ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ରେ ସହଯୋଗ ଫାଉଣ୍ଡେସନ ତରଫରୁ ଅନ୍ନଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଆହାରକେନ୍ଦ୍ର ଚାଲୁରହୁଛି । ରବିବାର ଦିନ ସରକାରୀ ଛୁଟି ରହୁଥିବାରୁ ସରକାରୀ ଆହାରକେନ୍ଦ୍ର ମଧ୍ୟ ବନ୍ଦ ରହୁଛି । ରବିବାର ଦିନ ହସପିଟାଲ୍‌ର ରୋଗୀମାନଙ୍କ ବନ୍ଧୁ ପରିଜନ ଖାଇବାକୁ ପାଉନାହାଁନ୍ତି । ତେଣୁ ଏହି ସମସ୍ୟାକୁ ନଜରରେ ରଖି ବଲାଙ୍ଗିରର ସହଯୋଗ ଫାଉଣ୍ଡେସନ ତରଫରୁ ପ୍ରତ୍ୟେକ ରବିବାର ଦିନ ହସପିଟାଲ୍‌ ପରିସରରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଜରିଆରେ ମାଗଣା ଖାଦ୍ୟ ବ୍ୟବସ୍ଥା କରାଯାଉଛି । ଭାତ, ଡାଳମା ଓ ଟମାଟୋ ଖଟା ଲୋକଙ୍କୁ ବଣ୍ଟାଯାଉଛି । ତେବେ ସହଯୋଗ ଫାଉଣ୍ଡେସନର ଏଭଳି କାମକୁ ଅନେକ ଲୋକ ପ୍ରଶଂସା କରିବା ସହିତ ସହଯୋଗ ରାଶି ଦେଇ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି । ଜନ୍ମଦିନ, ଶ୍ରାଦ୍ଧଦିବସ, ବିବାହ ବାର୍ଷିକୀ ଉପଲକ୍ଷେ ବଦାନ୍ୟ ବ୍ୟକ୍ତିମାନେ ମଧ୍ୟ ଏହିଦିନ ଖାଦ୍ୟ ଦେଉଛନ୍ତି । ଗତ ୨୦ ସପ୍ତାହ ହେଲା ଏଭଳି ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଚାଲୁରହିଛି । ଆଜି ବଲାଙ୍ଗିରର ଜଣାଶୁଣା ସମାଜସେବୀ ତଥା ଶ୍ରମିକ ସଂଗଠକ ସ୍ୱର୍ଗତ ଅରୁଣ ସାହୁଙ୍କ ସ୍ମୃତିରେ ତାଙ୍କ ବଡଭାଇ ଅକୃର ସାହୁ ଗରିବ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ । ପ୍ରାୟ ୩୦୦ଲୋକଙ୍କୁ ଖାଦ୍ୟ ବଣ୍ଟାଯାଇଥିଲା । ସହଯୋଗ ଫାଉଣ୍ଡେସନର ଅନୀଳ ମୋଦୀ, ସଂପାଦିକା ପିଙ୍କି ମୋଦୀ, ଆର୍ତ୍ତତ୍ରାଣ ପାଢୀ, ପଞ୍ଚାନନ ପଧାନ, ରେଡକ୍ରସ୍‌ କର୍ମୀ ରବିଚନ୍ଦ୍ର ପଶାୟତ, ରାମନାରାୟଣ ଦାସ, ସାମ୍ବାଦିକ ବାବୁ ପୂଜାହାରୀ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସ୍ୱେଚ୍ଛାସେବୀ ପ୍ରମୋଦ ସାହୁ, ବିଶ୍ୱ ହିନ୍ଦୁ ପରିଷଦର ବିରଞ୍ଚିନାରାୟଣ ପଣ୍ଡା, ମଜଦୁର ସଂଘର ବଲାଙ୍ଗିର ଜିଲ୍ଲା ସଭାପତି ରୁଣୁଗୋପାଲ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ସଂଗଠକ ଅକୃର ସାହୁଙ୍କୁ ମାନପତ୍ର ଦେଇ ସହଯୋଗ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଠିକ ସେହିପରି ଶ୍ରମିକ ନେତା ସ୍ୱର୍ଗତ ଅରୁଣ ସାହୁଙ୍କ ଜନ୍ମଦିବସରେ ତାଙ୍କ ସ୍ମତିରେ ଭୀମଭୋଇ ମେଡିକାଲ କଲେଜ ରକ୍ତଭଣ୍ଡାରଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମକୁ ଶ୍ରମିକ ନେତା ତଥା ସଂଗଠକ ବିରଞ୍ଚିନାରାୟଣ ପଣ୍ଡା ଓ ଭାରତୀୟ ମଜଦୁର ସଂଘର ସଭାପତି ରୁଣୁଗୋପାଳ ସାହୁ ଶୁଭାରମ୍ଭ କରିଥିଲେ । ସ୍ୱର୍ଗତ ଅରୁଣ ସାହୁଙ୍କ ବଡଭାଇ ଅକୃର ସାହୁ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରିରୁରାଜ ସିଂ, ବାବୁ ପୂଜାରୀ, ଫିରୋଜ ସାହୁ, ସଂଗଠକ କମ୍ବୁପାଣି ପୂଜାରୀ, ରେଡକ୍ରସ୍‌ କର୍ମୀ ରବିଚନ୍ଦ୍ର ପଶାୟତ, ରାମନାରାୟଣ ଦାସ, ସ୍ୱେଚ୍ଛାସେବୀ ତଥା ପୂର୍ବତନ ସରପଞ୍ଚ ଧୁବୁନୀ ରଣା, ରୋହିତ ଜୈନ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 + sixteen =