ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁର୍ନୀତିର ଗନ୍ଧ : କୁଆଡେ଼ ଗଲା ଟଙ୍କା, ସଠିକ ପ୍ରମାଣ ଦେବା ପାଇଁ ପ୍ରଶାସନର କୁଣ୍ଠାବୋଧ : ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କରୋନା ମହାମାରୀ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । କିନ୍ତୁ ତାହାକୁ ଭାଗ ବଣ୍ଟା କରି ହଡ଼ପ୍‌ କରି ଦେଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି ।

ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ୨୨ଟି ପଞ୍ଚାୟତର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖର୍ଚ୍ଚ ସମ୍ବନ୍ଧୀୟ ବିବରଣୀ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ସୂଚନା ଅଧିକାର କର୍ମୀ ଚିତ୍ତରଞ୍ଜନ ସାହୁ । ହେଲେ ତାଙ୍କୁ ସଠିକ୍‌ ପ୍ରମାଣ ମିଳୁ ନ ଥିବା ବେଳେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କାହିଁକି ପ୍ରଶାସନ ସଠିକ୍‌ ପ୍ରମାଣ ଦେଉନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ଲକ୍ଷ ଲକ୍ଷ ଟଙ୍କାର ହେରଫେର୍‌ ହୋଇଥିବା ନେଇ ମଧ୍ୟ ସଂଦେହ ଉଠୁଥିବା କୁହାଯାଇଛି । ଅସ୍ଥାୟୀ କେନ୍ଦ୍ର ଗୁଡ଼ିକରେ କେତେ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଆସିଥିଲେ, କେତେ ଟଙ୍କା ପ୍ରତ୍ୟେକ ବ୍ୟକ୍ତି ପିଛା ଖର୍ଚ୍ଚ ହୋଇଛି… ଏଭଳି ଅନେକ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମାଗିଥିଲେ ଶ୍ରୀ ସାହୁ । ହେଲେ ଦୀର୍ଘ ୨ମାସରୁ ଅଧିକ ସମୟ ହେବ ତାଙ୍କୁ ଏପର୍ୟ୍ୟନ୍ତ ସଠିକ୍‌ ତଥ୍ୟ ମିଳି ନଥିବା ସେ କହିଛ‌ନ୍ତି । ତାଙ୍କୁ ୨୨ଟି ପଞ୍ଚାୟତ ମଧ୍ୟରୁ ୭ଟି ପଞ୍ଚାୟତର ତଥ୍ୟ ଦିଆଯାଇଛି, କିନ୍ତୁ ତାହା ବି ଗୋଟିଏ ଗୋଟିଏ ନିଜ ହାତ ଗଢ଼ା ଲେଖା ବୋଲି ଅଭିଯୋଗ ଆଣିଛନ୍ତି ଚିତରଞ୍ଜନ ସାହୁ । ସୂଚନା ମତେ କରମତଲା ପଞ୍ଚାୟତରେ ୧,୦୨୪,୭୩୦ଟଙ୍କା, ଡୁଙ୍ଗୁରିପାଲି ପଞ୍ଚାୟତରେ ୬,୩୦,୨୦୪, ବିବିନା ପଞ୍ଚାୟତରେ ୪,୨୬,୩୬୦ ଟଙ୍କା, କୁଇକେଡା ପଞ୍ଚାୟତରେ ୬,୮୪,୩୧୧ ଟଙ୍କା, ଘୁନସର ପଞ୍ଚାୟତରେ ୮,୧୦,୬୬୦ଟଙ୍କା, ସଇଁନ୍ତଳା ପଞ୍ଚାୟତରେ ୧,୯୫,୧୯୦ ଟଙ୍କା, ଧରପଗଡ଼ ପଞ୍ଚାୟତରେ ୪,୮୦,୭୪୨ଟଙ୍କା ଲେଖାଏଁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଖର୍ଚ୍ଚ ହୋଇଥିବା ଆରଟିଆଇ ମାଧ୍ୟମରେ ଦିଆଯାଇଥିବା ସୂଚନାରେ କୁହାଯାଇଛି । କିନ୍ତୁ ବାସ୍ତବରେ ସେତିକି ଟଙ୍କା ଲେଖାଏଁ ଖର୍ଚ୍ଚ କରାଯାଇ ଅଛି କି ? ଯଦି ଖର୍ଚ୍ଚ ହୋଇଛି ସଠିକ ପ୍ରମାଣ ଦେବା ପାଇଁ କୁଣ୍ଠାବୋଧ କାହିଁକି ବୋଲି ସୂଚନା ଅଧିକାର କର୍ମୀ କହିଛ‌ନ୍ତି ।

ସେ ଆହୁରି କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ଦୁର୍ନୀତି ନିଶ୍ଚିତ ଭାବରେ ହୋଇଛି । ଅନ୍ୟପଟେ ଭଦ୍ରା ପଞ୍ଚାୟତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି କେଉଁ କେଉଁ ବାବଦକୁ, କାହିଁକି ପଞ୍ଚାୟତ ପ୍ରଶାସନ ସୂଚନା ଦେଉନାହାନ୍ତି ବୋଲି ସେ ପ୍ର‌ଶ୍ନ ଉଠାଇଛ‌ନ୍ତି ।

ଅର୍ଦ୍ଧାଧିକ ଟଙ୍କା ହଡ଼ପ୍‌ କରି ନାହାନ୍ତି ତ ବୋଲି ଅନେକ ପ୍ରଶ୍ନ କରୁଛନ୍ତି ଏବେ ଅଞ୍ଚଳବାସୀ । ତେବେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଶ୍ରୀ ସାହୁ ।ଏନେଇ ସଇଁନ୍ତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲଙ୍କୁ ପଚାରିବାରୁ ଯଦି ସେମିତି ଅନିୟମିତତା ହୋଇଥାଏ, ତେବେ ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଭିଜିଲାନ୍ସ ତଦନ୍ତ ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.