ଘରୋଇ ସ୍କୁଲରେ କାର୍ଯ୍ୟ କରୁଥିବା ସରକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇ ବ୍ଳକ ଶିକ୍ଷା ବିଭାଗ ଚୁପ୍‌ ବସିଥିବା ଅଭିଯୋଗ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ରହେନମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ୟ୍ୟ କରୁଥିବା ପରକ୍ଷିତ ପ୍ରଧାନ ନାମକ ଜଣେ ଶିକ୍ଷକ ସ୍କୁଲ ନ ଯାଇ ତୁଷୁରା ସହରରେ ଥିବା ଏକ ଘରୋଇ ସ୍କୁଲକୁ ଛାତ୍ରଛାତ୍ରୀ ଯୋଗାଡ କରୁଥିବା ଅଭିଯୋଗ ହୋଇଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ଆସିବା ପରେ ଦାୟିତ୍ୱରେ ଥିବା ଗୁଡଭେଲା ବ୍ଳକ ଶିକ୍ଷାଅଧିକାରୀ ନେପାଳ ଚନ୍ଦ୍ର ବାଗ ଉକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇ ଏକ ମାସରୁ ଅଧିକ ହେଲାଣି ଚୁପ ହୋଇ ବସିଥିବା ଲୋକେ ଅଭିଯୋଗ କରିଛ‌ନ୍ତି । ତଦନ୍ତ ଚାଲିଛି, ଯଥା ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବାଗ କହୁଥିବାରୁ ତାଙ୍କର କାର୍ୟ୍ୟ ଦକ୍ଷତା ଉପରେ ମଧ୍ୟ ଲୋକେ ପ୍ରଶ୍ନ କରିଛ‌ନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ତୁଷୁରା ସହରରେ ଥିବା ରୟାଲ ଇଣ୍ଟରନେସେନାଲ୍ ସ୍କୁଲରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କୁ ଯୌନ ଉତ୍ପୀଡନା ଘଟଣାର ତଦନ୍ତ ବେଳେ ଜଣାପଡିଥିଲା ଯେ ବିଭିନ୍ନ ସରକାରୀ ପ୍ରାଥମିକ ଓ ହାଇସ୍କୁଲର ସରକାରୀ ଶିକ୍ଷକମାନେ ପଛରେ ରହି ଏହି ଘରୋଇ ସ୍କୁଲ ଗୁଡିକ ଚଳାଉଛନ୍ତି । ଏପରି ଜଣାପଡିବା ପରେ ଆଜି ପର୍ୟ୍ୟନ୍ତ ୪ ଜଣ ସରକାରୀ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ନିଲମ୍ବିତ କରିଥିବା ବେଳେ ଶ୍ରୀ ପ୍ରଧାନଙ୍କୁ ଘଣ୍ଟ ଘୋଡାଇବାରେ କାହିଁକି ଲାଗିଛି ବୋଲି ସାଧାରଣରେ ଜୋର ଚଚ୍‌ର୍ଚ୍ଚା ହେଉଛି । ଏ ସମ୍ପର୍କରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପ୍ରଧାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରି ନଥିବାରୁ ତାଙ୍କର ମତାମତ ନିଆଯାଇ ପାରିନାହିଁ । ଏ ସଂପର୍କରେ ବିଇଓ ନେପାଳ ଚନ୍ଦ୍ର ବାଗଙ୍କୁ ପଚରାଯିବାରୁ ସେ ସଂପୃକ୍ତ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ଏବିଇଓ.ଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କଲେ ଏପରି ଶିକ୍ଷକମାନଙ୍କ ଉପରେ ଲଗାମ ଲଗାଯାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.