jayashree

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଉଦଘାଟିତ

  • ୧୪ଟି ବ୍ଲକରୁ ମୋଟ ୫୮୮ଜଣ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗୁରୁବାର ବଲାଙ୍ଗିର ଜିଲ୍ଲାସ୍ତରୀୟ ୧୪ବର୍ଷ ଓ ୧୭ବର୍ଷରୁ କମ୍ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବ୍ଲକ ଅଞ୍ଚଳରେ ଦିନସାରା ଝିପିଝିପି ବର୍ଷା ଲାଗି ରହିଥିବାରୁ ଉଦଘାଟନୀ କାର୍ଯ୍ୟକ୍ରମ ଓଏଭି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଏଡିଇଓ ରୀନା କୁମାରୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ତହସିଲଦାର ଜଗଦୀଶ କର୍ତ୍ତାମୀ, ବିଇଓ ଶାନ୍ତନୁ କୁମାର ପଢିହାରୀ, ହାଇସ୍କୁଲ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର କୁଅଁର, ଓଏଭି ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ କୁମାର ପୁଟେଲ, ଖେଳ ପର୍ଯ୍ୟବେକ୍ଷକ ପଦ୍ମଚରଣ ଦାସ ଓ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ୧୪ଟି ବ୍ଲକରୁ ୧୪ବର୍ଷ ଓ ୧୭ବର୍ଷରୁ କମ ୨୮୮ଜଣଛାତ୍ରୀ ଓ ୩୦୦ଜଣ ଛାତ୍ରଙ୍କ ସହ ମୋଟ ୫୮୮ଜଣ ପ୍ରତିଯୋଗୀ, ୫୨ଜଣକୋଚ୍ ଓ ମ୍ୟାନେଜର ଏଭଳି ସର୍ବମୋଟ ୬୪୦ଜଣ ଅଂଶଗ୍ରହଣ କରୁଛନ୍ତି । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଓ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତା ତିନିଦିନ ଧରି ଅନୁଷ୍ଠିତ ହେବ । ଓଏଭି ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । କୁର୍ଲୁବାହାଲ ହାଇସ୍କୁଲର ବରିଷ୍ଠ କ୍ରୀଡ଼ା ଶିକ୍ଷକ ବିନୋଦ ମହାପାତ୍ର ଅତିଥି ସ୍ୱାଗତ, କ୍ରୀଡ଼ା ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା ଓ ବ୍ଲକ କ୍ରୀଡ଼ା ସଂଗଠନ ସମ୍ପାଦକ କୁବେରଲାଲ ବେହେରା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.