jayashree

ଟିଟିଲାଗଡ଼ରେ ରାଇଜିଂ ଷ୍ଟାରର ଚମତ୍କାର ବିଜୟ, ୫-୧ ଗୋଲରେ ଜିତିଲା ଫାଇନାଲ୍

  • ଟିଟିଲାଗଡ଼ରେ ଜମିଲା ଫୁଟବଲ୍ ଲଢ଼େଇ, ରାଇଜିଂ ଷ୍ଟାରର ଚମତ୍କାର ବିଜୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସିନିୟର୍ ଡିଷ୍ଟ୍ରିକ୍ଟ ନକ୍ ଆଉଟ୍ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ରେ ଦମଦାର୍‌ ବିଜୟ ହାସଲ କରିଛି ଟିଟିଲାଗଡ଼ ହାଟପଦାପଡ଼ାର ରାଇଜିଂ ଷ୍ଟାର । ଟିଟିଲାଗଡ଼ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ସିଟି ସ୍କୁଲ୍ ନିକଟସ୍ଥ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାର ଷଷ୍ଠ ଦିନରେ ରାଇଜିଂ ଷ୍ଟାର ଓ ଖଜୁରପଡ଼ା ଦଳ ମଧ୍ୟରେ ଫାଇନାଲ୍ ମୁକାବିଲା ହୋଇଥିଲା । ମ୍ୟାଚ୍ ଆରମ୍ଭରୁ ହିଁ ରାଇଜିଂ ଷ୍ଟାର ଖେଳାଳିଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଥମାର୍ଦ୍ଧରେ ଲଗାତାର ଗୋଲ୍ କରି ୪-୦ରେ ଆଗୁଆ ରହିଥିଲା ରାଇଜିଂ ଷ୍ଟାର । ହାଫ୍ ଟାଇମ୍ ପରେ ଅତିଥିମାନେ ପଡ଼ିଆକୁ ଯାଇ ଉଭୟ ଦଳର ଖେଳାଳି ଓ ରେଫରିଙ୍କ ସହ କରମର୍ଦ୍ଦନ କରି ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ମ୍ୟାଚ୍ ରୋମାଞ୍ଚକର ରହିଥିଲା । ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ ମଧ୍ୟ ଶେଷରେ ୫-୧ ଗୋଲରେ ବିଜୟୀ ହୋଇଥିଲା ହାଟପଦାପଡ଼ା ରାଇଜିଂ ଷ୍ଟାର । ଏହି ବିଜୟ ସହ ରାଇଜିଂ ଷ୍ଟାର ଆଗାମୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇଛି । ମ୍ୟାଚରେ ଦୁଇଟି ଗୋଲ୍ କରିଥିବା ସାଗର ରତେଇଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ କରାଯାଇଥିଲା । ଫାଇନାଲ୍ ଅବସରରେ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରସିଦ୍ଧ ଖୋଖୋ ଖେଳାଳି ମନ୍ଦାକିନୀ ମାଝୀ, ବରିଷ୍ଠ ଫୁଟବଲ୍ ଖେଳାଳି ସଦା ନାଏକ, ଆଥଲେଟିକ୍ ଆସୋସିଏସନ୍ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ପାଢ଼ୀ ଓ ଥାନାଧିକାରୀ ମନୋଜ କୁମାର ମୁଣ୍ଡା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ଟିଟିଲାଗଡ଼ର ବିଶିଷ୍ଟ ଫୁଟବଲ୍ ଖେଳାଳି ଏଡ୍ ନାଏକଙ୍କୁ ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଇଜିଂ ଷ୍ଟାରର ଏହି ସଫଳତା ପଛରେ କୋଚ୍ ପ୍ରକାଶ ସ୍ୱାଇଁଙ୍କ ସମେତ ଆଥଲେଟିକ୍ ଆସୋସିଏସନ୍‌ର ସମ୍ପାଦକ ଶୁଭ୍ରାଂଶୁ ଦାସ, ମଧୁ ମହାଲିଙ୍ଗ, ହେମେନ୍ଦ୍ର ହାଁସଦା, ସାରଦା ରାଓ, ଦୀପକ ସମାଦ୍ଦାର, ପଦ୍ମନାଭ ବେହେରା, ରମାନାଥ ଖମାରୀଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଥିଲା । ଏବେ ଜିଲ୍ଲାସ୍ତରୀୟ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ରାଇଜିଂ ଷ୍ଟାର । ଦଳ ଆଗାମୀ ପ୍ରତିଯୋଗିତାରେ ମଧ୍ୟ ଭଲ ପ୍ରଦର୍ଶନ କରି ଟିଟିଲାଗଡ଼ର ନାଁ ଗୌରବାନ୍ୱିତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି କୋଚ୍ ପ୍ରକାଶ ସ୍ୱାଇଁ ।

Leave A Reply

Your email address will not be published.