pakka

ଓଡିଶାକୁ କେନ୍ଦ୍ରୀୟ ଅବହେଳା : ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା

bbehera
  • ପିଏମକେଏସୱାଇରେ କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା ପୂର୍ବାପେକ୍ଷା କମିଛି : ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ) । ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇ ନାହିଁ । କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି କ୍ରମେ ଏଆଇବିପି କାର୍ଯ୍ୟକ୍ରମ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନୀତି ଆୟୋଗ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିଛି । ନୂଆଦିଲ୍ଲୀ ସଂସଦ ମାର୍ଗ ସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟର ଓଡିଶା ଜନ ସୂଚନା ଅଧିକାରୀ ରାଜେନ୍ଦ୍ର ସିଂ ଏହି ସୂଚନା ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଓଡିଶାର କେବିକେ ଅଞ୍ଚଳକୁ ବର୍ତ୍ତମାନ କେନ୍ଦ୍ର ରାଜ୍ୟ ସହାୟତା ହାର ୬୦-୪୦ ରହିଛି ବୋଲି ତଥ୍ୟରେ କୁହାଯାଇଛି । ପୂର୍ବରୁ କେବିକେ ଅଞ୍ଚଳ ପାଇଁ ଏଆଇବିପିରେ କେନ୍ଦ୍ର ରାଜ୍ୟ ସହାୟତା ହାର ଯଥା କ୍ରମେ ୯୦-୧୦ ଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଦେଶର ସ୍ୱତନ୍ତ୍ର ପାହ୍ୟା ରାଜ୍ୟମାନଙ୍କ ସହିତ ଓଡିଶାର କେବିକେ ଅଞ୍ଚଳକୁ ଏଆଇବିପିରେ କେନ୍ଦ୍ର ରାଜ୍ୟ ସହାୟତା ହାର ୯୦- ୧୦ ଥିଲା । ଏହା ଦ୍ୱାରା କେବିକେ ଅଞ୍ଚଳରେ ଜଳସେଚନର ବିକାଶ କେବଳ ପ୍ରଭାବିତ ହେବ ଏହା ନୁହେଁ ଏକ ପଛୁଆ ଅଞ୍ଚଳ ଭାବେ କେନ୍ଦ୍ର ସରକାରଙ୍କ ଯେଉଁ କେବିକେ ମାନ୍ୟତା ଥିଲା ତାହା ମଧ୍ୟ ଶେଷ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସୂଚନା କର୍ମୀ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି । ସାଧାରଣ ପାହ୍ୟା ରାଜ୍ୟଗୁଡିକ ପାଇଁ ଏହି ଅନୁଦାନ ହାରଭିନ୍ନ ଥିଲା । ବର୍ତ୍ତମାନ ସାଧାରଣ ପାହ୍ୟା ରାଜ୍ୟମାନଙ୍କ ପାଇଁ କେନ୍ଦ୍ର ରାଜ୍ୟ ସହାୟତା ହାର ଯଥା କ୍ରମେ ୨୫-୭୫ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୃଷି ଓ କୃଷକର ବିକାଶ ପାଇଁ ଜଳସେଚନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳୀନ ଭାରତ ସରକାର ୧୯୯୫-୯୬ ମସିହାରେ ଏଆଇବିପି ଯୋଜନା ଆରମ୍ଭ କରିଥିଲେ । ଜଳସେଚନ ରାଜ୍ୟର ବିଷୟବସ୍ତୁ ହୋଇଥିଲେ ମଧ୍ୟ ରାଜ୍ୟମାନଙ୍କର ନିର୍ମାଣାଧୀନ ଓ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପଗୁଡିକୁ କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲେ । ସ୍ୱତନ୍ତ୍ର ପାହ୍ୟା ରାଜ୍ୟମାନଙ୍କୁ ଓ ଓଡିଶାର ଅବିଭକ୍ତ କେବିକେ ଅଞ୍ଚଳର ଜିଲ୍ଲାମାନଙ୍କୁ ତଥା ବର୍ତ୍ତମାନର ୮ଟି ଜିଲ୍ଲାକୁ ସାଧାରଣ ପାହ୍ୟା ରାଜ୍ୟ ଅପେକ୍ଷା ଅଧିକ କେନ୍ଦ୍ରୀୟ ଆର୍ଥିକ ସହାୟତାର ବ୍ୟବସ୍ଥା ଥିଲା । ନୂଆପଡା ଜିଲ୍ଲାର ଲୋୟର ଇନ୍ଦ୍ର ଏହି ଯୋଜନାରେ ଅଧିକ ମାତ୍ରାରେ କେନ୍ଦ୍ରୀୟ ଅନୁଦାନ ପାଇଛି । ଏଆଇବିପି ଯୋଜନା ସଂଶୋଧିତ ହେବା ଫଳରେ ୨୦୨୧ ମାର୍ଚ୍ଚ ମାସରୁ କେବିକେ ଅଞ୍ଚଳର ଅନେକ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପଗୁଡିକ ପୂର୍ବାପେକ୍ଷା କମ୍‌ ଆର୍ଥିକ ସହାୟତା ପାଉଛନ୍ତି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ରାଜ୍ୟର ସମସ୍ତ ରାଜନୈତିକ ଦଳ ଓ ନେତୃବୃନ୍ଦ ଏହାକୁ ନେଇ ନିରବ ରହିବା, ସମଗ୍ର ଓଡିଶା ଓ ବିଶେଷ କରି କେବିକେ ଅଞ୍ଚଳର ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରତି ଉଦାସୀନତା ମନୋଭାବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.

20 − sixteen =