
- ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି
ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ସୋନପୁର ସର୍କିଟ ହାଉସ ଠାରେ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ମନୋଜ ରଜିନୀ, ପିସିସି ଉପ-ସଭାପତି ତଥା ବଲାଙ୍ଗିର ଲୋକସଭା ଦାୟିତ୍ୱରେ ଥିବା ଡ. ଲଲାଟେନ୍ଦୁ ମହାପାତ୍ର, ପିସିସି ସାଧାରଣ ସମ୍ପାଦିକା ତଥା ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ଶ୍ରୀମତୀ ରୂପାଦୀପ୍ତା ମହାପାତ୍ର, ପିସିସି ମିଡିଆ ସେଲ ଚେୟାରମ୍ୟାନ ଅରବିନ୍ଦ ଦାସ, ପିସିସି ସମ୍ପାଦକ ସଂଗ୍ରାମ କେଶରୀ ନାୟକ ଏବଂ ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ର ଉପସ୍ଥିତ ଥିଲେ । ସମ୍ମିଳନୀରେ ବକ୍ତାମାନେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆୟୋଗ ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର ଗଭୀର ସଂଶୋଧନ ନାମରେ ଦେଶରେ ପ୍ରାୟ ୧୪ କୋଟି ଭୋଟରଙ୍କ ନାମ ଭୋଟର ତାଲିକାରୁ କଟାଯାଇଛି । ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ସେମାନେ କହିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି । ଜାତୀୟ ସ୍ତରରେ ଏହି ଦାବିକୁ ନେଇ ଆସନ୍ତା ନଭେମ୍ବର ୧ ତାରିଖରେ ରାମଲୀଳା ମୈଦାନରେ “ଚଲୋ ଦିଲ୍ଲୀ, ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ” ବିଶାଳ ମେଗା ରାଲି ଅନୁଷ୍ଠିତ ହେବ । ସୋନପୁର ଜିଲ୍ଲାରୁ ମଧ୍ୟ କାର୍ଯ୍ୟକର୍ତ୍ତା ଏଥିରେ ଯୋଗଦେବେ । ସମ୍ମିଳନୀରେ ନେତୃବୃନ୍ଦ କହିଛନ୍ତି ଯେ, ଜ୍ଞାନେଶ କୁମାର ଇସ୍ତଫା ନ ଦେଲେ କଂଗ୍ରେସର ରାଜନୈତିକ ସଂଘର୍ଷ ଜାରି ରହିବ । ଭୋଟ ଚୋରି ବିରୁଦ୍ଧରେ ଲଢ଼େଇକୁ ବ୍ଲକ ସ୍ତର ପର୍ଯ୍ୟନ୍ତ ନିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।