍ମିରଞ୍ଜନ ବୋଇତାଇ, ଡ‌‌‌. ପ୍ରଭାତ କୁମାର ମଲ୍ଲିକ, ଡ. ନଗେନ ଦାସ, ରାଜୀବ ପାଣି, ଅକ୍ଷୟ କୁମାର ସାମଲ, ଶର୍ମିଷ୍ଠା କବି ଶତପଥୀ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, କୁଞ୍ଜବିହାରୀ ରାଉତ, କୈଳାସ ଚନ୍ଦ୍ର ମହାନ୍ତି, ଦିଲ୍ଲୀପ କୁମାର ବୋଷ, ସତ୍ୟବ୍ରତ ମହାନ୍ତି, ସିପ୍ରା ମହାନ୍ତି, ଅଶୋକ କୁମାର ସେଠୀ, ଜୟଶ୍ରୀ କବି, ବିଶ୍ୱନାଥ ଆଇଚ, ପରେଶ ବିଶ୍ୱାଳ, ସଞ୍ଜୀବ ଭୋଇ, ପ୍ରକାଶ ଚନ୍ଦ୍ର ସେଠୀ, ଅଜୟ କୁମାର ସ୍ୱାଇଁ, ମନୀଷା ସାହୁ, ନାରାୟଣ ଦଳାଇ, ଚିନ୍ମୟ ଦାସ, ତ୍ରିଲୋଚନ ସ୍ୱାଇଁଙ୍କ ସହ ସଙ୍ଘର କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ତଥା ବହୁ ସାହିତ୍ୟ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.