jayashree

ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂଜ୍ୟପାଦ ସଦ୍‌ଗୁରୁଦେବ ପରମହଂସ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ୭୧ତମ ଜନ୍ମଦିବସ ଅବସରରେ ବିଶ୍ୱାତ୍ମ ଚେତନା ପରିଷଦର ତତ୍ତ୍ୱାବଧାନରେ ଖୁଜେନପାଲିସ୍ଥିତ ବିଶ୍ୱାତ୍ମ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଶିବିରକୁ ବଲାଙ୍ଗିରର ସମ୍ମାନୀୟ ଏଡିଏମ୍ ପବିତ୍ର କୁମାର ବେହେରା, ପୌରପାଳିକା ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଏବଂ ବରିଷ୍ଠ ଚିକିତ୍ସକ ଡା. କେ. ସି. ମହାନ୍ତ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ପୂଜ୍ୟ ଗୁରୁଦେବ ନିଜର ଦିବ୍ୟ ଆଶୀର୍ବଚନ ପ୍ରଦାନ କରି ରକ୍ତଦାନର ମହତ୍ତ୍ୱ ଏବଂ ଭାରତୀୟ ଶାସ୍ତ୍ରରେ ବର୍ଣ୍ଣିତ ‘ଦାନ’ର ଚିରନ୍ତନ ମହିମା ଉପରେ ଆଲୋକପାତ କରିଥିଲେ । ମାନବ ସେବାକୁ ଏକ ମହାନ ଆଧ୍ୟାତ୍ମିକ ସାଧନା ଭାବେ ଗ୍ରହଣ କରି ଏଭଳି ମହତ୍ କାର୍ଯ୍ୟରେ ସମସ୍ତଙ୍କୁ ସାମିଲ ହେବା ପାଇଁ ସେ ପ୍ରେରଣା ଦେଇଥିଲେ । ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବିଶ୍ୱାତ୍ମ ଚେତନା ପରିଷଦର ସଦସ୍ୟ, ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ରଛାତ୍ରୀ, ପ୍ରଜ୍ଞାଶକ୍ତି ମଣ୍ଡଳର ସଦସ୍ୟ ଏବଂ ବହୁ ସ୍ୱେଚ୍ଛାସେବୀ ଉତ୍ସାହର ସହ ରକ୍ତଦାନ କରି ମାନବସେବା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ପୂଜ୍ୟ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀଜୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପୂଜ୍ୟ ସ୍ୱାମୀ ସତ୍ୟପ୍ରେମାନନ୍ଦ ସରସ୍ୱତୀଜୀ (କୋଷାଧ୍ୟକ୍ଷ) ତଥା ଡା. ପ୍ରକାଶ କୁମାର ଦାଶ ଓ ଡା. ଅଶୋକ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ବିଶ୍ୱାତ୍ମ ବିଦ୍ୟାମନ୍ଦିରର ପ୍ରାଚାର୍ଯ୍ୟ ଡା. ସୁଶାନ୍ତ କୁମାର ପ୍ରଧାନ ଏବଂ ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀଙ୍କ ଦ୍ଵାରା ସମଗ୍ର କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପନ୍ନ ହୋଇଥିଲା । ଶେଷରେ ସଂଯୋଜକ ସମ୍ବିତ କୁମାର ଧନ୍ୟବାଦ ଅର୍ପଣ କରି ରକ୍ତଦାତା, ଅତିଥି, ଚିକିତ୍ସକ, ସ୍ୱେଚ୍ଛାସେବୀ ଓ ସମସ୍ତ ସହଯୋଗୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । ରକ୍ତଦାତାମାନଙ୍କ ନିଃସ୍ୱାର୍ଥ ସେବା ଓ ମାନବିକ ଅବଦାନକୁ ସମ୍ମାନ ଜଣାଇ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । “ରକ୍ତଦାନ ମହାଦାନ-ମାନବସେବା ହିଁ ଈଶ୍ୱର ସେବା” ।

Leave A Reply

Your email address will not be published.